ଏଲ୍-ନିନୋ ପ୍ରଭାବ, ଅକ୍ଟୋବରରୁ ଡିସେମ୍ବର ଯାଏ ବଢ଼ିବ ତାପମାତ୍ରା
ନୂଆଦିଲ୍ଲୀ,୯।୧୦: ବିଶ୍ୱବ୍ୟାପୀ ପାଣିପାଗ ବିଶେଷଜ୍ଞମାନେ ଏଲ୍ ନିନୋର ପ୍ରଭାବ ବୃଦ୍ଧିକୁ ନେଇ ଚେତାବନୀ ଦେଇଛନ୍ତି । ଅକ୍ଟୋବରରୁ ଡିସେମ୍ବର ଯାଏଁ ଏଲ୍-ନିନୋ କାରଣରୁ ତାପମାତ୍ରା ପ୍ରାୟ ୩.୭ ଡିଗ୍ରୀ ସେଲସିୟସ ଅଧିକ ବୃଦ୍ଧି ପାଇବ ବୋଲି ପୂର୍ବାନୁମାନ କରାଯାଇଛି। ଏଲ୍ ନିନୋ କେନ୍ଦ୍ରବିନ୍ଦୁ ଥିବା ମଧ୍ୟ ଏବଂ ପୂର୍ବ କ୍ରାନ୍ତୀୟ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ସମୁଦ୍ର ପୃଷ୍ଠର ତାପମାତ୍ରା ଅକ୍ଟୋବରରୁ ଡିସେମ୍ବର ମଧ୍ୟରେ ସ୍ବାଭାବିକଠାରୁ ରେକର୍ଡ ୩.୭ ଡିଗ୍ରୀ ସେଲସିୟସ ପର୍ଯ୍ୟନ୍ତ ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି। ପାଣିପାଗ ବିଶେଷଜ୍ଞ ଲିଅନ ସିମନ୍ସ ଏହି ପାଣିପାଗ ପରିବର୍ତ୍ତନକୁ ଏକ ‘ସୁପର-ଡୁପର ଏଲ୍ ନିନୋ’ ବୋଲି କହିଛନ୍ତି । ଚଳିତ ବର୍ଷର ଏହି ପାଣିପାଗ ପରିବର୍ତ୍ତନ ୧୯୫୦ ମସିହା ପରଠାରୁ ଦେଖାଯାଇଥିବା ସବୁଠାରୁ ଶକ୍ତିଶାଳୀ ଘଟଣାଗୁଡ଼ିକ ମଧ୍ୟରୁ ଅନ୍ୟତମ ହୋଇପାରେ ବୋଲି ଜାତିସଂଘ କହିଛି। ଜାତିସଂଘର ପାଣିପାଗ ଏବଂ ଜଳବାୟୁ ସଂସ୍ଥା ବିଶ୍ୱ ପାଣିପାଗ ସଂଗଠନ(ଡବ୍ଲ୍ୟୁଏମ୍ଓ) କହିଛି, ଏଲ୍-ନିନୋ ମାନବ ସୃଷ୍ଟ ଜଳବାୟୁ ପରିବର୍ତ୍ତନର ପ୍ରଭାବକୁ ଆହୁରି ବଢ଼ାଇଦେବ। ପ୍ରଶାନ୍ତ ମହାସାଗରରୁ ବିପୁଳ ପରିମାଣରେ ଉତ୍ତାପ ବାହାରିବା କାରଣରୁ ପୃଥିବୀର ଏକ ବୃହତ ଅଂଶରେ ଅସ୍ବାଭାବିକ ଗରମ ଅନୁଭୂତ ହେବ। ଆମେରିକାକୁ ବାଦ୍ ଦେଇ ସବୁଠି ତାପମାତ୍ରା ବୃଦ୍ଧି ପାଇବା ସହିତ ଏଲ୍-ନିନୋ ଶୀତଦିନେ ମଧ୍ୟ ଏହାର ‘ସର୍ବୋଚ୍ଚ ଶକ୍ତି’ ବଜାୟ ରଖିବ। ଫେବୃଆରୀ ୨୦୨୭ ପର୍ଯ୍ୟନ୍ତ ଏଲ୍-ନିନୋ ଜାରି ରହିବ ବୋଲି ଡବ୍ଲ୍ୟୁଏମ୍ଓର ଆକଳନ କରିଛି। ଜଳବାୟୁ ବିଜ୍ଞାନୀ ଜେକ୍ ହାଉସଫାଦର୍ କହିଛନ୍ତି, ଚଳିତ ବର୍ଷର ଏଲ୍ ନିନୋ ଏକ ଅଜଣା ପରିସ୍ଥିତି ଆଡ଼କୁ ମାଡ଼ିଚାଲିଛି। ୨୦୨୬ ଶେଷ ମାସଗୁଡ଼ିକରେ ବିଶ୍ୱର ବୃହତ୍ ଅଂଶରେ ସମୁଦ୍ର ପୃଷ୍ଠର ତାପମାତ୍ରା ସ୍ବାଭାବିକଠାରୁ ଅଧିକ ହେବାର ସମ୍ଭାବନା ଅଛି। ଚିକାଗୋ ବିଶ୍ୱବିଦ୍ୟାଳୟର କ୍ଲାଇମେଟ ଇମ୍ପାକ୍ଟ ଲାବୋରଟୋରୀର ଗବେଷକମାନେ ଗତ ମାସରେ ପୂର୍ବାନୁମାନ କରିଥିଲେ ଯେ, ଚଳିତ ବର୍ଷର ଏହି ‘ସୁପର-ଏଲ ନିନୋ’ କାରଣରୁ ଜୁନ ରୁ ଫେବୃଆରୀ ୨୦୨୭ ମଧ୍ୟରେ ବିଶ୍ୱବ୍ୟାପୀ ପ୍ରାୟ ୪,୫୧,୦୦୦ ଅତିରିକ୍ତ ମୃତ୍ୟୁ ଘଟିପାରେ।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।