କୋହଲି କ୍ରିକେଟର୍‌ ରୋନାଲ୍ଡୋ… କୋହଲିଙ୍କୁ ଜନ୍ମଦିନରେ ଛୁଟୁଛି ଶୁଭେଚ୍ଛାର ସୁଅ, ଜାଣନ୍ତୁ କିଏ କ’ଣ କହିଲେ

Nov 05, 2026 - 12:11
କୋହଲି କ୍ରିକେଟର୍‌ ରୋନାଲ୍ଡୋ… କୋହଲିଙ୍କୁ ଜନ୍ମଦିନରେ ଛୁଟୁଛି ଶୁଭେଚ୍ଛାର ସୁଅ, ଜାଣନ୍ତୁ କିଏ କ’ଣ କହିଲେ

ନୂଆଦିଲ୍ଲୀ,୫।୧୧: ଭାରତୀୟ କ୍ରିକେଟର ରନ ମେସିନ ତଥା ‘କିଙ୍ଗ କୋହଲି’ ବିରାଟ କୋହଲିଙ୍କ ଆଜି ଜନ୍ମଦିନ। ନଭେମ୍ବର ୫ରେ ତାଙ୍କୁ ନେଇ କ୍ରିକେଟ ଜଗତରେ ଉତ୍ସାହ ଦେଖିବାକୁ ମିଳୁଛି। ସେ ବିଶ୍ୱର ଅନ୍ୟତମ ଫିଟ ଆଥଲେଟ ଭାବେ ପରିଚିତ। ତାଙ୍କ ଫିଟ୍‌ନେସ ଓ ଖେଳ ପ୍ରତି ନିଷ୍ଠାକୁ ଅନେକ ସମୟରେ ଫୁଟବଲ ସୁପରଷ୍ଟାର୍‌ କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କ ସହ ତୁଳନା କରାଯାଏ।

କୋହଲିଙ୍କ ଜନ୍ମଦିନ ଅବସରରେ ଇଂଲଣ୍ଡର ପୂର୍ବତନ ଅଧିନାୟକ ମାଇକେଲ ଭନ ତାଙ୍କୁ ‘କ୍ରିକେଟ୍‌ର କ୍ରିଷ୍ଟିଆନୋ’ ବୋଲି କହିଛନ୍ତି। କେବଳ ଭନ ନୁହନ୍ତି, ଅନେକ ପୂର୍ବତନ କ୍ରିକେଟର୍‌ ମଧ୍ୟ କୋହଲିଙ୍କ ଖେଳ, ମାନସିକ ଦୃଢ଼ତା ଓ ଜିତିବାର ମନୋଭାବକୁ ପ୍ରଶଂସା କରିଛନ୍ତି।

କୋହଲିଙ୍କୁ ନେଇ କିଏ କ’ଣ କହିଲେ
ମହମ୍ମଦ କୈଫ:ପୂର୍ବତନ ଭାରତୀୟ କ୍ରିକେଟର୍‌ ମହମ୍ମଦ କୈଫ କହିଛନ୍ତି, କୋହଲିଙ୍କ ବିଷୟରେ ଏତେ ଚର୍ଚ୍ଚା ହେବାର କାରଣ ହେଉଛି ତାଙ୍କ ଖେଳ। ସେ କହିଛନ୍ତି, କୋହଲି କ୍ରିକେଟ ପ୍ରତି ଭୋକିଲା ଓ ଅତ୍ୟନ୍ତ ଉତ୍ସାହୀ। ପ୍ରତ୍ୟେକ ମ୍ୟାଚ ପରେ ମଧ୍ୟ ସେ ନିଜ ଖେଳରେ ସୁଧାର ଆଣିବା ପାଇଁ କାମ କରନ୍ତି ଏବଂ ପରବର୍ତ୍ତୀ ମ୍ୟାଚ୍‌ରେ ନୂଆ ପ୍ରସ୍ତୁତି ସହ ମଇଦାନକୁ ଓହ୍ଲାନ୍ତି।

ଦିନେଶ କାର୍ତ୍ତିକ: କୋହଲିଙ୍କୁ ‘କିଙ୍ଗ’ ବୋଲି ସମ୍ବୋଧନ କରି ଦିନେଶ କାର୍ତ୍ତିକ କହିଛନ୍ତି, ଭାରତ ପାଇଁ ସେ ଜଣେ ଅସାଧାରଣ ଖେଳାଳି ଏବଂ ଏହି ଉପାଧି ପାଇବାର ସେ ହକ୍‌ଦାର।

ମନୋଜ ତିୱାରୀ: କୋହଲିଙ୍କ ମାନସିକତାକୁ ସିଂହ ସହ ତୁଳନା କରିଛନ୍ତି ମନୋଜ ତିୱାରୀ। ତାଙ୍କ କହିବା ଅନୁଯାୟୀ, କୋହଲିଙ୍କ ମଧ୍ୟରେ ନିର୍ଭୀକତା, ଆତ୍ମବିଶ୍ୱାସ, ନେତୃତ୍ୱ ନେବାର ଦକ୍ଷତା, ସାହସ ଓ ଦୃଢ଼ ସଂକଳ୍ପ ରହିଛି।

ମୁରଲୀ କାର୍ତ୍ତିକ: ଚେସ୍‌ର ଜଣେ ଗ୍ରାଣ୍ଡମାଷ୍ଟର୍‌ ଯେପରି ନିଜ ଚାଲ ରଚନ୍ତି, କୋହଲି ମଧ୍ୟ ସେହିପରି ନିଜ ରନ ଚେଜକୁ ଯୋଜନାବଦ୍ଧ ଭାବେ ଆଗକୁ ବଢ଼ାନ୍ତି ବୋଲି କହିଛନ୍ତି ମୁରଲୀ କାର୍ତ୍ତିକ।

ହର୍ଷ ଭୋଗଲେ:କୋହଲିଙ୍କୁ ଝଡ଼ ମଧ୍ୟରେ ଦୃଢ଼ ଭାବେ ଠିଆ ହୋଇ ରହୁଥିବା ଜଣେ ବ୍ୟକ୍ତି ବୋଲି ବର୍ଣ୍ଣନା କରିଛନ୍ତି ପ୍ରସିଦ୍ଧ କ୍ରିକେଟ କମେଣ୍ଟେଟର୍‌ ହର୍ଷା ଭୋଗଲେ।

ବୀରେନ୍ଦ୍ର ସେହ୍ବାଗ:୍‌କୋହଲିଙ୍କୁ ‘GOAT’ ବୋଲି କହିଛନ୍ତି ପୂର୍ବତନ ଓପନର୍‌ ବୀରେନ୍ଦ୍ର ସେହୱାଗ। ତାଙ୍କ ମତରେ, କୋହଲି ଏତେ ବଡ଼ ଖେଳାଳି ଯେ ସେ କୌଣସି ମ୍ୟାଚକୁ ସହଜରେ ହାତଛଡ଼ା କରିବାକୁ ଦିଅନ୍ତି ନାହିଁ।

କୋହଲିଙ୍କୁ ଅନ୍ୟ ଖେଳାଳିଙ୍କଠାରୁ ଅଲଗା କରେ ତାଙ୍କର ଜିତିବାର ଜିଦ, ଫିଟନେସ୍‌ ଓ ଚାପରେ ଭଲ ପ୍ରଦର୍ଶନ କରିବାର କ୍ଷମତା। ମ୍ୟାଚ୍‌ରେ ଦାୟିତ୍ୱ ଯେତେ ବଡ଼ ହେଉନା କାହିଁକି, ସେ ଚ୍ୟାଲେଞ୍ଜକୁ ସାମ୍ନା କରି ଦଳକୁ ବିଜୟ ଦିଗରେ ନେବାକୁ ଚେଷ୍ଟା କରନ୍ତି। ଏହି କାରଣରୁ ତାଙ୍କୁ ବିଶ୍ୱ କ୍ରିକେଟ୍‌ର ଅନ୍ୟତମ ମହାନ ବ୍ୟାଟର୍‌ ଭାବେ ଗଣାଯାଏ।

 

Dharitri – Odisha’s No.1 Odia Daily

 


ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।