ପ୍ରସୂତିଙ୍କୂ ମିଳିଲାନି ଆମ୍ବୁଲାନ୍ସ ସେବା: ଅଧାବାଟରେ ଚାଲିଗଲା ଜୀବନ
କେନ୍ଦ୍ରାପଡ଼ା,୨୪।୯(ଜଗନ୍ନାଥ ଧଳ): ଆମ୍ବୁଲାନ୍ସ ସେବା ନ ପାଇ କେନ୍ଦ୍ରାପଡ଼ା ବ୍ଲକ ଇନ୍ଦୁପୁର ସିଏଚ୍ସି ଅଧୀନ ନିକିରାଇ ଥାନା ଅନ୍ତର୍ଗତ ପୂର୍ବ ନିକିରାଇ ଗ୍ରାମରେ ଗୁରୁବାର ଜଣେ ପ୍ରସୂତୀଙ୍କ ମୃତ୍ୟୁ ଘଟିଛି। ଗ୍ରାମର ସନ୍ତୋଷ କୁମାର ଜେନାଙ୍କ ଗର୍ଭବତୀ ସ୍ତ୍ରୀ ସବିତା ସ୍ବାଇଁ ପ୍ରସବ ବେଦନାରେ ଛଟପଟ ହୋଇ ଜୀବନ ଚାଲିଯାଇଛି।
ମିଳିଥିବା ସୂଚନା ମୁତାବକ, ସବିତାଙ୍କ ଗୁରୁବାର ସକାଳେ ଗର୍ଭବେଦନା ହୋଇଥିଲା । ଏନେଇ ପରିବାର ଲୋକେ 102 କୁ ଫୋନ କରିଥିଲେ ା ଏହି ସେବା ଉପଲବ୍ଧ ହୋଇ ନ ପାରିବାରୁ ବହୁ ବିଳମ୍ବରେ ଜିଲା ମୁଖ୍ୟ ଚିକିତ୍ସାଳୟରୁ ଏକ 108 ଆମ୍ବୁଲାନ୍ସ ପ୍ରସୂତିଙ୍କୁ ଆଣିବାକୁ ଯାଇଥିଲା। ଜିଲା ମୁଖ୍ୟ ଚିକିତ୍ସାଳୟକୁ ଆସିବା ବାଟରେ ପ୍ରସୂତିଙ୍କ ମୃତ୍ୟୁ ଘଟିଥିବା ଡାକ୍ତର ଘୋଷଣା କରିଥିଲେ।
ଖବର ପାଇ ନିକିରାଇ ଥାନା ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ପ୍ରସୂତିଙ୍କ ମୃତଦେହ ଜବତ କରି ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ଏହି ଘଟଣା ଜଣାପଡିବା ପରେ ଇନ୍ଦୁପୁର ସିଏଚ୍ସିରେ ଆମ୍ବୁଲାନ୍ସ ସେବାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି।
ଏହି ସମ୍ପର୍କରେ ସ୍ଥାନୀୟ ସାମାଜିକ କର୍ମୀ ଦେବାଶିଷ ସାମଲା, ଚନ୍ଦନ କୁମାର ସାହୁ, ପ୍ରକାଶ ଚନ୍ଦ୍ର ଜେନା ପ୍ରମୁଖ କହିଛନ୍ତି ଯେ, ଇନ୍ଦୁପୁର ସିଏଚସିରେ ଆମ୍ବୁଲାନ୍ସ ସେବା ପାଇଁ ବହୁବାର ପ୍ରଶାସନିକ ଅଧିକାରୀ ଓ ସ୍ବାସ୍ଥ୍ୟ ବିଭାଗ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି। ହେଲେ ଏହାର କୌଣସି ସମାଧାନ ହୋଇପାରି ନାହିଁ। ସ୍ବାସ୍ଥ୍ୟସେବା ନ ପାଇ ଜଣେ ପ୍ରସୂତିଙ୍କ ଘଟିଥିବା ଅଭିଯୋଗ ହୋଇଛି।
ଅନ୍ୟପକ୍ଷେ ମୃତ ପ୍ରସୂତିଙ୍କ ଘର ସିଏଚ୍ସିରୁ ମାତ୍ର ୧ କିଲୋମିଟର ଦୂର ହୋଇଥିବା ବେଳେ ଜିଲା ମୁଖ୍ୟ ଚିକିତ୍ସାଳୟ ପ୍ରାୟ ୨୦ କିଲୋମିଟର ଦୂର। ସିଏଚସିରେ ପ୍ରସବକାଳୀନ ସମସ୍ତ ବ୍ୟବସ୍ଥା ଥିବା ସତ୍ତ୍ୱେ ଆମ୍ବୁଲନ୍ସ ସେବା ନ ଥିବାରୁ ସବିତାଙ୍କ ପରି ବହୁ ମହିଳା ଚିକିତ୍ସା ସେବା ପାଇପାରୁ ନ ଥିବା ଅଞ୍ଚଳବାସୀ କ୍ଷୋଭ ପ୍ରକାଶ କରିଛନ୍ତି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।