କାଗଜ ବିହୀନ ହେବ ଜମି ରେଜିଷ୍ଟ୍ରେସନ - ମନ୍ତ୍ରୀ
ଭୁବନେଶ୍ୱର : କାଗଜବିହୀନ ହେବ ଜମି ପଞ୍ଜୀକରଣ ବ୍ୟବସ୍ଥା । ପଞ୍ଜୀକରଣ ନିୟମରେ ସଂଶୋଧନ ଏବଂ ଡିଜିଟାଲ ବ୍ୟବସ୍ଥା ଲାଗୁ କରିବାକୁ ଯାଉଛନ୍ତି ରାଜ୍ୟ ସରକାର । ଏଥିରେ ଦଲିଲ୍ ଦସ୍ତାବିଜ୍କୁ ମାତ୍ର ଚାରି ପୃଷ୍ଠା ମଧ୍ୟରେ ସୀମିତ ରଖିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ଗୁରୁବାର ରାଜ୍ୟ ସରକାର ପଞ୍ଜୀକରଣ ବ୍ୟବସ୍ଥାର ସମ୍ପୂର୍ଣ୍ଣ ଡିଜିଟାଲାଇଜେସନ୍ ଦିଗରେ ଆଉ ଏକ ପଦକ୍ଷେପ ନେଇଛନ୍ତି । ଏହି ପ୍ରସ୍ତାବିତ ସଂଶୋଧନ ସଂକ୍ରାନ୍ତ ବିଲ୍ ଆଗାମୀ ମୌସୁମି ଅଧିବେଶନରେ ବିଧାନସଭାରେ ଉପସ୍ଥାପନ ହୋଇପାରେ ବୋଲି ସୂଚନା ମିଳିଛି ।
କାଗଜବିହୀନ ଜମି ପଞ୍ଜୀକରଣ ବ୍ୟବସ୍ଥା ପ୍ରଚଳନ ପାଇଁ ପଞ୍ଜୀକରଣ ଆଇନ ୧୯୦୮ରେ ଆବଶ୍ୟକ ସଂଶୋଧନ ପ୍ରସ୍ତାବ ସମ୍ପର୍କରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନଠାରେ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି ।
ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି, ପଞ୍ଜୀକରଣ ବ୍ୟବସ୍ଥାକୁ ଅଧିକ ପାରଦର୍ଶୀ, ସରଳ, ଦ୍ରୁତ ଓ ନାଗରିକକୈନ୍ଦ୍ରିକ କରିବା ରାଜ୍ୟ ସରକାରଙ୍କ ପ୍ରମୁଖ ଲକ୍ଷ୍ୟ। କାଗଜବିହୀନ ଜମି ପଞ୍ଜୀକରଣ ବ୍ୟବସ୍ଥା ମାଧ୍ୟମରେ ନାଗରିକମାନେ ଅଧିକ ସୁବିଧାରେ ଜମି ପଞ୍ଜୀକରଣ ସେବା ପାଇପାରିବେ। ଭୂ-ରେକର୍ଡ ଓ ପଞ୍ଜୀକରଣ ରେକର୍ଡର ଡିଜିଟାଲ୍ ସମନ୍ୱୟ ଦ୍ୱାରା ସେବା ପ୍ରଦାନରେ ଦକ୍ଷତା ଓ ସ୍ୱଚ୍ଛତା ବୃଦ୍ଧି ପାଇବ। ଏଥିପାଇଁ ଆଇନରେ ବିଦ୍ୟମାନ ୮ଟି ଧାରାରେ ସଂଶୋଧନ ସହ ୯ଟି ନୂତନ ଧାରା ଯୋଡ଼ିବାର ପ୍ରସ୍ତାବ ରହିଛି। ଏହା ଅଧୀନରେ ଇଲେକ୍ଟ୍ରୋନିକ୍ ବହି, ଇଲେକ୍ଟ୍ରୋନିକ୍ ଦସ୍ତଖତ ଏବଂ ଇଲେକ୍ଟ୍ରୋନିକ୍ ସିଲ୍କୁ ଆଇନଗତ ସ୍ୱୀକୃତି ଦିଆଯିବ।
ପଞ୍ଜିକୃତ ଜମିର ଇଲେକ୍ଟ୍ରୋନିକ୍ ସଂରକ୍ଷଣ ଏବଂ ଇଲେକ୍ଟ୍ରୋନିକ୍ ପ୍ରତିଲିପି ତଥା ରେକର୍ଡକୁ ଆଇନଗତ ମାନ୍ୟତା ଦେବାର ବ୍ୟବସ୍ଥା ରହିଛି । ପଞ୍ଜୀକରଣ ପାଇଁ ଦଲିଲର ଇଲେକ୍ଟ୍ରୋନିକ୍ ଉପସ୍ଥାପନା, ନିର୍ଦିଷ୍ଟ ମାମଲାରେ ଇଲେକ୍ଟ୍ରୋନିକ୍ ଉପସ୍ଥିତି ଓ ତଦନ୍ତର ମଧ୍ୟ ବ୍ୟବସ୍ଥା କରାଯିବ।
ଏହି ବ୍ୟବସ୍ଥା ଲାଗୁ ହେଲେ ଆଉ ପଞ୍ଜୀକରଣ କାର୍ଯ୍ୟାଳୟରେ ପୁଳାପୁଳା କାଗଜପତ୍ର ଓ ଦସ୍ତାବିଜ ଧରି ଲୋକଙ୍କୁ ଦୀର୍ଘ ସମୟ ଧରି ଧାଡ଼ିରେ ଛିଡ଼ା ହେବାକୁ ପଡ଼ିବ ନାହିଁ । ପ୍ରସ୍ତାବିତ ବ୍ୟବସ୍ଥାରେ ନାଗରିକମାନେ ଅନଲାଇନ ମାଧ୍ୟମରେ ଦସ୍ତାବିଜ ଦାଖଲ କରିପାରିବେ ଓ ନିର୍ଦିଷ୍ଟ କ୍ଷେତ୍ରରେ ଇଲେକ୍ଟ୍ରୋନିକ ଉପସ୍ଥିତି (ଇ-ଆପିଏରାନ୍ସ) ତଥା ଇଲେକ୍ଟ୍ରୋନିକ ଯାଞ୍ଚର ସୁବିଧା ପାଇବେ। ପ୍ରତ୍ୟେକ ସମ୍ପତ୍ତିକୁ ଏକ ସ୍ୱତନ୍ତ୍ର ପରିଚୟ ସଂଖ୍ୟା ବା ‘ୟୁନିକ୍ ପ୍ରପର୍ଟି ଆଇଡେଣ୍ଟିଫିକେସନ ନମ୍ବର’ (ୟୁପିଆଇଏନ) କିମ୍ବା ସରକାରୀ ଜମି ରେକର୍ଡ ସହ ଯୋଡ଼ାଯିବ। ପରିଚୟ ଯାଞ୍ଚ କ୍ଷେତ୍ରରେ ନାଗରିକଙ୍କ ସମ୍ମତିକ୍ରମେ ଆଧାର ପ୍ରମାଣୀକରଣ କରାଯାଇପାରିବ, କିନ୍ତୁ ଆଧାରକୁ ବାଧ୍ୟତାମୂଳକ କରାଯାଇନାହିଁ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।