ଗଞ୍ଜାମ ପୋଲିସର ମାନବିକତା: ବନ୍ୟା ବିପନ୍ନ ୨ ହଜାର ଲୋକଙ୍କୁ ରନ୍ଧା ଖାଦ୍ୟ ବଣ୍ଟନ
ଗଞ୍ଜାମ, ୨।୧୧ (ବିଦ୍ୟାଧର ସାହୁ):ବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବରେ ଗଞ୍ଜାମ ଜିଲାରେ ବ୍ୟାପକ କ୍ଷୟକ୍ଷତି ଘଟିଥିବା ବେଳେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ବିଶେଷ କରି ଗଞ୍ଜାମ ବ୍ଲକ ଅନ୍ତର୍ଗତ ଯୁଡ଼ିଏସପୁର ପଞ୍ଚାୟତରେ ବାତ୍ୟା ଓ ବନ୍ୟାର ପ୍ରଭାବ ଅଧିକ ଦେଖିବାକୁ ମିଳିଛି। ଧାନ ଓ ପନିପରିବା ଫସଲ ନଷ୍ଟ ହେବା ସହ ସମଗ୍ର ଯୁଡ଼ିଏସପୁର ଗ୍ରାମ ଜଳବନ୍ଦୀ ହୋଇରହିଛି। ଏଭଳି ଦୁର୍ଦ୍ଦିନରେ ଗଞ୍ଜାମ ପୋଲିସ ମାନବିକତାର ପରିଚୟ ଦେଇଛି। ଗ୍ରାମର ପ୍ରାୟ ୨ ହଜାର ବନ୍ୟା ବିପନ୍ନଙ୍କ ପାଇଁ ପୋଲିସ ପକ୍ଷରୁ ରନ୍ଧା ଖାଦ୍ୟ ପ୍ରସ୍ତୁତ କରାଯାଇ ବଣ୍ଟନ କରାଯାଇଛି। ଗ୍ରାମରେ ଲୋକଙ୍କୁ ଖାଦ୍ୟ ପରସା ଯାଇଥିବାବେଳେ କିଛି ପରିବାରଙ୍କ ଘରକୁ ମଧ୍ୟ ଖାଦ୍ୟ ପହଞ୍ଚାଯାଇଥିଲା।
ଏହି ଖାଦ୍ୟ ବଣ୍ଟନ କାର୍ଯ୍ୟକ୍ରମରେ ଆଇଆଇସି ସୁମିତ୍ରା ପାତ୍ର, ଅତିରିକ୍ତ ଆଇଆଇସି ଶୁଭଲକ୍ଷ୍ମୀ କହଁର, ଏସଆଇ ଅନିରୁଦ୍ଧ ସ୍ବାଇଁ, ଏଏସଆଇ ପ୍ରଦୀପ୍ତ କୁମାର ସାହୁ, ହୋମଗାର୍ଡ ସୁମୁନାଥ ରେଡ୍ଡୀ ଓ କୁମାର ମୁଦୁଲିଙ୍କ ସମେତ ପୋଲିସ ଷ୍ଟାଫ୍ମାନେ ଉପସ୍ଥିତ ରହି ବିପନ୍ନ ଗ୍ରାମବାସୀଙ୍କୁ ରନ୍ଧା ଖାଦ୍ୟ ବଣ୍ଟନ କରିଥିଲେ। ବିପଦ ସମୟରେ ପୋଲିସର ଏହି ମାନବିକତାପୂର୍ଣ୍ଣ ପଦକ୍ଷେପକୁ ନେଇ ଗଞ୍ଜାମ ପୋଲିସ ପ୍ରଶାସନକୁ ବିଭିନ୍ନ ମହଲରୁ ଭୂୟସୀ ପ୍ରଶଂସା କରାଯାଇଛି।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।