ହାତୀମୁଣ୍ଡା-ତାମାଙ୍ଗି ରାସ୍ତାରେ ଭୂସ୍ଖଳନ, ଯାତାୟାତ ବାଧାପ୍ରାପ୍ତ; ସ୍ଥିତି ପରଖିଲା…

Oct 29, 2026 - 19:59
ହାତୀମୁଣ୍ଡା-ତାମାଙ୍ଗି ରାସ୍ତାରେ ଭୂସ୍ଖଳନ, ଯାତାୟାତ ବାଧାପ୍ରାପ୍ତ; ସ୍ଥିତି ପରଖିଲା…

ଦାରିଙ୍ଗବାଡ଼ି, ୨୯।୧୦ (ଅରୁଣ ସାହୁ): ବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବରେ କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକର ବିଭିନ୍ନ ଦୁର୍ଗମ ଅଞ୍ଚଳ ପ୍ରଭାବିତ ହୋଇଛି। ପ୍ରବଳ ବର୍ଷା ଯୋଗୁ ହାତୀମୁଣ୍ଡା ପଞ୍ଚାୟତ ମୁଖ୍ୟାଳୟରୁ ତାମାଙ୍ଗି ଦେଇ ପ୍ରସିଦ୍ଧ ତୀର୍ଥକ୍ଷେତ୍ର ଋଷିମାଳ ପର୍ବତକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାରେ ଭୂସ୍ଖଳନ ଘଟି ଯାତାୟାତ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଥିଲା।

ଖବର ପାଇ ଦାରିଙ୍ଗବାଡ଼ି ବିଡ଼ିଓ ପ୍ରୀତିରଞ୍ଜନ ରଥ ଏବଂ ତହସିଲଦାର ଧୀରଜ ପାତ୍ର ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ। ପ୍ରଶାସନ ପକ୍ଷରୁ ଜେସିବି (JCB) ମେସିନ୍ ସାହାଯ୍ୟରେ ରାସ୍ତା ଉପରେ ପଡ଼ିଥିବା ମାଟି ଅତଡ଼ା ଓ ବଡ଼ ବଡ଼ ପଥରଗୁଡ଼ିକୁ ସଫା କରାଯାଇ ଯାତାୟାତ ସ୍ୱାଭାବିକ କରାଯାଇଛି।

ଏହାପରେ ବିଡ଼ିଓ ଓ ତହସିଲଦାର କୁମ୍ଭାରୀପଦର ଗାଁ ଗସ୍ତ କରିଥିଲେ। ସୂଚନାଯୋଗ୍ୟ ଯେ, ପୂର୍ବରୁ ୨୦୧୮ରେ ‘ତିତଲି’ ଏବଂ ୨୦୧୯ରେ ‘ଫନି’ ବାତ୍ୟା ସମୟରେ କୁମ୍ଭାରୀପଦର ଅଞ୍ଚଳରେ ବାରମ୍ବାର ଭୂସ୍ଖଳନ ଘଟିଥିଲା। ତେବେ ଚଳିତ ବାତ୍ୟାରେ ସେଠାରେ କୌଣସି କ୍ଷତି ହୋଇନଥିବା ନେଇ ବିଡ଼ିଓ ରଥ ଏବଂ ତାମାଙ୍ଗି ଗ୍ରାମର ବାବୁଲା ବଳିୟାରସିଂହ ସୂଚନା ଦେଇଛନ୍ତି।

ପରବର୍ତ୍ତୀ ସମୟରେ ବିଡ଼ିଓ ଏବଂ ତହସିଲଦାର ବ୍ରାହ୍ମଣୀଗାଁ ଥାନା ଅନ୍ତର୍ଗତ ସମସ୍ତ ୮ଟି ପଞ୍ଚାୟତ ଗସ୍ତ କରି ସ୍ଥିତି ପରଖିଛନ୍ତି। ବିଦ୍ୟାଳୟ ଗୃହ, ଅଙ୍ଗନୱାଡ଼ି କେନ୍ଦ୍ର ଓ ସମସ୍ତ ସରକାରୀ କାର୍ଯ୍ୟାଳୟ ନିରୀକ୍ଷଣ କରିବା ସହ ସାଧାରଣ ଲୋକଙ୍କୁ ଭେଟି ବାତ୍ୟା ଜନିତ କ୍ଷୟକ୍ଷତିର ତଦାରଖ କରିଛନ୍ତି।

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।