ଆଜି ସୁନାବେଶ , ଅପରାହ୍ଣ ୫ଟାରୁ ଶ୍ରଦ୍ଧାଳୁ କରିବେ ଦର୍ଶନ

Jul 25, 2026 - 11:36
ଆଜି ସୁନାବେଶ , ଅପରାହ୍ଣ ୫ଟାରୁ ଶ୍ରଦ୍ଧାଳୁ କରିବେ ଦର୍ଶନ

ପୁରୀ : ଶ୍ରୀମନ୍ଦିର ସିଂହଦ୍ୱାର ଆଗରେ ପହଞ୍ଚିଛନ୍ତି ତିନିରଥ । ଆଜି ରଥ ଉପରେ ମହାପ୍ରଭୁଙ୍କ ସୁନାବେଶ । ମହଣ ମହଣ ସୂର୍ଣ୍ଣ ଅଳଙ୍କାରରେ ଝଟକିବେ ମହାବାହୁ । ବଡ଼ଦାଣ୍ଡରେ ରାଜାଧିରାଜ ରୂପରେ ଦର୍ଶନ ଦେବେ ଚତୁର୍ଦ୍ଧାମୂର୍ତ୍ତି । ବାହୁଡ଼ା ଯାତ୍ରା ପରେ ଆଜି ଶ୍ରୀକ୍ଷେତ୍ରରେ ଦେଖିବାକୁ ମିଳିବ ରଥଯାତ୍ରାର ଅନ୍ୟତମ ଦିବ୍ୟ ଓ ଅପୂର୍ବ ଦୃଶ୍ୟ ମହାପ୍ରଭୁଙ୍କ ସୁନାବେଶ ବା ରାଜାଧିରାଜ ବେଶ । ସିଂହଦ୍ୱାର ସମ୍ମୁଖରେ ତିନି ରଥ ଉପରେ ବିରାଜମାନ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର ଓ ଦେବୀ ସୁଭଦ୍ରା ସୁବର୍ଣ୍ଣ ଅଳଙ୍କାରରେ ବିଭୂଷିତ ହୋଇ ଲକ୍ଷଲକ୍ଷ ଭକ୍ତଙ୍କୁ ଦର୍ଶନ ଦେବେ । ଆଜି ରଥ ଉପରେ ଅପରାହ୍ଣ ୫ଟାରୁ ୬ଟା ୩୦ ଟା ମଧ୍ୟରେ ଶ୍ରୀଜିଉଙ୍କୁ ସୁନାବେଶରେ ସଜ୍ଜିତ କରାଯିବ । ରାତ୍ରି ୧୧ଟା ପର୍ଯ୍ୟନ୍ତ ଭକ୍ତ ମହାପ୍ରଭୁଙ୍କ ସୁନାବେଶ ଦର୍ଶନ କରିପାରିବେ ବୋଲି ଶ୍ରୀମନ୍ଦିର ପ୍ରଶାସନ ନିଷ୍ପତ୍ତି ନେଇଛି । ଆଷାଢ଼ ଶୁକ୍ଳ ଏକାଦଶୀରେ ଅନୁଷ୍ଠିତ ଏହି ଦିବ୍ୟ ବେଶକୁ ବଡ଼ତଢ଼ାଉ ବେଶ ବୋଲି ମଧ୍ୟ କୁହାଯାଏ ।

ସେପଟେ, ଶ୍ରୀଜିଉଙ୍କ ପବିତ୍ର ସୁନାବେଶ ଅବସରରେ ପୁରୀ ପୌରପାଳିକା ସମେତ ସହର ଉପଖଣ୍ଡରେ ଥିବା ସମସ୍ତ ଦେଶୀ, ବିଦେଶୀ, ବାର ଓ ଭାଙ୍ଗ ଦୋକାନ ସମ୍ପୂର୍ଣ୍ଣ ବନ୍ଦ ରହିବ ବୋଲି ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ନିର୍ଦ୍ଦେଶ ଜାରି କରିଛନ୍ତି । 

ଗତକାଲି ଶ୍ରୀଗୁଣ୍ଡିଚା ମନ୍ଦିରରେ ଆଡ଼ପ ଲୀଳା ଶେଷକରି ବାହୁଡିଛନ୍ତି ମହାପ୍ରଭୁ । ପ୍ରାୟ ୫ଲକ୍ଷ ଶ୍ରଦ୍ଧାଳୁ ବାହୁଡ଼ାଯାତ୍ରାରେ ସାମିଲ ହୋଇଛନ୍ତି । ରାତି ୧୧ଟା ପର୍ଯ୍ୟନ୍ତ ରଥଟଣା ଯାଇ କଡ଼ା ସୁରକ୍ଷା ବଳୟରେ ରଖାଯାଇଛି । ଶ୍ରଦ୍ଧାଳୁମାନେ ରଥାରୁଢ ଦାରୁବ୍ରହ୍ମଙ୍କୁ ଦର୍ଶନ କରୁଛନ୍ତି । 

ଅନ୍ୟପକ୍ଷରେ ବାହୁଡ଼ାଯାତ୍ରାରେ ଦଳାଚକଟା ହୋଇ ଜଣେ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ନାମ ଅବିରାମ ଦାସ (୫୭) ଏବଂ ଘର କଟକରେ ବୋଲି ସୂଚନା ମିଳିଛି । ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ଶ୍ରୀମନ୍ଦିର ଅଭିମୁଖେ ଯିବାବେଳେ ବଡ଼ଦାଣ୍ଡରେ ଜଣେ ଶ୍ରଦ୍ଧାଳୁ ଗହଳି ଭିତରେ ତଳେ ପଡ଼ି ଯାଇଥିଲେ । ତାଙ୍କ ଉପରେ କିଛି ଶ୍ରଦ୍ଧାଳୁ ଚଢିଯାଇଥିବା ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି । ଗୁରୁତର ଅବସ୍ଥାରେ ତାଙ୍କୁ ବଗଲା ଧର୍ମଶାଳା ନିକଟ ଆଶୁଚିକିତ୍ସା କେନ୍ଦ୍ର ନିଆଯାଇଥିଲା। ଅବସ୍ଥା ସଙ୍କଟାପନ୍ନ ହେବାରୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି। ଶବ ବ୍ୟବଚ୍ଛେଦ ରିପୋର୍ଟ ମିଳିବା ପରେ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହେବ ବୋଲି ଡାକ୍ତର କହିଛନ୍ତି । 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।