ଘର ତିଆରି ନାଁରେ ୧୬ ଲକ୍ଷ ଟଙ୍କା ନେଇ ଫେରାର , ବାଉନ୍ସ ହେଲା ଚେକ୍‌: ଅଭିଯୁକ୍ତ ଯୁବକ ଗିରଫ

Sep 08, 2026 - 21:17
ଘର ତିଆରି ନାଁରେ ୧୬ ଲକ୍ଷ  ଟଙ୍କା ନେଇ ଫେରାର , ବାଉନ୍ସ ହେଲା ଚେକ୍‌: ଅଭିଯୁକ୍ତ ଯୁବକ ଗିରଫ

ପାରଳାଖେମୁଣ୍ଡି,୮ା୯(ଗିରିଧାରୀ ପରିଛା): ୧୬ ଲକ୍ଷ ଟଙ୍କା ଠକେଇ ଓ ଜୀବନରୁ ମାରିଦେବାକୁ ଧମକ ଦେବା ଅଭିଯୋଗରେ ପାରଳାଖେମୁଣ୍ଡି ଥାନା ପୋଲିସ ଆନ୍ଧ୍ରପ୍ରଦେଶର ଜଣେ ଯୁବକଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ଗିରଫ ଯୁବକଜଣକ ହେଲେ ଆନ୍ଧ୍ରପ୍ରଦେଶ ଶ୍ରୀକାକୁଲମ ଜିଲା ଜାଲୁମୁରୁ ଥାନା ଅନ୍ତର୍ଗତ ଜଗନ୍ନାଥପୁରମ ଗ୍ରାମର କେଲି ଉଦୟ କୁମାର (୩୫)।

ପୁଲିସଠାରୁ ମିଳିଥିବା ସୂଚନା ଅନୁଯାୟୀ, ଅଭିଯୋଗକାରୀ ପୁନ୍ନା ମୋହନ ରାଓଙ୍କ ସହ ଉଦୟଙ୍କ ପୂର୍ବରୁ ପରିଚୟ ଥିଲା। ଏହାର ସୁଯୋଗ ନେଇ ଉଦୟ ନିଜ ଘର ନିର୍ମାଣ ପାଇଁ ମୋହନଙ୍କୁ ୧୬ ଲକ୍ଷ ଟଙ୍କା ଧାର ମାଗିବା ସହ ୧୫ ପ୍ରତିଶତ ସୁଧ ସହ ମୂଳ ଟଙ୍କା ଫେରସ୍ତ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ମୋହନ ବିଭିନ୍ନ ବ୍ୟକ୍ତିଙ୍କଠାରୁ ଟଙ୍କା ସଂଗ୍ରହ କରି ଉଦୟଙ୍କୁ ଦେଇଥିଲେ। ଏ ନେଇ ୨୦୨୫ ଜୁନ୍‌ ୨୪ ଓ ୩୦ ତାରିଖରେ ପାରଳାଖେମୁଣ୍ଡି ନୋଟାରୀଙ୍କ ସମ୍ମୁଖରେ ଦୁଇଟି ଚୁକ୍ତିପତ୍ର ହେବା ସହ ଉଦୟ ଦୁଇଟି ଚେକ୍ ପ୍ରଦାନ କରିଥିଲେ।

ତେବେ ମୋହନ ବ୍ୟାଙ୍କରେ ଚେକ୍ ଜମା କରିବା ପରେ ଉଦୟଙ୍କ ଆକାଉଣ୍ଟରେ ପର୍ଯ୍ୟାପ୍ତ ଅର୍ଥ ନ ଥିବାରୁ ଚେକ୍‌ ଦ୍ୱୟ ବାଉନ୍ସ ହୋଇଯାଇଥିଲା। ଏହା ପରେ ମୋହନ ଟଙ୍କା ଫେରସ୍ତ ପାଇଁ ବାରମ୍ବାର ଦାବି କରିଥିଲେ ମଧ୍ୟ ଉଦୟ ଟଙ୍କା ନ ଦେଇ ଫେରାର ହୋଇଯିବା ସହ ତାଙ୍କୁ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ।

ଏ ନେଇ ପାରଳାଖେମୁଣ୍ଡି ଥାନାରେ କେସ୍‌ ନଂ ୦୫/୨୦୨୬ ରୁଜୁ ହେବା ପରେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଥିଲା। ତଦନ୍ତକାରୀ ଟିମ୍ ସାକ୍ଷୀଙ୍କ ବୟାନ ରେକର୍ଡ କରିବା ସହ ଆବଶ୍ୟକୀୟ ଦସ୍ତାବିଜ ଜବତ କରିଥିଲେ। ଅଭିଯୁକ୍ତଙ୍କ ବିରୋଧରେ ପ୍ରାଥମିକ ପ୍ରମାଣ ମିଳିବା ପରେ ମଙ୍ଗଳବାର ସକାଳ ପ୍ରାୟ ୯ଟା ୩୦ରେ ପୋଲିସ ଉଦୟଙ୍କୁ ଗିରଫ କରିଥିଲା। ଡାକ୍ତରୀ ପରୀକ୍ଷା ପରେ ସନ୍ଧ୍ୟାରେ ତାଙ୍କୁ ଅଦାଲତରେ ହାଜର କରାଯାଇଛି।

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।