କାଲି ଗଞ୍ଜାମ-ଗଜପତି ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ବନ୍ୟା ପ୍ରଭାବିତ ଅଞ୍ଚଳକୁ ଆକାଶମାର୍ଗରୁ….
ଭୁବନେଶ୍ୱର/ଛତ୍ରପୁର, ୨୯।୧୦(ସୁନିତ୍ ମିଶ୍ର/ଦିଲ୍ଲୀପ ସାମଲ): ସ୍ପେଶାଲ ରିଲିଫ କମିଶନର(ଏସ୍ଆର୍ସି)ଙ୍କ କାର୍ଯ୍ୟାଳୟସ୍ଥିତ ରାଜ୍ୟ ଜରୁରିକାଳୀନ ନିୟନ୍ତ୍ରଣ କକ୍ଷଠାରେ ଗୁରୁବାର ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ବାତ୍ୟା ଅର୍ଣ୍ଣବକୁ ନେଇ ଏକ ଜରୁରିକାଳୀନ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ମୁଖ୍ୟ ଶାସନ ସଚିବ, ଉନ୍ନୟନ ସଚିବ, ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ସଚିବ, ଜଳ ସମ୍ପଦ ବିଭାଗ ସଚିବ, ଏସ୍ଆର୍ସି ପ୍ରମୁଖ ଉପସ୍ଥିତ ଥିଲେ। ଅତ୍ୟଧିକ ବାଦଲ ଫଟା ବର୍ଷା ଯୋଗୁ ହଠାତ୍ ଆସିଥିବା ବନ୍ୟା କାରଣରୁ ଗଞ୍ଜାମ ଏବଂ ଗଜପତି ଜିଲାରେ ପରିସ୍ଥିତି ଗମ୍ଭୀର ଥିବା ସତ୍ତ୍ୱେ ପ୍ରଭାବିତ ଜନସାଧାରଣଙ୍କ ପାଖରେ ପ୍ରଶାସନ ପହଞ୍ଚି ସମସ୍ତ ପ୍ରକାର ସେବା ଓ ସହାୟତା ସୁନିଶ୍ଚିତ କରିବା ନିମନ୍ତେ ରାଜସ୍ବ ମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି। ଦିନତମାମ ମନ୍ତ୍ରୀ କଣ୍ଟ୍ରୋଲ ରୁମ୍ ଭିତରୁ ଆଭାସୀ ଜରିଆରେ ସମସ୍ତ ଉଦ୍ଧାର କାର୍ଯ୍ୟର ପ୍ରତ୍ୟକ୍ଷ ଭାବେ ତଦାରଖ କରିଛନ୍ତି। ଶୁକ୍ରବାର ମୁଖ୍ୟମନ୍ତ୍ରୀ ଏବଂ ରାଜସ୍ବ ମନ୍ତ୍ରୀ ଆକଶମାର୍ଗରୁ ପ୍ରଭାବିତ ଅଞ୍ଚଳର ସ୍ଥିତି ସମୀକ୍ଷା କରିବେ। ଗଞ୍ଜାମ, ଗଜପତି ଅଞ୍ଚଳର ପ୍ରଭାବିତ ଅଞ୍ଚଳର କ୍ଷୟକ୍ଷତି ଏବଂ ସ୍ଥିତି ସମ୍ପର୍କରେ ଉଭୟେ ସମୀକ୍ଷା କରିବେ ବୋଲି ସୂଚନା ମିଳିଛି।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।