ଜନ୍ମଦିନରେ ବିରାଟ କୋହଲିଙ୍କ ବଡ଼ ଖୁଲାସା, କହିଲେ ନିଜର ସବୁଠୁ ପ୍ରିୟ ODI…

Nov 05, 2026 - 12:11
ଜନ୍ମଦିନରେ ବିରାଟ କୋହଲିଙ୍କ ବଡ଼ ଖୁଲାସା, କହିଲେ ନିଜର ସବୁଠୁ ପ୍ରିୟ ODI…

ନୂଆଦିଲ୍ଲୀ,୫।୧୧: ଭାରତୀୟ କ୍ରିକେଟ୍‌ର ରନ୍‌ ମେସିନ୍‌ ବିରାଟ କୋହଲି ନିଜର ୩୮ତମ ଜନ୍ମଦିନ ଅବସରରେ ନିଜର ସବୁଠୁ ପ୍ରିୟ ଦିନିକିଆ ଇନିଂସ୍‌ ବିଷୟରେ ଖୁଲାସା କରିଛନ୍ତି । ଷ୍ଟାର ସ୍ପୋର୍ଟସ ପକ୍ଷରୁ କୋହଲିଙ୍କ ସହ ଏକ ସ୍ୱତନ୍ତ୍ର ଆଲୋଚନାର ଭିଡିଓ ସେୟାର କରାଯାଇଛି । ଏଥିରେ ତାଙ୍କୁ ନିଜ କ୍ୟାରିୟରର କିଛି ସ୍ମରଣୀୟ ଦିନିକିଆ ଇନିଂସ୍‌ ମଧ୍ୟରୁ ଶ୍ରେଷ୍ଠଟି ବାଛିବାକୁ କୁହାଯାଇଥିଲା। ଆଶ୍ଚର୍ଯ୍ୟର କଥା, ଅନେକ ଶତକୀୟ ଇନିଂସ୍‌କୁ ପଛରେ ପକାଇ ମାତ୍ର ୪୩ ରନ୍‌ର ଏକ ପାଳିକୁ ସେ ନିଜର ସବୁଠୁ ପ୍ରିୟ ଇନିଂସ୍‌ ଭାବେ ବାଛିଛନ୍ତି।

ପ୍ରଥମେ କୋହଲିଙ୍କ ସାମ୍ନାରେ ୨୦୧୨ରେ ଶ୍ରୀଲଙ୍କା ବିପକ୍ଷରେ ଖେଳିଥିବା ଅପରାଜିତ ୧୩୩ ରନ୍‌ର ଇନିଂସ୍‌ ଏବଂ ୨୦୧୧ ବିଶ୍ୱକପ୍‌ ଫାଇନାଲ୍‌ରେ ଶ୍ରୀଲଙ୍କା ବିପକ୍ଷରେ କରିଥିବା ୩୫ ରନ୍‌ର ଇନିଂସ୍‌ ରଖାଯାଇଥିଲା। କୋହଲି ୧୩୩ ରନ୍‌ର ଧମାକାଦାର ପାଳି ବଦଳରେ ବିଶ୍ୱକପ୍‌ ଫାଇନାଲ୍‌ର ୩୫ ରନ୍‌କୁ ବାଛିଥିଲେ ।ଏହାପରେ ୨୦୨୩ରେ ଅଷ୍ଟ୍ରେଲିଆ ବିପକ୍ଷରେ ୮୫ ରନ୍‌, ୨୦୧୭ରେ ଇଂଲଣ୍ଡ ବିପକ୍ଷରେ ୧୨୨ ରନ୍‌ ଏବଂ ୨୦୧୮ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ୧୬୦ ରନ୍‌ର ଇନିଂସ୍‌କୁ ମଧ୍ୟ ସେହି ୩୫ ରନ୍‌ର ପାଳି ସହ ତୁଳନା କରାଯାଇଥିଲା। କିନ୍ତୁ କୋହଲି ପ୍ରତିଥର ବିଶ୍ୱକପ୍‌ ଫାଇନାଲ୍‌ର ଇନିଂସ୍‌କୁ ହିଁ ବାଛିଥିଲେ।

ଶେଷରେ ୨୦୧୩ ଚାମ୍ପିୟନ୍ସ ଟ୍ରଫି ଫାଇନାଲ୍‌ରେ ଇଂଲଣ୍ଡ ବିପକ୍ଷରେ ଖେଳିଥିବା ୪୩ ରନ୍‌ର ଇନିଂସ୍‌କୁ ୨୦୧୧ ବିଶ୍ୱକପ୍‌ ଫାଇନାଲ୍‌ର ୩୫ ରନ୍‌ର ପାଳି ସହ ତୁଳନା କରାଯାଇଥିଲା। ଏଥର କୋହଲି ୪୩ ରନ୍‌ର ଇନିଂସ୍‌କୁ ଶ୍ରେଷ୍ଠ ବାଛିଥିଲେ। ଏହାପରେ ତାଙ୍କୁ ୨୦୧୨ରେ ପାକିସ୍ତାନ ବିପକ୍ଷରେ ଖେଳିଥିବା ୧୮୩ ରନ୍‌, ୨୦୧୫ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ୧୩୮ ରନ୍‌ ଏବଂ ସେହି ବର୍ଷ ପାକିସ୍ତାନ ବିପକ୍ଷରେ କରିଥିବା ୧୦୭ ରନ୍‌ର ଇନିଂସ୍‌ ମଧ୍ୟରୁ ବାଛିବାକୁ କୁହାଯାଇଥିଲା। ହେଲେ ପ୍ରତ୍ୟେକ ଥର କୋହଲି ୨୦୧୩ ଚାମ୍ପିୟନ୍ସ ଟ୍ରଫି ଫାଇନାଲ୍‌ର ୪୩ ରନ୍‌ର ଇନିଂସ୍‌କୁ ହିଁ ନିଜ ପସନ୍ଦ ଭାବେ ରଖିଥିଲେ।

ଏହିପରି ଭାବେ ଅନେକ ଦମ୍‌ଦାର ଶତକୀୟ ଇନିଂସ୍‌କୁ ପଛରେ ପକାଇ କୋହଲି ଇଂଲଣ୍ଡ ବିପକ୍ଷ ଚାମ୍ପିୟନ୍ସ ଟ୍ରଫି ଫାଇନାଲ୍‌ର ୪୩ ରନ୍‌ର ପାଳିକୁ ନିଜ କ୍ୟାରିୟରର ସବୁଠୁ ପ୍ରିୟ ଦିନିକିଆ ଇନିଂସ୍‌ ଭାବେ ବାଛିଛନ୍ତି।

 

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।