ଗୃହ ଏବଂ ଅର୍ଥ ମନ୍ତ୍ରାଳୟ କାର୍ଯ୍ୟାଳୟରେ ଅଗ୍ନିକାଣ୍ଡ

Oct 26, 2026 - 13:11
ଗୃହ ଏବଂ ଅର୍ଥ ମନ୍ତ୍ରାଳୟ କାର୍ଯ୍ୟାଳୟରେ ଅଗ୍ନିକାଣ୍ଡ

ନୂଆଦିଲ୍ଲୀ: ଦିଲ୍ଲୀର ନର୍ଥ ବ୍ଲକ୍‌ରେ ସୋମବାର ଅଗ୍ନିକାଣ୍ଡ ଘଟିଛି। ଏହି ବ୍ରିଟିଶ ଶାସନ ଅମଳର ପ୍ରସିଦ୍ଧ ପ୍ରଶାସନିକ କୋଠାରେ କେନ୍ଦ୍ର ସରକାରଙ୍କ ଗୃହ ମନ୍ତ୍ରଣାଳୟ ଓ ଅର୍ଥ ମନ୍ତ୍ରଣାଳୟର କାର୍ଯ୍ୟାଳୟ ରହିଛି। କୋଠାରୁ ଘନ ଧୂଆଁ ବାହାରୁଥିବା ଦେଖାଯିବା ପରେ ଅଗ୍ନିକାଣ୍ଡ ସମ୍ପର୍କରେ ଖବର ମିଳିଥିଲା। ପରେ ପରିସ୍ଥିତିକୁ ନିୟନ୍ତ୍ରଣକୁ ଅଣାଯାଇଥିଲା। ପୋଲିସର ସୂଚନା ଅନୁଯାୟୀ, ଏହି ସରକାରୀ କୋଠାର ଛାତ ଉପରେ ମରାମତି କାମ ଚାଲିଥିଲା ଏବଂ ସେଠାରେ କିଛି ଶ୍ରମିକ ଉପସ୍ଥିତ ଥିଲେ।କୋଠାର ଛାତ ଉପରେ ଥିବା ଏକ ପୁରୁଣା ପ୍ଲାଷ୍ଟିକ୍ ପାଣି ଟାଙ୍କିରେ ନିଆଁ ଲାଗିଥିଲା। ତେବେ ସେଠାରେ କାମ କରୁଥିବା ଶ୍ରମିକମାନେ ନିଆଁକୁ ଲିଭାଇବାରେ ସଫଳ ହୋଇଥିଲେ। ସକାଳ ୧୧ଟା ୧୦ ମିନିଟ୍‌ରେ ଧୂଆଁ ବାହାରୁଥିବା ନେଇ ଦିଲ୍ଲୀ ଅଗ୍ନିଶମ ସେବା ବିଭାଗକୁ ସୂଚନା ମିଳିଥିଲା। ଏହାପରେ ଘଟଣାସ୍ଥଳକୁ ଛଅଟି ଅଗ୍ନିଶମ ଗାଡ଼ି ପଠାଯାଇଥିଲା ବୋଲି ଜଣେ ଅଧିକାରୀ କହିଛନ୍ତି। ରାଜ୍ୟସଭା ସାଂସଦ ମିଲିନ୍ଦ ଦେଓରା ସଂସଦକୁ ଯାଉଥିବା ସମୟରେ ନର୍ଥ ବ୍ଲକ୍ ପଛପଟୁ ଘନ ଧୂଆଁ ବାହାରୁଥିବା ଦେଖିଥିଲେ। ସେ ସୋସିଆଲ୍ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏକ ପୋଷ୍ଟ କରି କହିଥିଲେ, ‘ସଂସଦକୁ ଯିବା ବାଟରେ ନର୍ଥ ବ୍ଲକ୍ ପଛପଟୁ ଘନ ଧୂଆଁ ବାହାରୁଥିବା ଦେଖିଲି। ଲାଗୁଛି ସେଠାରେ ନିଆଁ ଲାଗିଥାଇପାରେ। ଆଶା କରୁଛି ସମସ୍ତେ ସୁରକ୍ଷିତ ଅଛନ୍ତି ଏବଂ ଜରୁରୀକାଳୀନ ସେବାଗୁଡ଼ିକ ଶୀଘ୍ର ପଦକ୍ଷେପ ନେଉଛନ୍ତି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।