ଖେମୁଣ୍ଡି କଲେଜ ନିର୍ବାଚନ ପରେ ତୁମୁଳକାଣ୍ଡ! ଖଣ୍ଡା-ଭୁଜାଲିରେ ଆକ୍ରମଣ, ପୋଖରୀକୁ ଫିଙ୍ଗିଦେଲେ ବାଇକ୍

Oct 18, 2026 - 21:48
ଖେମୁଣ୍ଡି କଲେଜ ନିର୍ବାଚନ ପରେ ତୁମୁଳକାଣ୍ଡ! ଖଣ୍ଡା-ଭୁଜାଲିରେ ଆକ୍ରମଣ, ପୋଖରୀକୁ ଫିଙ୍ଗିଦେଲେ ବାଇକ୍

ଦିଗପହଣ୍ଡି,୧୮।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି କଲେଜ ଛାତ୍ର ନିର୍ବାଚନ ପରବର୍ତ୍ତୀ ହିଂସା ଉଗ୍ର ରୂପ ନେଇଛି । ଶନିବାର ରାତି ପ୍ରାୟ ୨ ଟାରେ ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀର ବହୁ ସଂଖ୍ୟକ ଯୁବକ ବିଭିନ୍ନ ମାରଣାସ୍ତ୍ର ଧରି ଅନ୍ୟ ଗୋଷ୍ଠୀର ଯୁବକମାନଙ୍କ ଉପରେ ସଂଘବଦ୍ଧ ଆକ୍ରମଣ କରିବାରୁ ପ୍ରାୟ ୫ ଯୁବକ ଆହାତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଜଣେ ଗୁରୁତର ଆହାତ ହୋଇଛନ୍ତି । ସେ ହେଲେ ଦିଗପହଣ୍ଡି ବଡ଼ ବ୍ରାହ୍ମଣ ସାହିରେ ରହୁଥିବା ଦୀପକ କୁମାର ସାମନ୍ତରାୟ(୨୧)। ଖଣ୍ଡା ଓ ଭୁଜାଲିରେ ତାଙ୍କୁ ଘାତକ ଆକ୍ରମଣ କରାଯାଇଛି ।

ତାଙ୍କ ବାମ ହାତ କହୁଣିକୁ ଖଣ୍ଡା ଚୋଟ ପଡ଼ିଛି । ଡାହାଣ ଜଂଘ ଓ ହାତକୁ ଭୁଜାଲିରେ ମାଡ଼ ହୋଇଛି । ତାଙ୍କୁ ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ସେଠାରେ ସେ ଚିକିତ୍ସାଧୀନ ଥିବା ଜଣାପଡିଛି । ଗୁରୁବାର କଲେଜ ନିର୍ବାଚନ ସରିବା ପରେ ରାତି ପ୍ରାୟ ସାଢେ ୧ ଟାରେ ଶୁଣ୍ଡିପଲ୍ଲୀ ଗ୍ରାମ ରାସ୍ତାରେ ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀର ବହୁ ସଂଖ୍ୟକ ଯୁବକ ତାଙ୍କ ବିପକ୍ଷ ଗୋଷ୍ଠୀର ନିର୍ବାଚନ ପ୍ରଚାର କାର୍ଯ୍ୟରେ ନିୟୋଜିତ ଏକ କାର (ନଂ. ଓଡ଼ି୦୨ ବିୟୁ -୬୫୪୩) କୁ ବ୍ୟାପକ ଭଙ୍ଗାରୁଜା କରିଥିଲେ । ପ୍ରତିବାଦ କରିବାରୁ କାରରେ ଥିବା ନୂଆମଳାଭଞ୍ଜା ଗ୍ରାମର ଜଣେ ମେସିନ ଅପରେଟର ଦୀପକ ସେଠୀଙ୍କୁ ମାଡ଼ ମାରିବାରୁ ତାଙ୍କ ଡାହାଣ ହାତ ଖଞ୍ଜା ଖସିଯାଇଥିଲା।

ସେହିପରି ଅନ୍ୟଜଣେ ଶିବ ଶଙ୍କର ନାହାକଙ୍କୁ ମଧ୍ୟ ସେମାନେ ମାଡ଼ ମାରିଥିଲେ। କଲେଜ ନିର୍ବାଚନ ସହ ଏ ଦୁହିଁଙ୍କ କୌଣସି ସମ୍ପର୍କ ନଥିଲେ ମଧ୍ୟ ଉଭୟଙ୍କୁ ଆକ୍ରମଣ କରାଯାଇଥିବା ଜଣାପଡିଛି । କାର ମାଲିକ ରାକେଶ ପଶୁପାଳକ ଏନେଇ ଦିଗପହଣ୍ଡି ଥାନାରେ ଏତଲା ଦେଇଥିଲେ । ଏତଲା ପ୍ରକାରେ ଆଇଆଇସି କିଶୋର କୁମାର ସାମଲ ମାମଲା ନଂ.୪୩୯/୨୬ ଅନୁଯାୟୀ ମକଦ୍ଦମା ରୁଜୁ କରି ତଦନ୍ତ ନିମନ୍ତେ ଅତିରିକ୍ତ ଆଇଆଇସି କୃଷ୍ଣ ମୟୀ ବରାଳ କୁ ନିର୍ଦ୍ଦେଶ ଦେଇଥିଲେ।

ଶନିବାର ବିଳମ୍ବିତ ରାତି ପ୍ରାୟ ୨ ଟାରେ ଠାକୁରାଣୀ ଯାତ୍ରା ଦେଖିବା ପରେ ଗୋଟିଏ ଗୋଷ୍ଠୀର ଯୁବକ ମାନେ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ନିକଟ ପାର୍କ ରେ ବସିଥିବା ବେଳେ ଅପରଗୋଷ୍ଠୀର ବହୁ ସଂଖ୍ୟକ ଯୁବକ ସେଠାରେ ପହଞ୍ଚି ସେମାନଙ୍କୁ ଅତର୍କିତ ଆକ୍ରମଣ କରିଥିଲେ । ସେଠାରେ ଥିବା ୩ ଟି ବାଇକ କୁ ନିକଟସ୍ଥ ପୋଖରୀ ପାଣି ଭିତରକୁ ଫୋପାଡି ଚାଲିଯାଇଥିଲେ। ରବିବାର ସକାଳେ ଦିଗପହଣ୍ଡି ଅଗ୍ନିଶମ ବାହିନୀ ପୋଖରୀ ଭିତରୁ ୩ଟି ବାଇକ ବାହାରକୁ କାଢିଥିଲେ। ଏନେଇ ଥାନାରେ ଏତଲା ହୋଇଥିବା ଜଣାପଡିଛି । ରବିବାର ସକାଳ ଠାରୁ ସହରରେ ପୋଲିସ ଟିମ୍ ପଇଁତରା ମାରିଥିଲେ । ସନ୍ଧ୍ୟାରେ ବହୁ ସଂଖ୍ୟକ ପୋଲିସ ଯାତ୍ରା ସ୍ଥଳରେ ମୁତୟନ କରାଯାଇଛି ।

 

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।