କ୍ଷେପଣାସ୍ତ୍ର 'ପ୍ରଳୟ' ର ସଫଳ ପରୀକ୍ଷଣ
ବାଲେଶ୍ୱର : ପ୍ରତିରକ୍ଷା କ୍ଷେତ୍ରରେ ଭାରତ ଆଉ ଏକ ପାଦ ଆଗକୁ ବଢ଼ିଛି । ଭାରତ ପକ୍ଷରୁ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଅତ୍ୟାଧୁନିକ 'ପ୍ରଳୟ' କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କରାଯାଇଛି । ମଙ୍ଗଳବାର ପୂର୍ବାହ୍ନରେ ଚାନ୍ଦିପୁରସ୍ଥିତ ଡିଆରଡିଓରୁ କ୍ଷେପଣାସ୍ତ୍ର ‘ପ୍ରଳୟ’ ସଫଳ ପରୀକ୍ଷଣ କରାଯାଇଛି । ଏହି ସଫଳତା ଦେଶର ପ୍ରତିରକ୍ଷା କ୍ଷେତ୍ରକୁ ଆହୁରି ସୁଦୃଢ଼ କରିଛି ।
ଏହା ଏକ ସ୍ୱଳ୍ପ ଦୂରଗାମୀ ଭୂପୃଷ୍ଠରୁ ଭୂପୃଷ୍ଠକୁ (Surface-to-Surface) ମାଡ଼ କରୁଥିବା ବାଲିଷ୍ଟିକ୍ ମିସାଇଲ୍, ଯାହାର ଲକ୍ଷ୍ୟଭେଦ କ୍ଷମତା ୧୫୦ ରୁ ୫୦٠ କିଲୋମିଟର ପର୍ଯ୍ୟନ୍ତ ରହିଛି ।ଏହି ପରୀକ୍ଷଣର ବିଶେଷତ୍ଵ ଏହି କି ଗୋଟିଏ ଲଞ୍ଚରରୁ ଦୁଇଟି ମିସାଇଲ୍ ଲଗାତାର ଛଡ଼ାଯାଇ ପାରିବ।
ଆଇଟିଆରର ୩ ନମ୍ବର ଲଞ୍ଚପ୍ୟାଡରୁ ପୂର୍ବାହ୍ଣ ୧୧ଟା ୧୯ରେ ଉକ୍ତ କ୍ଷେପଣାସ୍ତ୍ରର ପରୀକ୍ଷଣ କରାଯାଇଥିଲା । ଉତକ୍ଷେପଣ ସମୟରେ ଏହି କ୍ଷେପଣାସ୍ତ୍ରଟି ନିଜର ସମସ୍ତ ଲକ୍ଷ୍ୟ ହାସଲ କରିଥିଲା । ଏଥିରେ ସୂକ୍ଷ୍ମ ଏବଂ ସଠିକ୍ ଟାର୍ଗେଟ୍ କରିବା ପାଇଁ ଅତ୍ୟାଧୁନିକ ନାଭିଗେସନ୍ ସିଷ୍ଟମ୍ ବ୍ୟବହାର କରାଯାଇଛି ।
ଏହି କ୍ଷେପଣାସ୍ତ୍ରର ଲକ୍ଷ୍ୟଭେଦ କ୍ଷମତା ୫୦୦ କିମି ରହିଛି। ପରୀକ୍ଷଣ ସମୟରେ ଏହାର ଗତି ପଥ ତଥା କାର୍ଯ୍ୟ ଦକ୍ଷତାକୁ ରାଡାର, ଇଲେକ୍ଟ୍ରୋ-ଅପଟିକାଲ୍ ଟ୍ରାକିଂ ସିଷ୍ଟମ, ଟେଲିମେଟ୍ରି ଷ୍ଟେସନ ମାଧ୍ୟମରେ ଅନୁଧ୍ୟାନ କରାଯାଇଥିଲା । ଏହି ପରୀକ୍ଷଣର ସମସ୍ତ ମାନଦଣ୍ଡ ଶତ ପ୍ରତିଶତ ସଫଳ ହୋଇଥିବା ଡିଆରଡିଓ ବୈଜ୍ଞାନିକମାନେ ସ୍ପଷ୍ଟ କରିଛନ୍ତି । ସ୍ବଦେଶୀ ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ଏହି କ୍ଷେପଣାସ୍ତ୍ରଟି ଉଭୟ ଦିନ ଓ ରାତିରେ ସମାନ ଦକ୍ଷତାର ସହ କାର୍ଯ୍ୟ କରିପାରିବ। ଏହା ଶତ୍ରୁର ପୃଥକ୍ ପୃଥକ୍ ଠିକଣାକୁ ଟାର୍ଗେଟ କରିପାରିବ । ଏହା ଉଡ଼ାଣ ସମୟରେ ନିଜର ଦିଗ ବଦଳାଇପାରିବ । ସୀମାରେ ସୁରକ୍ଷା ବ୍ୟବସ୍ଥାକୁ ମଜବୁତ କରିବା ସହ ଶତ୍ରୁପକ୍ଷର ବଙ୍କର ଓ ସାମରିକ ଘାଟିକୁ ସଫଳତାର ସହ ଧ୍ୱଂସ କରିବାରେ ଏହା ସେନାକୁ ସହାୟତା କରିବ।
ଏହାର ଉନ୍ନତ ନାଭିଗେସନ୍ ସିଷ୍ଟମ୍, ଶକ୍ତିଶାଳୀ ୱାରହେଡ୍ ଶତ୍ରୁପକ୍ଷର ଯେକୌଣସି ଆକ୍ରମଣକୁ ପ୍ରତିହତ କରିବାର କ୍ଷମତା ରଖିଛି । ଏହା ଶବ୍ଦର ଗତି ତୁଳନାରେ ୫ ଗୁଣ ଅଧିକ (ପ୍ରାୟ ୬୧୭୪ କିଲାମିଟର ପ୍ରତି ଘଣ୍ଟା) ବେଗରେ ଗତି କରିପାରିବ । ‘ପ୍ରଳୟ’ କ୍ଷେପଣାସ୍ତ୍ର କଠିନ ଇନ୍ଧନ ବିଶିଷ୍ଟ ରକେଟ୍ ମୋଟର ଦ୍ଵାରା ପରିଚାଳିତ ହୁଏ । ପୂର୍ବରୁ ରୁଷ ଓ ଆମେରିକା ଏଭଳି ମଲ୍ଟି- ମିସାଇଲ ପ୍ରୟୋଗ ବ୍ୟବସ୍ଥା ବିକଶିତ କରିସାରିଛନ୍ତି। ଭାରତ ସ୍ୱଦେଶୀ ଜ୍ଞାନ କୌଶଳରେ ଏହି କ୍ଷମତା ବିକଶିତ କରିଛି । ସୂଚନାଯୋଗ୍ୟ, ଗତବର୍ଷ ଡିସେମ୍ବରରେ ମଧ୍ଯ ଏହି କ୍ଷେପଣାସ୍ତ୍ରର ୨ଟି ପରୀକ୍ଷଣ କରାଯାଇଥିଲା ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।