ଇରାନକୁ ପୁଣି ଟ୍ରମ୍ପଙ୍କ ଖୋଲା ଧମକ, କହିଲେ..’ଆମେ ସମ୍ପୂର୍ଣ୍ଣ ପ୍ରସ୍ତୁତ, ଆବଶ୍ୟକ ପଡ଼ିଲେ ଆଜି ରାତିରେ…’
ଓ୍ବାଶିଂଟନ,୮।୭: ମଧ୍ୟପ୍ରାଚ୍ୟରେ ଆମେରିକା ଏବଂ ଇରାନ ମଧ୍ୟରେ ତିକ୍ତତା ଚରମ ସୀମାରେ ପହଞ୍ଚିଛି। ସାମୁଦ୍ରିକ ସୁରକ୍ଷା ବିପନ୍ନ ହେବା ଯୋଗୁ ହର୍ମୁଜ୍ ଷ୍ଟ୍ରେଟ୍ ରେ ଶତାଧିକ ଜାହାଜ ଫସି ରହିଥିବା ବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନକୁ ପୁଣି ଏକ ବଡ଼ ଧମକ ଦେଇଛନ୍ତି। ଇରାନ ବିରୋଧରେ କଠୋର ଆଭିମୁଖ୍ୟ ଗ୍ରହଣ କରି ଟ୍ରମ୍ପ ସଙ୍କେତ ଦେଇଛନ୍ତି ଯେ ଆମେରିକା ଖୁବ୍ଶୀଘ୍ର ନୂତନ ସାମରିକ ଆକ୍ରମଣ କରିପାରେ। ସମ୍ବାଦ ସରବରାହ ସଂସ୍ଥା ଏପିର ରିପୋର୍ଟ ଅନୁଯାୟୀ, ଆମେରିକା ଇରାନ ବିରୋଧରେ ଅଧିକ ଆକ୍ରମଣ ପାଇଁ ପ୍ରସ୍ତୁତ ହେଉଛି ଏବଂ ଆବଶ୍ୟକ ପଡ଼ିଲେ ଆଜି ହିଁ ପୁଣି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
ତୁର୍କୀର ରାଜଧାନୀ ଅଙ୍କାରାରେ ଚାଲିଥିବା ନାଟୋ (NATO) ସମ୍ମିଳନୀ ଅବସରରେ ଖବରଦାତାମାନଙ୍କ ସହ କଥାବାର୍ତ୍ତା ବେଳେ ଟ୍ରମ୍ପ କହିଛନ୍ତି, “ଗତକାଲି ରାତିରେ ଆମେ ସେମାନଙ୍କ ଉପରେ ଶକ୍ତ ପ୍ରହାର କରିଥିଲୁ ଏବଂ ସମ୍ଭବତଃ ଆଜି ରାତିରେ ମଧ୍ୟ ଆମେ ପୁଣି ଏକ ଜୋରଦାର ଆକ୍ରମଣ କରିବୁ।”
ଇରାନର ଆଭିମୁଖ୍ୟକୁ ସମାଲୋଚନା କରି ଟ୍ରମ୍ପ କହିଛନ୍ତି ଯେ ସେମାନେ ଅତି ଖରାପ ବ୍ୟବହାର କରୁଛନ୍ତି। ଆମେରିକା ନିଜର ସ୍ୱାର୍ଥ ଏବଂ ଆନ୍ତର୍ଜାତୀୟ ସାମୁଦ୍ରିକ ବାଣିଜ୍ୟ ପଥର ସୁରକ୍ଷା ପାଇଁ ଆବଶ୍ୟକ ପଦକ୍ଷେପ ନେବା ଜାରି ରଖିବ। ହର୍ମୁଜ୍ ଜଳଡମରୁମଧ୍ୟରେ ବାଣିଜ୍ୟିକ ଜାହାଜଗୁଡ଼ିକୁ ଟାର୍ଗେଟ୍ କରିବା ପାଇଁ ଇରାନ ଡ୍ରୋନ୍ ଏବଂ ମିସାଇଲ୍ ବ୍ୟବହାର କରିଥିବା ଆମେରିକା ରାଷ୍ଟ୍ରପତି ଅଭିଯୋଗ କରିଛନ୍ତି। ଏହି ଆକ୍ରମଣର ଜବାବରେ ହିଁ ଆମେରିକା ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି।
ଟ୍ରମ୍ପ ଆହୁରି ମଧ୍ୟ କହିଛନ୍ତି ଯେ, ଇରାନ ସହିତ ହୋଇଥିବା ମଧ୍ୟବର୍ତ୍ତୀକାଳୀନ ଚୁକ୍ତି ଏବେ ‘ଶେଷ’ ହୋଇଯାଇଛି। ଯୁଦ୍ଧବିରତି ସ୍ଥିତି ବିଷୟରେ ପଚରାଯିବାରୁ ସେ କହିଛନ୍ତି, “ମୋତେ ଲାଗୁଛି ଏହା ଶେଷ ହୋଇଯାଇଛି। ସେମାନଙ୍କ ସହ କଥାବାର୍ତ୍ତା କରିବା ସମୟ ନଷ୍ଟ କରିବା ସହ ସମାନ।” ତେବେ ଏହି ଆକ୍ରମଣର କିଛି ଘଣ୍ଟା ପୂର୍ବରୁ ହିଁ ଆମେରିକା ଇରାନ ଉପରେ ଏୟାରଷ୍ଟ୍ରାଇକ୍ କରିଥିଲା, ଯାହାକୁ ସେ ହର୍ମୁଜରେ ଟ୍ୟାଙ୍କରଗୁଡ଼ିକ ଉପରେ ହୋଇଥିବା ଇରାନୀ ଆକ୍ରମଣର ଜବାବ ବୋଲି କହିଛି।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।