ବରଗଡ଼ରେ ଗୋଷ୍ଠୀ ସଂଘର୍ଷ: ସାମାନ୍ୟ କଥା କଟାକଟିରୁ ଭୁଜାଲି-ଛୁରୀ ମାଡ଼; ୮ ଗୁରୁତର, ୨ ଜଣଙ୍କ ଅବସ୍ଥା…
ବରଗଡ଼,୧୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ୍ ଥାନା ଅନ୍ତର୍ଗତ ପାତିକାରପଲ୍ଲୀ ଅଞ୍ଚଳରେ ଶୁକ୍ରବାର ବିଳମ୍ବିତ ରାତିରେ ଏକ ଭୟାବହ ଗୋଷ୍ଠୀ ସଂଘର୍ଷ ଘଟିଯାଇଛି। ସାମାନ୍ୟ କଥା କଟାକଟିକୁ କେନ୍ଦ୍ର କରି ଉଭୟ ପକ୍ଷ ମଧ୍ୟରେ ଗଣ୍ଡଗୋଳର ସୂତ୍ରପାତ ହୋଇଥିଲା, ଯାହା ପରବର୍ତ୍ତୀ ସମୟରେ ହିଂସାତ୍ମକ ରୂପ ନେଇଥିଲା।
ସୂଚନା ଅନୁଯାୟୀ, ବାକ୍ଯୁଦ୍ଧ ଚରମ ସୀମାରେ ପହଞ୍ଚିବା ପରେ ଉଭୟ ଗୋଷ୍ଠୀର ଲୋକେ ମାରାତ୍ମକ ଅସ୍ତ୍ରଶସ୍ତ୍ର ଧରି ପରସ୍ପରକୁ ଆକ୍ରମଣ କରିଥିଲେ। ଭୁଜାଲି ଓ ଛୁରୀ ମାଡ଼ରେ ଅତି କମ୍ରେ ୮ ଜଣ ଗୁରୁତର ଭାବେ ଆହାତ ହୋଇଛନ୍ତି।
ସ୍ଥାନୀୟ ଲୋକଙ୍କ ସହାୟତାରେ ଆହାତମାନଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ତେବେ ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ସ୍ୱାସ୍ଥ୍ୟାବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ଥିବାରୁ ସେମାନଙ୍କୁ ଅଧିକ ଉନ୍ନତ ଚିକିତ୍ସା ପାଇଁ ବୁର୍ଲା ଭୀମସାର (VIMSAR) ସ୍ଥାନାନ୍ତର କରାଯାଇଛି। ଅନ୍ୟ ଗୁରୁତରମାନେ ବରଗଡ଼ ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି।
ଖବର ପାଇ ବରଗଡ଼ ଟାଉନ୍ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିବା ସହ ତଦନ୍ତ ଆରମ୍ଭ କରିଛି। କେଉଁ କାରଣରୁ ଏହି ଗଣ୍ଡଗୋଳ ସୃଷ୍ଟି ହେଲା, ସେ ନେଇ ପୋଲିସ ପଚରାଉଚୁରା ଚଳାଇଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।