ଆଜି ଶ୍ରୀ ମନ୍ଦିରରେ ପ୍ରଳମ୍ବାସୁର ବଧ ନୀତି
ପୁରୀ : ଶ୍ରୀମନ୍ଦିରରେ ଚାଲିଛି କୃଷ୍ଣ ଲୀଳା । ଆଜି ଚର୍ତୁର୍ଥ ଦିନରେ ଶ୍ରୀମନ୍ଦିରରେ ପ୍ରଭୁ ବଳଭଦ୍ରଙ୍କ ର ପ୍ରଳମ୍ବାସୁର ବଧ ବେଶ ଅନୁଷ୍ଠିତ ହେବ । ପ୍ରଳମ୍ବାସୁରକୁ ମାରିବେ ବଡ଼ଠାକୁର । ଏଥିସହ ଶ୍ରୀବିଗ୍ରହଙ୍କ ସ୍ବତନ୍ତ୍ର ବେଶ ହେବ । ଦ୍ଵିତୀୟ ଭୋଗମଣ୍ଡପ ସରିବା ପରେ ମଇଲମ ଓ ମେକାପ ସର୍ବାଙ୍ଗ ସରି ଠାକୁରଙ୍କ ବେଶ ଆରମ୍ଭ ହେବ । ଦୋଳମଣ୍ଡପ ସାହିଆଙ୍କ ପକ୍ଷରୁ ପ୍ରଳମ୍ବାସୁର ଓ ରାମ କୃଷ୍ଣଙ୍କ ଚରିତ୍ର ବାହାରି ଠାକୁରଙ୍କ ନୀତିରେ ସାମିଲ ହେବେ ।
ରାତ୍ର କାଳରେ ବଡ଼ଦେଉଳରେ ଠାକୁରଙ୍କ ସନ୍ଧ୍ୟାଧୂପ ପରେ ଏହି ସବୁ ନୀତି ପାଳନ ହେବ । ରତ୍ନସିଂହାସନରେ ଶ୍ରୀବଳଭଦ୍ର ପ୍ରଳମ୍ବାସୁରକୁ ବଧ କରିବା ବେଶରେ ଶୋଭା ପାଇବେ। କାଷ୍ଠ, ବେତ , କଳା କନା , ଧଳା କନା ଓ ନୀଳ କନାରେ ୪ ଫୁଟର ଏକ ବିରାଟକାୟ କାଷ୍ଠ ନିର୍ମିତ ପ୍ରଳମ୍ବାସୁର ମୂର୍ତ୍ତିକୁ ରତ୍ନ ସିଂହାସନସ୍ଥ ବଳଭଦ୍ରଙ୍କ ନିମ୍ନ ଭାଗରେ ସଜ୍ଜିତ କରାଯାଏ । ପ୍ରଳମ୍ବାସୁର ବଧ ବେଶରେ ପ୍ରଭୁ ଶ୍ରୀଜଗନ୍ନାଥ ଓ ଦେବୀ ସୁଭଦ୍ର ସାଧାରଣ ବେଶରେ ବିରାଜମାନ କରିଥିବାବେଳେ ଅସୁରର ସ୍କନ୍ଧ ଓ ଦୁଇ ଭୁଜରେ ପ୍ରଭୁ ବଳଭଦ୍ର ବସିଥିବା ଭଳି ଦୃଶ୍ୟ ହୁଏ । ଏହି ଦୃଶ୍ୟ ଦେଖିବା ପାଇଁ ଆଜି ପୁରୀରେ ପ୍ରବଳ ଭକ୍ତଙ୍କ ଗହଳି ଦେଖିବାକୁ ମିଳିଛି । ଏହି ବେଶ ଦର୍ଶନ କଲେ କୋଟି ଜନ୍ମର ପୁଣ୍ୟ ମିଳିଥାଏ ବୋଲି ବିଶ୍ବାସ ରହିଛି ।
ପୁରାଣନୁସାରେ , ଦ୍ବାପର ଯୁଗରେ ଯେତେବେଳେ ଭଗବାନ ଶ୍ରୀକୃଷ୍ଣ ବୃନ୍ଦାବନରେ ଗୋପାଳକ ମାନଙ୍କ ସହ ଖେଳୁଥିଲେ । ସେହି ସମୟରେ ଭଗବାନ ଶ୍ରୀକୃଷ୍ଣଙ୍କୁ ମାରିବା ପାଇଁ ପ୍ରଳମ୍ବାସୁର ନାମକ ଜଣେ ପ୍ରଚଣ୍ଡ ବଳର ଅଧିକାରୀ ଏକ ଦୈତ୍ୟକୁ କଂସ ପଠାଇଥିଲେ । ପ୍ରଳମ୍ବାସୁର ପ୍ରଭୁ ବଳଭଦ୍ରଙ୍କୁ ତଥା ଦ୍ୱାପର ଲୀଳା କ୍ରମରେ ବଳରାମଙ୍କୁ ଆକ୍ରମଣ କରି ଉପରକୁ ଟେକି ନେଇଯିବା ସମୟରେ ସ୍ବୟଂ ବଳଭଦ୍ର ମହାପ୍ରଭୁ ମୁଷ୍ଟିକା ଘାତ କରି ପ୍ରଳମ୍ବାସୁରକୁ ବିନାଶ କରିଥିଲେ । ମହାପ୍ରଭୁଙ୍କର ଦଶମୀ ତିଥିରେ ବନଭୋଜି ବେଶ ଓ ଗତକାଲି ଏକାଦଶୀ ତିଥିରେ କାଳୀୟଦଳନ ବେଶ ସରିବା ପରେ ଆଜି ଶ୍ରୀମନ୍ଦିରରେ ପ୍ରଳମ୍ବାସୁର ବଧ ବେଶ ଅନୁଷ୍ଠିତ ହେବ । ମହାପ୍ରଭୁଙ୍କ ମଧ୍ୟାହ୍ନ ଧୂପ ପରେ ଏହି ବେଶ ଅନୁଷ୍ଠିତ ହେବ ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।