ଏବେ କିଣିନିଅନ୍ତୁ ସୁନା, ବଢିବ ସୁନାଦର; ଏକ୍ସପର୍ଟ କହିଦେଲେ କେବେ…

Sep 04, 2026 - 20:21
ଏବେ କିଣିନିଅନ୍ତୁ ସୁନା, ବଢିବ ସୁନାଦର; ଏକ୍ସପର୍ଟ କହିଦେଲେ କେବେ…

ନୂଆଦିଲ୍ଲୀ,୪।୯: ପାର୍ୱଣ ଏବଂ ବିବାହ ଋତୁ ପାଇଁ ପ୍ରସ୍ତୁତି ଚଳାଇଥିବା ଲୋକଙ୍କ ନିମନ୍ତେ ସେପ୍ଟେମ୍ୱର ମାସଟି ବେଶ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହୋଇପାରେ। ସମ୍ପ୍ରତି ସୁନା ଦରରେ କିଛିଟା ଉତ୍ଥାନ-ପତନ ଦେଖିବାକୁ ମିଳିଥିଲେ ମଧ୍ୟ ଏହାକୁ ଦର ବୃଦ୍ଧିର ଅନ୍ତ ବୋଲି ଭାବିବା ଉଚିତ ନୁହେଁ ବୋଲି ବଜାର ବିଶେଷଜ୍ଞମାନେ ମତ ଦେଇଛନ୍ତି। ଆଗାମୀ ଦିନରେ ସୁନା ଦରରେ ପୁଣି ଥରେ ନୂଆ ଲମ୍ଫ ଦେଖିବାକୁ ମିଳିପାରେ। ଅନ୍ତର୍ଜାତୀୟ ବଜାରରେ ସେପ୍ଟେମ୍ୱର ୪ ତାରିଖରେ ହାଜିରା ସୁନା (ସ୍ପଟ ଗୋଲ୍ଡ) ପ୍ରାୟ ୪,୫୨୮.୫୪ ଡଲାର ପ୍ରତି ଆଉନ୍ସରେ କାରବାର ହେଉଥିବା ଦେଖାଯାଇଛି। ସେହିପରି ଘରୋଇ ଫ୍ୟୁଚର୍ସ ବଜାର ଅର୍ଥାତ ଏମସିଏକ୍ସ (MCX)ରେ ଅକ୍ଟୋବର ଡେଲିଭରି ଥିବା ସୁନା ପ୍ରତି ୧୦ ଗ୍ରାମ ପ୍ରାୟ ୧,୫୫,୩୪୪ ଟଙ୍କା ପାଖାପାଖି ରହିଛି। ଆମେରିକୀୟ ଅର୍ଥନୈତିକ ତଥ୍ୟ ଏବଂ ମୁନାଫା ଅସୁଲି (ପ୍ରଫିଟ ବୁକିଂ) କାରଣରୁ ବଜାରରେ ମଝିରେ ମଝିରେ ସାମାନ୍ୟ ନରମ ଭାବ ପରିଲକ୍ଷିତ ହେଉଛି।

ଘରୋଇ ଫ୍ୟୁଚର୍ସ ବଜାରରେ ଗତ ଦୁଇ ଦିନ ଧରି ଲାଗିରହିଥିବା ଦର ବୃଦ୍ଧିରେ ଶୁକ୍ରବାର ବ୍ରେକ ଲାଗିଛି। ନିବେଶକମାନଙ୍କ ଦ୍ୱାରା ହୋଇଥିବା ପ୍ରଫିଟ ବୁକିଂ ଏବଂ ଆମେରିକାର ଚାକିରି ସମ୍ୱନ୍ଧୀୟ ଗୁରୁତ୍ୱପୂର୍ଣ୍ଣ ରିପୋର୍ଟ ପୂର୍ୱରୁ ସତର୍କତା କାରଣରୁ ସୁନା ମୂଲ୍ୟରେ ହ୍ରାସ ଘଟିଛି। ମଲ୍ଟି କମୋଡିଟି ଏକ୍ସଚେଞ୍ଜ (MCX)ରେ ଅକ୍ଟୋବର ଡେଲିଭରି ଥିବା ସୁନା ୪୩୧ ଟଙ୍କା ଅର୍ଥାତ ୦.୨୮ ପ୍ରତିଶତ ହ୍ରାସ ପାଇ ପ୍ରତି ୧୦ ଗ୍ରାମ ପିଛା ୧,୫୫,୩୪୪ ଟଙ୍କାରେ ପହଞ୍ଚିଛି।

ବ୍ୟବସାୟୀମାନଙ୍କ କହିବାନୁଯାୟୀ, ନିକଟରେ ହୋଇଥିବା ଦର ବୃଦ୍ଧି ପରେ ଉଚ୍ଚ ସ୍ତରରେ ପ୍ରଫିଟ ବୁକ କରିବାକୁ ଟ୍ରେଡର୍ସମାନେ ଉଚିତ ମନେ କରିଛନ୍ତି। ଏହା ବ୍ୟତୀତ ନିବେଶକମାନେ ଆଜି ପ୍ରକାଶ ପାଇବାକୁ ଥିବା ଆମେରିକାର ‘ନନ-ଫାର୍ମ ପେରୋଲ’ ରିପୋର୍ଟକୁ ଅପେକ୍ଷା କରିଛନ୍ତି। ଏହି ତଥ୍ୟ ଆମେରିକାର କେନ୍ଦ୍ରୀୟ ବ୍ୟାଙ୍କ ‘ଫେଡେରାଲ ରିଜର୍ଭ’ର ଭବିଷ୍ୟତ ସୁଧହାର ଆଭିମୁଖ୍ୟକୁ ବୁଝିବା ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ ବୋଲି ଧରାଯାଉଛି।

ଅନ୍ତର୍ଜାତୀୟ ବଜାର କଥା କହିଲେ, ନ୍ୟୁୟର୍କସ୍ଥିତ କୋମେକ୍ସ (Comex)ରେ ଡିସେମ୍ୱର ଚୁକ୍ତି ଲାଗି ସୁନା ଫ୍ୟୁଚର୍ସ ଦର ସାମାନ୍ୟ ହ୍ରାସ ପାଇ ପ୍ରତି ଆଉନ୍ସ ୪,୫୨୮.୫୪ ଡଲାରକୁ ଖସିଆସିଛି।

ବ୍ରୋକରେଜ ପ୍ଲାଟଫର୍ମ ‘ଲେମନ’ (Lemonn)ର ରିସର୍ଚ୍ଚ ହେଡ ଗୌରବ ଗର୍ଗଙ୍କ ମତରେ, ବଜାରରେ ଏବେ ସମସ୍ତଙ୍କ ନଜର ଆମେରିକାର ନନ-ଫାର୍ମ ପେରୋଲ ରିପୋର୍ଟ ଉପରେ ରହିଛି। ଆଗାମୀ ଦିନରେ ଆମେରିକୀୟ ଡଲାର, ଟ୍ରେଜେରୀ ୟିଲ୍ଡ ଏବଂ ମୂଲ୍ୟବାନ ଧାତୁର ଗତିପଥ କେଉଁ ଦିଗକୁ ଯିବ, ତାହା ଏହି ରିପୋର୍ଟ ହିଁ ର୍ନିଦ୍ଧାରଣ କରିବ।

ଏଲକେପି ସିକ୍ୟୁରିଟିଜ୍ର ଉପ-ସଭାପତି ତଥା ଗବେଷଣା ବିଶ୍ଳେଷକ ଯତୀନ ତ୍ରିବେଦୀଙ୍କ ଅନୁସାରେ, ସୁନାର ବୈଷୟିକ (ଟେକ୍ନିକାଲ) ଟ୍ରେଣ୍ଡ ଏବେ ବି ମଜଭୁତ ତଥା ସକାରାତ୍ମକ ରହିଛି। ତାଙ୍କ କହିବା କଥା, ଏମସିଏକ୍ସରେ ୧,୫୫,୦୦୦ ରୁ ୧,୫୫,୨୦୦ ଟଙ୍କାର ସ୍ତର ସୁନା କିଣିବା ପାଇଁ ଏକ ଭଲ ସୁଯୋଗ ହୋଇପାରେ। ସେ ୧,୫୩,୪୦୦ ଟଙ୍କାର ଷ୍ଟପ-ଲସ ରଖି ପ୍ରତି ୧୦ ଗ୍ରାମ ପିଛା ୧,୫୭,୨୦୦ ଟଙ୍କା ପର୍ଯ୍ୟନ୍ତ ଟାର୍ଗେଟ ସ୍ଥିର କରିଛନ୍ତି। ଅର୍ଥାତ୍ ଦର କମିବା ବେଳେ ପର୍ଯ୍ୟାୟକ୍ରମେ ସୁନା କିଣାଯାଇପାରେ।

ସୁନା ମୂଲ୍ୟ ଉପରେ ବିଭିନ୍ନ ବିଶ୍ୱସ୍ତରୀୟ କାରଣର ପ୍ରଭାବ ରହିଛି। ଆମେରିକୀୟ ଫେଡେରାଲ ରିଜର୍ଭର ସୁଧହାର ନୀତି, ଡଲାରର ଚଳନ ଏବଂ ବିଶ୍ୱସ୍ତରୀୟ ଉତ୍ତେଜନା କାରଣରୁ ନିରାପଦ ନିବେଶ ଭାବେ ସୁନାର ଚାହିଦା ବଜାୟ ରହିଛି। ସୁଧହାରରେ ସମ୍ଭାବ୍ୟ ହ୍ରାସ ଆଶା ସୁନା ଦରକୁ ଆହୁରି ବଳ ଯୋଗାଇପାରେ।

ବିଭିନ୍ନ ସହରର ସରାଫା ବଜାରରେ ମେକିଂ ଚାର୍ଜ ଏବଂ ଟ୍ୟାକ୍ସ ଯୋଗୁଁ ଖୁଚୁରା ଦର ଭିନ୍ନ ଭିନ୍ନ ହୋଇପାରେ। ବିଶେଷଜ୍ଞମାନଙ୍କ କହିବା ଅନୁସାରେ, ହଠାତ କୌଣସି ବଡ଼ ଧରଣର ଦର ବୃଦ୍ଧିକୁ ଅପେକ୍ଷା ନ କରି କିସ୍ତି ଆକାରରେ ଅଳ୍ପ ଅଳ୍ପ କରି କିଣିବା ଏକ ଉତ୍ତମ ରଣନୀତି। ଯଦି ଘରେ ବିବାହ ବା ଅନ୍ୟ କୌଣସି ଉତ୍ସବ ଅଛି, ତେବେ ଏକକାଳୀନ ଅଧିକ କିଣିବା ବଦଳରେ ବଜେଟ ଅନୁସାରେ ଧୀରେ ଧୀରେ ସୁନା କିଣିବା ଅଧିକ ନିରାପଦ ରହିବ।


ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।