ଆଦିବାସୀ ନାବାଳିକାଙ୍କୁ ଗଣବଳାତ୍କାର: ପୀଡ଼ିତା ୪ ମାସର ଗର୍ଭବତୀ, ଓ୍ବାଚ୍ମ୍ୟାନ୍…
କେନ୍ଦ୍ରାପଡ଼ା,୯ା୯(ଜଗନ୍ନାଥ ଧଳ):କେନ୍ଦ୍ରାପଡ଼ା ଜିଲାର ଏକ ସରକାରୀ ଅନୁଦାନପ୍ରାପ୍ତ ଶିଶୁ ଯତ୍ନ ଅନୁଷ୍ଠାନ (ସିସିଆଇ)ରେ ଜଣେ ୧୬ ବର୍ଷୀୟା ଆଦିବାସୀ ନାବାଳିକାଙ୍କୁ ଗଣବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ଏ ଘଟଣାରେ କେନ୍ଦ୍ରାପଡ଼ା ସଦର ଥାନା ପୋଲିସ ମଙ୍ଗଳବାର ସିସିଆଇର ୱାଚ୍ମ୍ୟାନ୍ ଧୀରେନ୍ଦ୍ର କୁମାର ରାଉତ ଗିରଫ କରିଛି। ଏହାସହ ଘଟଣାରେ ସମ୍ପୃକ୍ତ ଉକ୍ତ ସିସିଆଇର ଜଣେ ୧୩ ବର୍ଷୀୟ ନାବାଳକ ଅନ୍ତେବାସୀଙ୍କୁ କେନ୍ଦ୍ରାପଡ଼ା ଜୁଭେନାଇଲ୍ ଜଷ୍ଟିସ୍ ବୋର୍ଡ(ଜେଜେବିି)ରେ ହାଜର କରାଯାଇ ଅନୁଗୋଳ ସୁଧାର ଗୃହକୁ ପଠାଯାଇଛି। ପୋଲିସ ସୂଚନା ଅନୁସାରେ, ପୀଡ଼ିତାଙ୍କ ଘର ଝାଡ଼ଖଣ୍ଡର ପଶ୍ଚିମ ସିଂହଭୂମ ଜିଲା ଚାଇଁବସା ଥାନା ଅଞ୍ଚଳରେ ହୋଇଥିବାବେଳେ ସେ ଏବେ ୪ ମାସର ଗର୍ଭବତୀ ଅଛନ୍ତି।
ନାବାଳିକାଙ୍କୁ ୨୦୨୩ ଜୁନ ୨୨ରେ କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ ତିନିମୁହାଣିରୁ ଚାଇଲ୍ଡଲାଇନ୍ ଉଦ୍ଧାର କରିଥିଲା। ପରେ ଜିଲା ଶିଶୁ ମଙ୍ଗଳ ସମିତି (ସିଡବ୍ଲ୍ୟୁସି) ତାଙ୍କୁ କେନ୍ଦ୍ରାପଡ଼ାର ଉକ୍ତ ସିସିଆଇରେ ରଖିଥିଲା। ସେଠାରେ ରହଣି ସମୟରେ ନାବାଳିକାଙ୍କୁ ଅଭିଯୁକ୍ତ ୱାଚ୍ମ୍ୟାନ ଏବଂ ଉକ୍ତ ସିସିଆଇରେ ରହୁଥିବା ଜଣେ ନାବାଳକ ଏକାଧିକ ଥର ଯୌନ ନିର୍ଯାତନା ଦେଇଥିବା ପୋଲିସ କହିଛି। ତେବେ ନାବାଳିକାଙ୍କ ଠିକଣା ମିଳିବା ପରେ ଦୁଇ ମାସ ତଳେ ତାଙ୍କୁ ଝାଡ଼ଖଣ୍ଡର ପଶ୍ଚିମ ସିଂହଭୂମ ଜିଲାସ୍ଥିତ ନିଜ ଘରକୁ ପଠାଯାଇଥିଲା ବୋଲି ଜିଲା ଶିଶୁ ସୁରକ୍ଷା ଅଧିକାରୀ ବିଜୟ କେତନ ସାହୁ ପ୍ରକାଶ କରିଛନ୍ତି। ତେବେ ଘରେ ତାଙ୍କର ଶାରୀରିକ ପରିବର୍ତ୍ତନ ଦେଖି ମା’ ସନ୍ଦେହ କରିଥିଲେ ଏବଂ ପଶ୍ଚିମ ସିଂହଭୂମ ସିଡବ୍ଲ୍ୟୁସିକୁ ଜଣାଇଥିଲେ। ଏହାପରେ ସମ୍ପୂର୍ଣ୍ଣ ଘଟଣା ପଦାକୁ ଆସିଥିଲା। ଘଟଣାର ତଦନ୍ତକାରୀ ଅଧିକାରୀ ପଦ୍ମାଳୟା ପ୍ରଧାନ କହିଛନ୍ତି, ଭାରତୀୟ ନ୍ୟାୟ ସଂହିତା (ବିଏନ୍ଏସ୍)ର ଦଫା ୭୦(୨) ଏବଂ ପୋକ୍ସୋ ଆକ୍ଟର ଧାରା ୪ ଓ ୬ ଅଧୀନରେ ୱାଚ୍ମ୍ୟାନ୍ ରାଉତଙ୍କୁ ଗିରଫ କରାଯାଇଛି। ଏନେଇ ସଦର ଥାନାରେ ୫୨୨/ ୨୬ନମ୍ବରରେ ଏକ ମାମଲା ରୁଜୁ କରାଯାଇ ଅଭିଯୁକ୍ତଙ୍କୁ କେନ୍ଦ୍ରାପଡ଼ା ଏସ୍ଡିଜେଏମ୍ କୋର୍ଟକୁ ଚାଲାଣ କରାଯାଇଥିଲା। କୋର୍ଟରେ ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ କେନ୍ଦ୍ରାପଡ଼ା ସବ୍ ଜେଲକୁ ପଠାଇ ଦିଆଯାଇଛି। ଘଟଣାକୁ ତଦନ୍ତ ଜାରି ରହିଛି ଏବଂ ଆଗାମୀ ଦିନରେ ଆହୁରି ଗିରଫଦାରି ହେବା ସମ୍ଭାବନା ରହିଛି। ଅପରପକ୍ଷରେ ଉକ୍ତ ସିସିଆଇ ବିରୋଧରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି ଏବଂ ସେଠାରେ ରହୁଥିବା ସମସ୍ତ ୮ଜଣ ଅନ୍ତେବାସୀଙ୍କୁ ଅନ୍ୟ ଏକ କେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଛି ବୋଲି କେନ୍ଦ୍ରାପଡ଼ା ସିଡବ୍ଲ୍ୟୁସି ଅଧ୍ୟକ୍ଷା ସ୍ବାଗତିକା ପାତ୍ର ସୂଚନା ଦେଇଛନ୍ତି।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।