ଉଠୁଛି ପଡୁଛି ସାରାଦେଶ: ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ବି ବରଗଡ଼ରେ ତୀବ୍ର ଆନ୍ଦୋଳନ

Oct 10, 2026 - 16:37
ଉଠୁଛି ପଡୁଛି ସାରାଦେଶ: ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ବି ବରଗଡ଼ରେ ତୀବ୍ର ଆନ୍ଦୋଳନ

ବରଗଡ଼,୧୦ା୧୦(ପ୍ରେମାନନ୍ଦ ଖମାରୀ): ଭୋଟ୍‌ ଚୋରି ଅଭିଯୋଗ ନେଇ ସାରାଦେଶ ଉଠୁଛି ଓ ପଡୁଛି। ଏଭଳି ଅଭିଯୋଗ ନେଇ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନଶ କୁମାରଙ୍କ ଇସ୍ତଫା ଦାବିରେ ଦେଶର ରାଜଧାନୀ ଦିଲ୍ଲୀରେ ଶନିବାର ଆନ୍ଦୋଳନ ତୀବ୍ର ହୋଇଛି। ବରଗଡ଼ ସହରରେ ମଧ୍ୟ ଏହାର ପ୍ରଭାବ ପରିଲକ୍ଷିତ ହୋଇଛି । ସ୍ଥାନୀୟ ‘ଗଣତନ୍ତ୍ର ଓ ସମ୍ବିଧାନ ସୁରକ୍ଷା ମିଳିତ ମଞ୍ଚ’ ପକ୍ଷରୁ ସହରରେ ବିକ୍ଷୋଭ ଶୋଭାଯାତ୍ରା ଓ ପ୍ରତିବାଦ ସଭା ହୋଇଥିଲା। ବରଗଡ଼ ଗାନ୍ଧୀଛକରେ ବିଭିନ୍ନ ଅନୁଷ୍ଠାନର ଶତାଧିକ ଗଣତନ୍ତ୍ରପ୍ରେମୀ ଏକଜୁଟ୍‌ ହୋଇଥିଲେ। ମହାତ୍ମା ଗାନ୍ଧୀ, ବି. ଆର୍‌ ଆମ୍ବେଡକର ଏବଂ ଶହୀଦ ଭଗତ ସିଂଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ବିକ୍ଷୋଭ ଶୋଭାଯାତ୍ରାରେ ବାହାରି ଥିଲେ। ସମସ୍ତେ ହାତରେ ପ୍ଲାକାର୍ଡ ଧରି ଭୋଟ ଚୋରି, ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଏବଂ ଗଣତନ୍ତ୍ର ଓ ସମ୍ବିଧାନର ସୁରକ୍ଷା ନେଇ ନାରାବାଜି ସହିତ ସହର ପରିକ୍ରମା କରିଥିଲେ। ପରେ ଗାନ୍ଧୀଛକରେ ଏକ ପ୍ରତିବାଦ ସଭା ହୋଇଥିଲା। ସଭାରେ ମଞ୍ଚର ନେତୃବୃନ୍ଦ ଉଦ୍‌ବୋଧନ ଦେଇ କହିଥିଲେ, ଭୋଟ୍‌ ଚୋରି କରି ଗଣତନ୍ତ୍ର ଓ ସମ୍ବିଧାନକୁ ହତ୍ୟା କରାଯାଉଛି। ଏଭଳି ସ୍ଥିତିରେ କେନ୍ଦ୍ରର ମୋଦି ସରକାର ସମ୍ପୃକ୍ତ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା କଥା। ମାତ୍ର କାର୍ଯ୍ୟାନୁଷ୍ଠାନ ବଦଳରେ ସରକାର ତାଙ୍କୁ ସୁରକ୍ଷା ଯୋଗାଇ ଦେଇ ଆସୁଥିବାବେଳେ ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବି କରୁଥିବା ଯୁବକ, ସାମାଜିକ କର୍ମୀଙ୍କ ଉପରେ ସରକାର ଜୁଲମ ଚଳାଇ ଆସୁଥିବା ସଭାରେ ଅଭିଯୋଗ ହୋଇଥିଲା। ଏଭଳି ସ୍ଥିତିରେ ସମସ୍ତ ଦେଶବାସୀ ଏକଜୁଟ୍‌ ହୋଇ ଗଣତନ୍ତ୍ର ଓ ସମ୍ବିଧାନର ସୁରକ୍ଷା ପାଇଁ ଆଗେଇ ଆସିବାକୁ ସଭାରେ ଆହ୍ବାନ କରାଯାଇଥିଲା।

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।