କେସିଙ୍ଗାର ଯୁବ ପ୍ରତିଭା, ସାମାଜିକ କର୍ମୀ ରମେଶ କୁମାର ଜେନାଙ୍କ ଅକାଳ ବିୟୋଗ: ଝୁରୁଛି ଗାଁ ମାଟି
କେସିଙ୍ଗା, ୭।୮ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ସହରର ୧୧ ନମ୍ବର ୱାର୍ଡର ଅନନ୍ତ ରାମ ଜେନାଙ୍କ ପୁତ୍ର ତଥା ସଜନୀ ଜେନାଙ୍କ ସୁପୁତ୍ର ରମେଶ କୁମାର ଜେନାଙ୍କ ଅକାଳ ବିୟୋଗ ଘଟିଛି। ସେ ୧୯୭୩ ମସିହାରେ ଜନ୍ମଗ୍ରହଣ କରିଥିଲେ। ସେ ଡିଗ୍ରୀ ହାସଲ କରିବା ସହ ଜାତୀୟ ସମର ଶିକ୍ଷା ବାହିନୀ (ଏନ୍ସିସି)ରେ ଯୋଗଦେଇ ବିଭିନ୍ନ ରାଜ୍ୟରେ ପୁରସ୍କୃତ ହୋଇଥିଲେ।
ତାଙ୍କ ବିୟୋଗ ଖବର ପ୍ରଚାରିତ ହେବା ପରେ କେସିଙ୍ଗା ଅଞ୍ଚଳର ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି। ସେ ଜିଲା ସମାଜ ମଙ୍ଗଳ ବିଭାଗରେ ଚାକିରି କରୁଥିଲେ। ଚାକିରି ଜୀବନ ସହ ସମାଜସେବା କ୍ଷେତ୍ରରେ ମଧ୍ୟ ସେ ନିଷ୍ଠାର ସହ କାର୍ଯ୍ୟ ତୁଲାଉଥିଲେ। ଜଣେ ସଂସ୍କୃତିପ୍ରେମୀ, ସାହିତ୍ୟିକ ଓ ସାମାଜିକ କର୍ମୀ ଭାବେ ସେ ସହରର ଅଧିକାଂଶ ଅନୁଷ୍ଠାନ ସହ ଜଡ଼ିତ ଥିଲେ।
କେସିଙ୍ଗା ସହରର ବିଭିନ୍ନ ସମସ୍ୟାକୁ ନେଇ ସେ ସାମାଜିକ ଗଣମାଧ୍ୟମରେ ନିଜର ମତାମତ ଓ ଦାବି ରଖୁଥିଲେ। ହଠାତ୍ ସେ କ୍ୟାନ୍ସରରେ ଆକ୍ରାନ୍ତ ହୋଇଥିଲେ। ଦୀର୍ଘ ୨ ବର୍ଷ ଧରି ଚିକିତ୍ସାଧୀନ ରହିବା ପରେ ଶୁକ୍ରବାର ତାଙ୍କର ମୃତ୍ୟୁ ଘଟିଥିଲା। କ୍ୟାନ୍ସର ସହ ଲଢ଼ି ବଞ୍ଚିବା ପାଇଁ ସଂଗ୍ରାମ କରୁଥିଲେ ମଧ୍ୟ ସେ ବିଭିନ୍ନ ସାମାଜିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ସାମାଜିକ ଗଣମାଧ୍ୟମରେ ସକ୍ରିୟ ରହୁଥିଲେ।
ବିଶେଷକରି ରମେଶ ଜେନା ‘ବୃନ୍ଦାବନ’ ସାଂସ୍କୃତିକ ଅନୁଷ୍ଠାନର ଜଣେ ସକ୍ରିୟ ସଦସ୍ୟ ଥିଲେ। ‘ବୁଢ଼ାଡଙ୍ଗର ଲୋକ ମହୋତ୍ସବ’ର ସ୍ମରଣିକା ଉନ୍ମୋଚନ ଭଳି କାର୍ଯ୍ୟକ୍ରମରେ ସେ ବେଶ୍ ସକ୍ରିୟ ଅଂଶଗ୍ରହଣ କରୁଥିଲେ। ସେହିପରି କେସିଙ୍ଗା ସିଟିଜନ ଫୋରମ୍ ଏବଂ ଜଗନ୍ନାଥ ମନ୍ଦିର ପରିଚାଳନା ଟ୍ରଷ୍ଟ ସହ ମଧ୍ୟ ସେ ଜଡ଼ିତ ଥିଲେ।
କେସିଙ୍ଗା ସିଟିଜନ ଫୋରମ୍ ତଥା ଜଗନ୍ନାଥ ମନ୍ଦିର ପରିଚାଳନା ଟ୍ରଷ୍ଟର ଅଧ୍ୟକ୍ଷ ଡା. ହେମସାଗର ସାହା କହିଛନ୍ତି ଯେ, ରମେଶଙ୍କ ମୃତ୍ୟୁ ତାଙ୍କ ସହ ଜଡ଼ିତ ଅନୁଷ୍ଠାନଗୁଡ଼ିକ ପାଇଁ ଏକ ଅପୂରଣୀୟ କ୍ଷତି। ସେ ବିଭିନ୍ନ ଅନୁଷ୍ଠାନରେ ସକ୍ରିୟ ସଦସ୍ୟ ଭାବେ କାର୍ଯ୍ୟ କରୁଥିଲେ। ସେ ‘ଚେତାବନୀ ସାହିତ୍ୟ ସଂସଦ’ର ପୂର୍ବତନ ସମ୍ପାଦକ ମଧ୍ୟ ଥିଲେ।
କେସିଙ୍ଗା ଅଞ୍ଚଳର ବିଭିନ୍ନ ସମସ୍ୟାକୁ ସେ ପ୍ରଶାସନିକ ସ୍ତରରେ ପହଞ୍ଚାଇବା ସହ ଗରିବ ଓ ଅସହାୟ ଲୋକଙ୍କୁ ସହାୟତା କରୁଥିଲେ। ତାଙ୍କ ଶବଦାହ ସମୟରେ ସହରର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ। ସେ ୧୧ ନମ୍ବର ୱାର୍ଡର କାଉନସିଲର ରମାକାନ୍ତ ଜେନାଙ୍କ ଭାଇ ଥିଲେ।
ତାଙ୍କ ଅକାଳ ବିୟୋଗରେ ଏନ୍ଏସି ଅଧ୍ୟକ୍ଷ ନୃପରାଜ ଯାଦବ, ଟାଉନ ବିଜେଡି ସଭାପତି ନଳୀନ ପଟ୍ଟନାୟକ, ବ୍ଲକ ଅଧ୍ୟକ୍ଷ ଚନ୍ଦନ ସେନାପତି, ଜର୍ଣ୍ଣାଲିଷ୍ଟ ଆସୋସିଏସନର କର୍ମକର୍ତ୍ତା ଓ ସଦସ୍ୟ, ସାମ୍ବାଦିକ ମହାସଂଘର ସଭାପତି ଓ କର୍ମକର୍ତ୍ତା, ମା’ ସରସ୍ୱତୀ ବିଦ୍ୟାମନ୍ଦିରର ସଭାପତି, କଂଗ୍ରେସ କାଉନସିଲର ରୋହିତ ଜୈନ, ପୂର୍ବତନ ନଗରପାଳ ରାମକୁମାର ଜୈନ, ପୂର୍ବତନ ଉପନଗରପାଳ ସୂର୍ଯ୍ୟକାନ୍ତ ଦାସ, ବିଶିଷ୍ଟ ଗାଳ୍ପିକ ତଥା ‘ଚେତାବନୀ ସାହିତ୍ୟ ସଂସଦ’ର ଯାଜ୍ଞସେନୀ ଦଳପତି, କବି ଯାଦବେନ୍ଦ୍ର ସାହା, ଉପସଭାପତି ରଞ୍ଜନ ପଣ୍ଡାଙ୍କ ସମେତ କାଉନସିଲରବୃନ୍ଦ ଶୋକବ୍ୟକ୍ତ କରିଛନ୍ତି।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।