ଗୋଟିଏ ରାତିରେ ୨ ହତ୍ୟାକାଣ୍ଡ
ଭୁବନେଶ୍ୱର,୮।୧୧(ତ୍ରିନାଥ ମହାନ୍ତି): ବମିଖାଲ କଟକ ରୋଡ ଝାରପଡ଼ା ବ୍ରିଜ୍ ନିକଟରେ ଅଭିଯୁକ୍ତମାନେ ଜଣେ ଯୁବକଙ୍କୁ ପଏଣ୍ଟ ବ୍ଲାଙ୍କରୁ ଗୁଳି କରି ହତ୍ୟା କରିଛନ୍ତି। ମୃତ ଯୁବକ ହେଲେ ଲକ୍ଷ୍ମୀସାଗର ଥାନା ଅନ୍ତର୍ଗତ ହଳଦିପଡ଼ିଆ ବସ୍ତିର ସୋନୁ ନାୟକ (୨୨)। ଘଟଣାସ୍ଥଳରେ ଗୁଳିକାଣ୍ଡ ସହ ବୋମାମାଡ଼ ମଧ୍ୟ ହୋଇଛି। ଶୁକ୍ରବାର ରାତି ପ୍ରାୟ ୩ଟା ବେଳେ ଏହି ଘଟଣା ଘଟିଛି। ପୋଲିସ ମୃତଦେହ ଜବତ କରି କ୍ୟାପିଟାଲ ହସ୍ପିଟାଲ ପଠାଇଥିଲା। ସୋନୁଙ୍କ ମୁଣ୍ଡରେ ଗୁଳି ବାଜିଛି। ଏନେଇ ଥାନାରେ ଶାନ୍ତି ନାୟକ ଅଭିଯୋଗ କରିବା ପରେ ପୋଲିସ କେସ୍ ନଂ-୭୮୫/୨୬ରେ ହତ୍ୟା ମାମଲା ରୁଜୁ କରି ଜଣେ ନାବାଳକଙ୍କୁ ଅଟକ ରଖାଯାଇଥିବାବେଳେ ୬ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଝାରପଡ଼ାର ସତ୍ୟଜିତ ବେହେରା, କୁନା ରତନ, ମନୋଜ ବେହେରା, ଦିବ୍ୟ କୁମାର ବାହାର, ବିଶ୍ୱଜିତ ହାତୀ ଓ ଲିପୁନ ଜେନା।
ପୋଲିସ ଟିମ୍ ଘଟଣାସ୍ଥଳରୁ ଖୋକା ଓ ଫୁଟିଥିବା ବୋମାର କିଛି ଅଂଶ ଜବତ କରିଛି। ଭୋର ପ୍ରାୟ ୫ଟା ୩୦ ବେଳେ ଲକ୍ଷ୍ମୀସାଗର ପୋଲିସ ଟିମ୍, ସିପି ସୁରେଶ ଦେବଦତ୍ତ ସିଂ, ଡିସିପି ସର୍ବଣା ବିବେକ ଏମ୍ଙ୍କ ସହ ଜୋନ-୪ ଏସିପି ଅଭିମନ୍ୟୁ ନାୟକ ପହଞ୍ଚତ୍ ଛାନ୍ଭିନ୍ କରିଥିଲେ। ନିଶା କାରବାରକୁ ନେଇ ଏହି ହତ୍ୟାକାଣ୍ଡ ହୋଇଥିବା ପୋଲିସ ଅନୁମାନ କରୁଛି। ଏପରିକି ପୂର୍ବ ଶତ୍ରୁତାରୁ ଘଟଣା ଘଟିଥାଇପାରେ ବୋଲି ମଧ୍ୟ ସନ୍ଦେହ କରାଯାଉଛି।
ସେହିପରି ଶହୀଦନଗର ଥାନା ଅନ୍ତର୍ଗତ ଭିଏସ୍ଏସ୍ ନଗର ତାରିଣୀ ବସ୍ତିରେ ପରକୀୟା ପ୍ରୀତି ସନ୍ଦେହରୁ ତାଙ୍କ ଦୂର ସମ୍ପର୍କୀୟ ଶାଳକଙ୍କୁ ପଥରରେ ଛେଚି ଭିଣୋଇ ହତ୍ୟା କରିଛନ୍ତି। ମୃତକ ହେଲେ ପଠାଣି ସାହୁ(୪୦)। ଏନେଇ ଥାନାରେ ମୃତକଙ୍କ ପୁଅ ବିଟୁଲ ସାହୁ ଅଭିଯୋଗ କରିବା ପରେ ପୋଲିସ ଏକ ମାମଲା (କେସ୍ ନଂ-୫୮୨/୨୬)ରୁଜୁ କରି ଅଭିଯୁକ୍ତ ସୁରେଶ ସିଂଙ୍କୁ ଗିରଫ କରିଛି। ତେବେ ବଡ଼ କଥା ହେଉଛି ସୁରେଶ ପୋଲିସ ଆଖିରେ ଧୂଳି ଦେବାକୁ ଯାଇ ଏହାକୁ ଦୁର୍ଘଟଣାର ରୂପ ଦେବାକୁ ଉଦ୍ୟମ କରିଥିଲେ। ସେଥିପାଇଁ ହତ୍ୟା ପରେ ପଠାଣିଙ୍କ ମୃତଦେହକୁ ଘୋଷାଡ଼ି ନେଇ ଟ୍ରେନ ଲାଇନ ପାର୍ଶ୍ୱରେ ପକାଇଥିଲେ। ସାଇଣ୍ଟିଫିକ ଟିମ୍ ଘଟଣାସ୍ଥଳରେ ପହଞ୍ଚତ୍ ବିଭିନ୍ନ ନମୁନା ସଂଗ୍ରହ କରିଛି।
ମିଳିଥିବା ସୂଚନା ଅନୁସାରେ, ସୁରେଶ ଓ ତାଙ୍କ ସ୍ତ୍ରୀ ମଧ୍ୟରେ ବାରମ୍ବାର ପାରିବାରିକ କଳହ ଲାଗି ରହୁଥିଲା। ସ୍ତ୍ରୀଙ୍କ ସହ
ସମ୍ପର୍କୀୟ ଶାଳକ ପଠାଣି ଖରାପ ସମ୍ପର୍କ ରଖୁଥିବା ନେଇ ସୁରେଶ ସନ୍ଦେହ କରୁଥିଲେ। ସ୍ବାମୀଙ୍କ ସହ ଝଗଡ଼ା ହେବାରୁ ଗତ ୧୫ ଦିନ ହେଲା ସ୍ତ୍ରୀ ସୁନ୍ଦରପଦାରେ ଥିବା ତାଙ୍କ ଭଉଣୀ କାବେରୀଙ୍କ ଘରେ ରହୁଥିଲେ। ଏହି ବିବାଦର ସମାଧାନ ପାଇଁ ସୁରେଶ ପଠାଣିଙ୍କୁ ତାରିଣୀ ବସ୍ତି ଘରକୁ ଡାକିଥିଲେ। ଶୁକ୍ରବାର ବିଳମ୍ବିତ ରାତିରେ ପରକୀୟା ପ୍ରୀତି କଥାକୁ ନେଇ ଉଭୟଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା। ଏଥିରେ ରାଗିଯାଇ ସୁରେଶ ଏକ ସିମେଣ୍ଟ ଇଟାରେ ପଠାଣିଙ୍କ ମୁଣ୍ଡକୁ ଆକ୍ରମଣ କରିଥିଲେ। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିତ୍ଲା। ହତ୍ୟା ପରେ ପ୍ରମାଣ ନଷ୍ଟ ସହ ଏହାକୁ ଦୁର୍ଘଟଣାର ରୂପ ଦେବାକୁ ମୃତଦେହକୁ ଟ୍ରେନ ଲାଇନ୍ରେ ପକାଇବାକୁ ଚେଷ୍ଟା କରିଥିଲେ। ହେଲେ ଏଥିରେ ବିଫଳ ହେବାରୁ ଟ୍ରେନ୍ ଲାଇନର କିଛି ଦୂରରେ ମୃତଦେହ ପକାଇଥିଲେ। ମୃତ ପଠାଣିଙ୍କ ମଝିଆ ଭଉଣୀ କାବେରୀ ନାୟକ କହିଛନ୍ତି, ସେ ସୁନ୍ଦରପଦାରେ ରହୁଛନ୍ତି। ଭାଇ ପଠାଣି ପୁରୀରେ ରହି କାମ କରୁଥିଲେ। ସୁରେଶ ତାଙ୍କୁ ଡାକି ମଦ ପିଆଇବା ସହ ମାରି ଦେଇଛନ୍ତି।
Dharitri – Odisha’s No.1, Most Trusted Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।