ଓଡିଶାରୁ ବିଦାୟ ନେଲେ ପୂର୍ବତନ ରାଜ୍ୟପାଳ ଡ଼. ହରିବାବୁ କମ୍ଭମପାଟି
ଭୁବନେଶ୍ୱର : ଓଡ଼ିଶାର ବିଦାୟୀ ରାଜ୍ୟପାଳ ଡ. ହରିବାବୁ କମ୍ଭମପାଟି ଓଡ଼ିଶାରୁ ଆନୁଷ୍ଠାନିକ ଭାବେ ବିଦାୟ ନେଇଛନ୍ତି । ଆଜି ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଦାୟୀ ହରିବାବୁ କମ୍ଭମପାଟିଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଜଣାଇଛନ୍ତି । ଏହି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଓଡ଼ିଶାର ବିକାଶ ପାଇଁ ତାଙ୍କର ମାର୍ଗଦର୍ଶନ ସର୍ବଦା ଅବିସ୍ମରଣୀୟ ହୋଇ ରହିବ । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ କମ୍ଭମପାଟିଙ୍କ ନିରାମୟ ତଥା ମଙ୍ଗଳମୟ ଜୀବନ କାମନା କରିଛନ୍ତି ।
ବିଦାୟୀ ରାଜ୍ୟପାଳଙ୍କୁ ଅକ୍ଟୋବର ୧୫ରେ ଲୋକଭବନ ଏବଂ ରାଜଭବନଠାରେ ତାଙ୍କୁ ଭାବପୂର୍ଣ୍ଣ ବିଦାୟକାଳୀନ ସମ୍ବର୍ଦ୍ଧନା ଦିଆଯାଇଥିଲା । ଲୋକସେବା ଭବନର ନୂତନ ଅଭିଷେକ ହଲ୍ଠାରେ ଆୟୋଜିତ ଏହି ସ୍ୱତନ୍ତ୍ର ଉତ୍ସବରେ ରାଜ୍ୟପାଳଙ୍କ ସହ ପ୍ରଥମ ମହିଳା ଶ୍ରୀମତୀ ଜୟଶ୍ରୀ କମ୍ଭମପାଟୀ ମଧ୍ୟ ଉପସ୍ଥିତ ଥିଲେ । ଏହି ଅବସରରେ ଲୋକସେବା ଭବନର ବରିଷ୍ଠ ଅଧିକାରୀ ଓ କର୍ମଚାରୀମାନେ ରାଜ୍ୟପାଳଙ୍କ କାର୍ଯ୍ୟକାଳକୁ ମନେ ପକାଇ କୃତଜ୍ଞତା ଜଣାଇବା ସହ ତାଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି ।
ରାଜ୍ୟପାଳ ଡକ୍ଟର କମ୍ଭମପାଟୀ ନିଜର ପ୍ରାୟ ୧ ବର୍ଷ ୯ ମାସର କାର୍ଯ୍ୟକାଳ ମଧ୍ୟରେ ସମସ୍ତଙ୍କଠାରୁ ପାଇଥିବା ଅକୁଣ୍ଠ ସହଯୋଗ ଓ ସମନ୍ୱୟ ପାଇଁ ଧନ୍ୟବାଦ ଜଣାଇଛନ୍ତି । ଓଡ଼ିଶାରେ ବିତାଇଥିବା ପ୍ରତ୍ୟେକଟି ମୁହୂର୍ତ୍ତ ତାଙ୍କ ଜୀବନର ଏକ ‘ଅଭୁଲା ସ୍ମୃତି’ ହୋଇ ରହିବ ଏବଂ ଏହା ତାଙ୍କ ହୃଦୟରେ ସଦାସର୍ବଦା ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିବ ବୋଲି ସେ ଆବେଗଭରା କଣ୍ଠରେ ପ୍ରକାଶ କରିଛନ୍ତି ।
ସୂଚନାନୁସାରେ,ନିକଟରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଦ୍ୱାରା ହୋଇଥିବା ରାଜ୍ୟପାଳ ଅଦଳବଦଳ ପ୍ରକ୍ରିୟାରେ ଝାଡ଼ଖଣ୍ଡର ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ସାଂସଦ ଡକ୍ଟର ବ୍ରଜମୋହନ ରାମଙ୍କୁ ଓଡ଼ିଶାର ନୂଆ ରାଜ୍ୟପାଳ ଭାବେ ନିଯୁକ୍ତ କରାଯାଇଛି । ସେ ଆସନ୍ତା ଅକ୍ଟୋବର ୧୮ ତାରିଖରେ ଓଡ଼ିଶାର ନୂତନ ରାଜ୍ୟପାଳ ଭାବେ ଶପଥ ଗ୍ରହଣ କରିବେ ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।