ଗୋପରେ ହାଇଡ୍ରାମା: ବିଷ ପିଇବାକୁ ଉଦ୍ୟମ କଲେ ଚାଷୀ !
ପୁରୀ: ପୁରୀ ଜିଲ୍ଲା ଗୋପ ବ୍ଲକରେ ଜନ ଅଭିଯୋଗ ଶୁଣାଣି ବେଳେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଦୀର୍ଘଦିନ ଧରି କେନାଲରେ ପାଣି ନ ଆସିବା ଯୋଗୁଁ ଚାଷ କାର୍ଯ୍ୟ ଗୁରୁତର ଭାବେ ବ୍ୟାଘାତପ୍ରାପ୍ତ ହେଉଥିବା ଅଭିଯୋଗ କରି ଜଣେ ଚାଷୀ ଆତ୍ମହତ୍ୟା ଉଦ୍ୟମ କରିବା ପରେ ସେଠାରେ ହାଇଡ୍ରାମା ସୃଷ୍ଟି ହୋଇଛି।
ଗୋପ ବ୍ଲକର ୪ଟି ପଞ୍ଚାୟତ ଯଥା, ଅଣ୍ଡାରଇଚ୍ଛାପୁର, ଗଣେଶ୍ଵରପୁର, ଗୋପ ଓ ନାଗପୁର ଅଞ୍ଚଳର ଶତାଧିକ ଚାଷୀ ପାଣି ସମସ୍ୟା ନେଇ ବାରମ୍ବାର ପ୍ରଶାସନ ନିକଟରେ ଅଭିଯୋଗ କରି ଆସୁଥିଲେ। ହେଲେ ସେମାନଙ୍କ ଅଭିଯୋଗକୁ କେହି ଗୁରୁତ୍ଵ ଦେଉନଥିବାରୁ ଆଜି ଶତାଧିକ ଚାଷୀ ଏକତ୍ରିତ ହୋଇ ଜନ ଅଭିଯୋଗ ଶୁଣାଣି ସମୟରେ ହୋହଲା କରିବା ସହ ଶିବିର ବାହାରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।
ସୂଚନା ଅନୁଯାୟୀ, ଉତ୍ତେଜନା ପ୍ରକାଶ ପାଇବା ସହ ଜଣେ ଚାଷୀ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ତେବେ ଘଟଣାସ୍ଥଳରେ ଉପସ୍ଥିତ ଥିବା ଗୋପ ପୋଲିସ ତୁରନ୍ତ ଚାଷୀଙ୍କୁ ବୁଝାସୁଝା କରିବା ସହ ତାଙ୍କ ହାତରୁ ବିଷ ବୋତଲ ଛଡ଼ାଇ ନେଇଥିଲେ। ଅନ୍ୟପଟେ ଏହି ଘଟଣାକୁ ନେଇ ଅତିରିକ୍ତ ଜିଲ୍ଲାପାଳ କହିଛନ୍ତି ଯେ ଆସନ୍ତା ଦୁଇ ଦିନ ମଧ୍ୟରେ ଚାଷୀଙ୍କ ଏହି ସମସ୍ୟାର ସ୍ଥାୟୀ ସମାଧାନ କରାଯିବ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ NANDIGHOSHA TV - ନନ୍ଦିଘୋଷ ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି NANDIGHOSHA TV - ନନ୍ଦିଘୋଷ ଟିଭି ଦେଖନ୍ତୁ।