କୋଟିଆ ଜଙ୍ଗଲରେ ଆନ୍ଧ୍ର ପୋଲିସର ଅଚାନକ ଚଢ଼ାଉ: ବିପୁଳ ରନ୍ଧା ମଦ ଓ ଗୁଡ଼ ଜବତ ପରେ ନଷ୍ଟ, ଖସିଗଲେ…
ପଟ୍ଟାଙ୍ଗି,୧୦ା୧୦(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ଅଧୀନ ବିବାଦୀୟ କୋଟିଆ ପଞ୍ଚାୟତର ଜଙ୍ଗଲରେ ପଡ଼ୋଶୀ ଆନ୍ଧ୍ର ପ୍ରଦେଶ ପୋଲିସ ପକ୍ଷରୁ ଅଚାନକ ଚଢ଼ାଉ କରାଯାଇଛି। ଆନ୍ଧ୍ର ପୋଲିସ ଏହି ଅଞ୍ଚଳରେ ଚାଲିଥିବା ବେଆଇନ ମଦ କାରବାର ଉପରେ ଚଢ଼ାଉ କରି ପ୍ରସ୍ତୁତ ହୋଇ ରହିଥିବା ବିପୁଳ ପରିମାଣର ରନ୍ଧା ମଦ ଜବତ କରିବା ସହ ସେଗୁଡ଼ିକୁ ନଷ୍ଟ କରିଦେଇଛି। ତେବେ ପୋଲିସର ଏହି ଚଢ଼ାଉ ସମ୍ପର୍କରେ ସୂଚନା ପାଇ ମଦ ରନ୍ଧାରେ ସମ୍ପୃକ୍ତ ଥିବା ବ୍ୟକ୍ତିମାନେ ଘଟଣାସ୍ଥଳରୁ ଖସି ପଳାଇବାରେ ସଫଳ ହୋଇଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, ଆନ୍ଧ୍ର ପ୍ରଦେଶରେ ଆଗାମୀ ପ୍ରାୟ ୨୦ ରୁ ୨୨ ଦିନ ପରେ ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ଏହାକୁ ଦୃଷ୍ଟିରେ ରଖି ପାର୍ବତୀପୁରମ୍ ମାନ୍ୟାମ୍ ଜିଲ୍ଲା ପୋଲିସ ଏସ୍.ପି. ଏସ୍.ଭି. ମାଧବ ରେଡ୍ଡୀଙ୍କ ନିର୍ଦ୍ଦେଶକ୍ରମେ ଏବଂ ଡି.ଏସ୍.ପି. ସି.ଏଚ୍.ଭି. ଶେଷୈୟାଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ସର୍ଚ୍ଚ ଅପରେସନ୍ ଟିମ୍ ଗଠନ କରାଯାଇଥିଲା। ଏହି ଟିମ୍ ନିଜ ରାଜ୍ୟ ସୀମା ସହ ଓଡ଼ିଶା ସୀମାନ୍ତ ଜଙ୍ଗଲରେ ଅପରେସନ୍ ଆରମ୍ଭ କରି ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରୁଥିବା ତଥା ବେଆଇନ କାର୍ଯ୍ୟରେ ଜଡ଼ିତ ବ୍ୟକ୍ତିମାନଙ୍କୁ ଚିହ୍ନଟ କରିବା ପାଇଁ ପଦକ୍ଷେପ ନେଉଛି।
ଏହି କ୍ରମରେ ଆନ୍ଧ୍ର ପୋଲିସ ଓଡ଼ିଶାର କୋଟିଆ ପଞ୍ଚାୟତ ଅନ୍ତର୍ଗତ ଉପର ସେମ୍ବି, ଧୁଳିପଦର ଓ ତଳ ସେମ୍ବି ସମେତ ବିଭିନ୍ନ ଗ୍ରାମର ପାହାଡ଼ ଓ ଜଙ୍ଗଲରେ ଲୁଚାଛପା ଭାବେ ଚାଲିଥିବା ଦେଶୀ ମଦ ଭାଟିଗୁଡ଼ିକରେ ଚଢ଼ାଉ କରିଥିଲା। ଚଢ଼ାଉ ସମୟରେ ପ୍ରାୟ ୨,୮୦୦ ଲିଟର ଗୁଡ଼ ପୋଚ ଏବଂ ୩ ଲିଟର ନାଟୁସାରା (ଦେଶୀ ମଦ) ଜବତ କରାଯାଇ ଘଟଣାସ୍ଥଳରେ ନଷ୍ଟ କରାଯାଇଛି। ଜବତ ହୋଇଥିବା ଏହି ସମସ୍ତ ସାମଗ୍ରୀ ଓ ଉପକରଣର ଆନୁମାନିକ ମୂଲ୍ୟ ପ୍ରାୟ ୧,୦୦,୦୦୦ ଟଙ୍କା ହେବ ବୋଲି ଅଧିକାରୀମାନେ ଆକଳନ କରିଛନ୍ତି। ଏହି ସର୍ଚ୍ଚ ଅପରେସନରେ ପ୍ରାୟ ୨୦ ଜଣ ପୋଲିସ ଅଧିକାରୀ ସାମିଲ ଥିଲେ।
ଡି.ଏସ୍.ପି. ସି.ଏଚ୍.ଭି. ଶେଷାୟା କହିଛନ୍ତି ଯେ ଘଟଣାସ୍ଥଳରୁ ଫେରାର ହୋଇଥିବା ବ୍ୟକ୍ତିମାନଙ୍କୁ ଶୀଘ୍ର ଚିହ୍ନଟ କରାଯାଇ ଗିରଫ କରାଯିବ। ଗ୍ରାମାଞ୍ଚଳରେ ନାଟୁସାର ଓ ବେଆଇନ ମଦ ଉତ୍ପାଦନ ତଥା ବିକ୍ରୟ ବିରୁଦ୍ଧରେ ପୋଲିସର ନଜର ରହିଛି ଏବଂ ଏଭଳି କାମରେ ସମ୍ପୃକ୍ତ ଲୋକଙ୍କ ବିରୁଦ୍ଧରେ ଦୃଢ଼ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଅନ୍ୟପକ୍ଷରେ, ଆନ୍ଧ୍ର ପ୍ରଦେଶ ପୋଲିସ ଅଧିକାରୀମାନେ ଓଡ଼ିଶା ସୀମା ଭ୍ତତରକୁ ପ୍ରବେଶ କରି ଏପରି ଚଢ଼ାଉ ଓ ଜବତ କାର୍ଯ୍ୟ କରିବା ଘଟଣା ଏବେ ଓଡ଼ିଶାର ଅବକାରୀ ବିଭାଗ ଏବଂ ସ୍ଥାନୀୟ ପୋଲିସର କାର୍ଯ୍ୟଦକ୍ଷତା ଓ ଦାୟିତ୍ୱକୁ ନେଇ ସାଧାରଣରେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।