ଏମ୍ଏମ୍ଡିଆର୍ ସଂଶୋଧିତ ଆଇନ ବିରୋଧରେ ତେଜୁଛି ଅସନ୍ତୋଷ: ରାସ୍ତାକୁ ଓହ୍ଲାଇଲେ ବିରୋଧୀ
ଭୁବନେଶ୍ବର: ଏମ୍ଏମ୍ଡିଆର୍ ସଂଶୋଧିତ ଆଇନକୁ ନେଇ ଏବେ ରାଜ୍ୟ ଉଠୁଛି ପଡ଼ୁଛି। ଏହି ଆଇନ ଦ୍ବାରା ଓଡ଼ିଶା ଆର୍ଥିକ ଦୃଷ୍ଟିରୁ ଭୀଷଣ କ୍ଷତିଗ୍ରସ୍ତ ହେବ ବୋଲି ବିରୋଧୀ ରାଜନୈତିକ ଦଳ ସମେତ ବିଶେଷଜ୍ଞମାନେ ଆକଳନ କରୁଛନ୍ତି। ଏହି ପ୍ରସଙ୍ଗରେ କେନ୍ଦ୍ର ଓ ରାଜ୍ୟର ବିଜେପି ସରକାରଙ୍କୁ ଚାରିପଟୁ ଆକ୍ରମଣ କରିବାକୁ ବିରୋଧୀ ଦଳ ରାସ୍ତାକୁ ଓହ୍ଲାଇଛନ୍ତି। ପ୍ରତିଦିନ ବିଭିନ୍ନ ସ୍ଥାନରେ ନାଗରିକ ସଙ୍ଗଠନ ଏହା ଉପରେ ଆଲୋଚନାଚକ୍ର ଆୟୋଜନ କରି ପ୍ରତିବାଦ ଜଣାଉଛନ୍ତି। ଅନ୍ୟପଟେ ସଂଶୋଧିତ ଆଇନ ସପକ୍ଷରେ ବୁଦ୍ଧିଜୀବୀ ଓ ବିଶେଷଜ୍ଞମାନେ ବାହାରୁ ନାହାନ୍ତି। କେବଳ ସରକାରଙ୍କ ପକ୍ଷରୁ ବିଜେପି ନେତାମାନେ ସେମାନଙ୍କ ପକ୍ଷ ରଖୁଛନ୍ତି। କିନ୍ତୁ ତାହାର ପ୍ରଭାବ ସାଧାରଣରେ ପଡ଼ୁ ନାହିଁ। ଫଳରେ ସରକାର ଏହି ପ୍ରସଙ୍ଗରେ ବ୍ୟାକ୍ ଫୁଟ୍ରେ ରହୁଛନ୍ତି। ବିରୋଧୀଙ୍କ ଅଭିଯୋଗ ଅନୁଯାୟୀ ଏମ୍ଏମ୍ଡିଆର୍ ସଂଶୋଧିତ ଆଇନ ଓଡ଼ିଶାର ସ୍ବାର୍ଥ ବିରୋଧୀ। ଏହି ଆଇନ ଯୋଗୁଁ ଓଡ଼ିଶାର ପ୍ରାପ୍ୟ ବକେୟା ବାବଦକୁ ୧ ଲକ୍ଷ କୋଟି ଟଙ୍କା ଓ ବାର୍ଷିକ ରାଜସ୍ବ ବାବଦକୁ ପ୍ରାୟ ୧୨ ହଜାର କୋଟି ହରାଇବ। ଏକତରଫା ଭାବେ କେନ୍ଦ୍ର ସରକାରଙ୍କ ଦ୍ବାରା ନିଆଯାଇଥିବା ଏହି ନିଷ୍ପତ୍ତି ସଂଘୀୟ ବ୍ୟବସ୍ଥା ଉପରେ ଆକ୍ରମଣ। ଓଡ଼ିଶା ସର୍ବାଧିକ କ୍ଷତିଗ୍ରସ୍ତ ହେଉଥିଲେ ବି ଏଠାରେ ବିଜେପି ସରକାର ଥିବାରୁ କେନ୍ଦ୍ର ନିଷ୍ପତ୍ତିକୁ ମାନିଯାଉଛନ୍ତି ବୋଲି ଆରୋପ ଲଗାଯାଇଛି। ‘ଓଡ଼ିଆ ଅସ୍ମିତା’ ନାରା ଦେଇ ବିଜେପି ଶାସନକୁ ଆସିଥିବାରୁ ସେହି ନାରାରେ ବିଜେପିକୁ ସବୁ ଦଳ ଆକ୍ରମଣ ଜାରି ରଖିଛନ୍ତି। ଲଗାତାର ଭାବେ ବିରୋଧୀ ଦଳଗୁଡ଼ିକ ସାମ୍ବାଦିକ ସମ୍ମିଳନୀରେ ଏହାର ପ୍ରତିବାଦ କଲା ପରେ ଏବେ ଆନ୍ଦୋଳନ ଆରମ୍ଭ କରିଛନ୍ତି। ଆଗକୁ ବିଧାନସଭା ଅଧିବେଶନ ଆସୁଥିବାରୁ ଆନ୍ଦୋଳନ ଆହୁରି ତୀବ୍ର ହେବ ବୋଲି ସଙ୍କେତ ମିଳିଛି।
ରାଜ୍ୟବ୍ୟାପୀ ଆନ୍ଦୋଳନ କରିବାକୁ ରଣହୁଙ୍କାର
ନାଗରିକ ସମାଜର ସ୍ବର ବି ଶାଣିତ ହେଉଛି
‘ଇଣ୍ଡି’ ମେଣ୍ଟ ପକ୍ଷରୁ ରାଜ୍ୟସ୍ତରୀୟ ମିଳିତ ଗଣସମାବେଶ ଆଜି ଭୁବନେଶ୍ବରରେ ଅନୁଷ୍ଠିତ ହୋଇଛି। ଆସନ୍ତା ୨୯ ତାରିଖରେ ଇଣ୍ଡି ମେଣ୍ଟ ବିଧାନସଭା ଘେରାଉ କରିବ। ଏହା ପରେ ଓଡ଼ିଶା ବନ୍ଦ ଡାକରା ଦେବାର ଯୋଜନା ରହିଛି। ମେଣ୍ଟ ପକ୍ଷରୁ ରାଜ୍ୟର ବିଭିନ୍ନ ସ୍ଥାନରେ ଆନ୍ଦୋଳନ ପାଇଁ ସଜବାଜ ଚାଲିଛି। ସେହିପରି ଓଡ଼ିଶା ଜନତା କଂଗ୍ରେସ ପକ୍ଷରୁ ଆଜି ଚଣ୍ଡିଖୋଲରେ ଆର୍ଥିକ ଅବରୋଧ କରାଯାଇଛି।
ବିଜେଡି ଆସନ୍ତାକାଲି ଲୋକଭବନ ସମ୍ମୁଖରେ ଧାରଣା ଦେବ। ଏହି ଆଇନକୁ ପ୍ରତ୍ୟାହାର ଦାବିରେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ରାଜ୍ୟପାଳଙ୍କୁ ସ୍ମାରକପତ୍ର ଦିଆଯିବ। ଏହା ପରେ ଦଳ ପକ୍ଷରୁ ରାଜ୍ୟବ୍ୟାପୀ ଆନ୍ଦୋଳନାତ୍ମକ କାର୍ଯ୍ୟକ୍ରମ ହାତକୁ ନିଆଯିବ। ଏହି ପ୍ରସଙ୍ଗରେ ବିଧାନସଭାର ସ୍ବତନ୍ତ୍ର ଅଧିବେଶନ ଡାକିବାକୁ ବିଜେଡି ଏବେ ବି ଅଟଳ ରହିଛି।
‘ଆଇନ ରଦ୍ଦ ନ ହେବା ପର୍ଯ୍ୟନ୍ତ ଜାରି ରହିବ ଆନ୍ଦୋଳନ’
ଭୁବନେଶ୍ବର: ଏମ୍ଏମ୍ଡିଆର୍ ସଂଶୋଧନ ଆଇନ ରଦ୍ଦ କରିବା ଦାବିରେ ଆଜି ‘ଇଣ୍ଡି’ ମେଣ୍ଟ ପକ୍ଷରୁ ରାଜ୍ୟସ୍ତରୀୟ ମିଳିତ ଗଣସମାବେଶ ଅନୁଷ୍ଠିତ ହୋଇଛି। ସଂଶୋଧିତ ଆଇନକୁ ‘ଓଡ଼ିଶା ଲୁଣ୍ଠନ ପାଇଁ ମୋଦୀଙ୍କ ନକ୍ସା’ ବୋଲି ଉପସ୍ଥିତ ନେତୃମଣ୍ଡଳୀ ମତ ଦେଇଥିଲେ। ଏହାସହ ଆସନ୍ତା ୨୯ ତାରିଖରେ ବିଧାନସଭା ଘେରାଉ ପାଇଁ ନିଷ୍ପତ୍ତି ହୋଇଛି। ପରେ ଓଡ଼ିଶା ବନ୍ଦ ଓ ଆନ୍ଦୋଳନକୁ ଆହୁରି ତୀବ୍ରତର କରାଯିବ ବୋଲି ଘୋଷଣା ହୋଇଛି।
ଏହି ଗଣସମାବେଶକୁ ଏକ ସଭାପତିମଣ୍ଡଳୀ ପରିଚାଳନା କରିଥିଲେ। ଏଥିରେ ପିସିସି ସଭାପତି ଭକ୍ତଚରଣ ଦାସ, ସିପିଆଇର ପୂର୍ବତନ ରାଜ୍ୟ ସମ୍ପାଦକ ଆଶିଷ କାନୁନଗୋ, ସିପିଆଇଏମ୍ର ପୂର୍ବତନ ରାଜ୍ୟ ସମ୍ପାଦକ ଅଳି କିଶୋର ପଟ୍ଟନାୟକ, ସିପିଆଇଏମ୍ଏଲ୍ର ତିରୁପତି ଗମାଙ୍ଗୋ, ଅଲ୍ ଇଣ୍ଡିଆ ଫରୱାର୍ଡ ବ୍ଲକ୍ର କମଳା ସାହୁ, ସମାଜବାଦୀ ପାର୍ଟିର ରାଜ୍ୟ ନେତା ଶିବ ହାତୀ ଯାଦବ, ଆରଜେଡିର ହେମନ୍ତ କୁମାର ଓ ଏନ୍ସିପିର ବିକ୍ରମ ସ୍ୱାଇଁ ପ୍ରମୁଖ ରହିଥିଲେ। ବରିଷ୍ଠ କଂଗ୍ରେସ ନେତା ପଞ୍ଚାନନ କାନୁନଗୋ ଭିତ୍ତିପତ୍ର ଉପସ୍ଥାପନ କରିଥିଲେ। ସିପିଆଇ ଓଡ଼ିଶା ରାଜ୍ୟ ସମ୍ପାଦକ ପ୍ରଶାନ୍ତ କୁମାର ମିଶ୍ର ଓ ପିସିସି ସଭାପତି ଶ୍ରୀ ଦାସ ଆଗାମୀ ଆନ୍ଦୋଳନର କାର୍ଯ୍ୟସୂଚୀ ସମ୍ପର୍କିତ ପ୍ରସ୍ତାବ ଉପସ୍ଥାପନ କରିଥିଲେ। ଆସନ୍ତା ୧୮ରେ ସୁନ୍ଦରଗଡ଼, ୨୧ରେ ରାୟଗଡ଼ା, ୨୪ରେ କେନ୍ଦୁଝର ଓ ୨୬ରେ ଅନୁଗୁଳରେ ଆଞ୍ଚଳିକ ସମାବେଶ ଆୟୋଜିତ ହେବ।
ଓଡ଼ିଶା ଲୁଣ୍ଠନର ମୋଦୀ ‘ନକ୍ସା’ ବିରୋଧରେ ‘ଇଣ୍ଡି’ ମେଣ୍ଟର ଗର୍ଜନ
୨୯ରେ ବିଧାନସଭା ଘେରାଉ, ପରବର୍ତ୍ତୀ ସମୟରେ ଓଡ଼ିଶା ବନ୍ଦ
ଅତିଥିମାନେ କହିଥିଲେ ଯେ ଓଡ଼ିଶା ସମେତ ୧୫ରୁ ଅଧିକ ରାଜ୍ୟର ଖଣି, ଜମି, ଜଳ, ଜଙ୍ଗଲ, ଘରବାଡ଼ି ଓ ଜୀବିକାକୁ ଦୁର୍ବଳ କରିବା ଉଦ୍ଦେଶ୍ୟରେ ଏହି ସଂଶୋଧିତ ଆଇନ ଅଣାଯାଇଛି। ଏହା ସୁପ୍ରିମ୍କୋର୍ଟର ସମ୍ବିଧାନ ବେଞ୍ଚର ରାୟକୁ ନିଷ୍ଫଳ ସହ ଦେଶର ସଂଘୀୟ ବ୍ୟବସ୍ଥାରେ ରାଜ୍ୟଗୁଡ଼ିକର କ୍ଷମତା ଓ ଅଧିକାରକୁ ସଙ୍କୁଚିତ କରିବ। ସେହିପରି ରାଜ୍ୟରେ ଭୁଲ୍ ପାଠ୍ୟପୁସ୍ତକ ପ୍ରକାଶନ ପାଇଁ ଗଣଶିକ୍ଷା ମନ୍ତ୍ରୀ ଇସ୍ତଫା ଦିଅନ୍ତୁ। ସ୍କୁଲ ଓ କଲେଜର ଶିକ୍ଷକ, କର୍ମଚାରୀଙ୍କ ଦାବି ପୂରଣ ଓ ରାଜ୍ୟର ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପରିସ୍ଥିତିକୁ ନିୟନ୍ତ୍ରଣ କରିବା ଲାଗି ମଧ୍ୟ ଦାବି ହୋଇଥିଲା। ଏହି ସମାବେଶରେ ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ଜୟଦେବ ଜେନା, କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ୍, ସିପିଆଇଏମ୍ ରାଜ୍ୟ ସମ୍ପାଦକ ସୁରେଶ ପାଣିଗ୍ରାହୀ, ସିପିଆଇଏମ୍ଏଲ୍ର ରାଜ୍ୟ ସମ୍ପାଦକ ଯୁଧିଷ୍ଠିର ମହାପାତ୍ର, ଫରୱାର୍ଡ ବ୍ଲକ୍ର ରାଜ୍ୟ ସାଧାରଣ ସମ୍ପାଦକ ଜ୍ୟୋତିରଞ୍ଜନ ମହାପାତ୍ର, ସିପିଆଇର ଜାତୀୟ ସମ୍ପାଦକ ରାମକୃଷ୍ଣ ପଣ୍ଡା, ସମାଜବାଦୀ ପାର୍ଟିର ରାଜ୍ୟ ସମ୍ପାଦକ ପ୍ରତାପ ବାରିକ, ଆରଜେଡି ନେତ୍ରୀ ସୌଦାମିନୀ ସାମନ୍ତରାୟ, ସିପିଆଇର ରାଜ୍ୟ ସହ ସମ୍ପାଦକ ଜୟନ୍ତ ଦାସ, ସିପିଆଇଏମ୍ ନେତ୍ରୀ ପୁଷ୍ପା ଦାଶ ଓ ସିପିଆଇଏମ୍ଏଲ୍ ନେତା ରାଧାକାନ୍ତ ସେଠୀଙ୍କ ସମେତ ବହୁ ନେତା ଉଦ୍ବୋଧନ ଦେଇଥିଲେ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।