ନୋରାଙ୍କ ନାଁରେ ୩ କୋଟିର ମାନହାନୀ କେସ୍ କଲା ବିମାନ କମ୍ପାନୀ: ଜାଣନ୍ତୁ ପୂରା ଘଟଣା
ବଲିଉଡ୍ର ଚର୍ଚ୍ଚିତ ଅଭିନେତ୍ରୀ ନୋରା ଫତେହିଙ୍କ ଅଡୁଆ ବଢ଼ିଛି। ତାଙ୍କ ବିରୋଧରେ ଗାନ୍ଧୀନଗର କୋର୍ଟରେ ୩ କୋଟି ଟଙ୍କାର ମାନହାନି ମାମଲା ଦାୟର ହୋଇଛି। ଏକ ବିମାନ କମ୍ପାନୀ ନୋରାଙ୍କ ବିରୋଧରେ ଏହି ମାମଲା ଦାୟର କରିଛି। ଅଭିନେତ୍ରୀଙ୍କ ଏକ ମନ୍ତବ୍ୟ ଯୋଗୁ କମ୍ପାନୀର ସମ୍ମାନ ଓ ବ୍ୟବସାୟିକ କ୍ଷତି ହୋଇଥିବା ଅଭିଯୋଗ ହୋଇଛି।
ମାମଲାଟି ଗତବର୍ଷ ଡିସେମ୍ବର ମାସର ଘଟଣାକୁ ନେଇ ହୋଇଛି। ନୋରା ମୁମ୍ବାଇରୁ ଜୟପୁର ଯିବା ପାଇଁ ଏକ ଚାର୍ଟାର୍ଡ ବିମାନ ବୁକ କରିଥିଲେ। ଅଭିଯୋଗ ଅନୁଯାୟୀ, ବିମାନ ଭିତରେ ନୋରା ଏକ ଭିଡିଓ ରେକର୍ଡ କରିଥିଲେ। ଏହି ଭିଡିଓରେ ସେ ବିମାନକୁ ‘ଲେଗୋ ଏୟାରପ୍ଲେନ’ ଏବଂ ‘ଖେଳନା’ ବୋଲି କହିଥିବା ଅଭିଯୋଗ ହୋଇଛି।
ପରେ ଏହି ଭିଡିଓକୁ ନୋରା ନିଜ ଇନ୍ଷ୍ଟାଗ୍ରାମରେ ପୋଷ୍ଟ କରିଥିଲେ। ଏହା ପରେ କମ୍ପାନୀର ପ୍ରତିଷ୍ଠା ଓ ବ୍ୟବସାୟ ଉପରେ ନକାରାତ୍ମକ ପ୍ରଭାବ ପଡ଼ିଛି। ଏପରିକି ଭିଡିଓ ପ୍ରସାରିତ ହେବା ପରେ କିଛି ଫ୍ଲାଇଟ ବୁକିଂ ବାତିଲ ହୋଇଥିବା ମଧ୍ୟ କମ୍ପାନୀ ପକ୍ଷରୁ ଦାବି କରାଯାଇଛି।
କମ୍ପାନୀ ଚଳିତ ବର୍ଷ ଏପ୍ରିଲ ମାସରେ ନୋରା ଫତେହିଙ୍କ ବିରୋଧରେ କୋର୍ଟର ଦ୍ୱାରସ୍ଥ ହୋଇଥିଲା। ଏବେ କମ୍ପାନୀ ନୋରାଙ୍କଠାରୁ ୩ କୋଟି ଟଙ୍କାର କ୍ଷତିପୂରଣ ଦାବି କରିଛି।
କମ୍ପାନୀର ଅଭିଯୋଗ ହେଉଛି, କୌଣସି ବୈଷୟିକ ଜ୍ଞାନ ନଥାଇ ନୋରା ବିମାନ ସମ୍ପର୍କରେ ଏଭଳି ମନ୍ତବ୍ୟ ଦେଇଥିଲେ। ତାଙ୍କ ମନ୍ତବ୍ୟକୁ କମ୍ପାନୀ ଅପମାନଜନକ ଓ ଦାୟିତ୍ୱହୀନ ବୋଲି ଦର୍ଶାଇଛି। ଏହି ମାମଲାରେ ଆସନ୍ତା ସେପ୍ଟେମ୍ବର ୨୫ ତାରିଖରେ ଗାନ୍ଧୀନଗର କୋର୍ଟରେ ଶୁଣାଣି ହେବ। ଏବେ କୋର୍ଟରେ ମାମଲା କେଉଁ ଦିଗକୁ ଯାଉଛି, ତାହା ଉପରେ ନଜର ରହିଛି।
ଚଳିତ ବର୍ଷ ଏପ୍ରିଲ୍ରେ ରିଲିଜ ହୋଇଥିବା କନ୍ନଡ ଫିଲ୍ମ ‘କେଡି: ଦ ଡେଭିଲ’ରେ ସେ ନଜର ଆସିଥିଲେ। KVN ପ୍ରଡକ୍ସନ୍ସ ବ୍ୟାନରରେ ନିର୍ମିତ ଏହି ଫିଲ୍ମରେ ଧ୍ରୁବ ସର୍ଜା, ଶିଳ୍ପା ସେଟ୍ଟୀ, ସଞ୍ଜୟ ଦତ୍ତ ଏବଂ କିଚ୍ଚା ସୁଦୀପଙ୍କ ଭଳି ଅଭିନେତା ମଧ୍ୟ ଅଭିନୟ କରିଛନ୍ତି।
ଆଗାମୀ ଦିନରେ ନୋରା ଫତେହି ‘ସାଇଡ ହିରୋଜ’ ଫିଲ୍ମରେ ଅପାରଶକ୍ତି ଖୁରାନା, ବରୁଣ ଶର୍ମା, ଅଭିଷେକ ବାନାର୍ଜୀ ଏବଂ ରକୁଲ ପ୍ରୀତ ସିଂହଙ୍କ ସହ ନଜର ଆସିବେ। ଫିଲ୍ମଟି ଚଳିତ ବର୍ଷ ରିଲିଜ ହେବାର ଥିଲେ ମଧ୍ୟ ଏପର୍ଯ୍ୟନ୍ତ ମେକର୍ସଙ୍କ ପକ୍ଷରୁ ରିଲିଜ ତାରିଖ ନେଇ କୌଣସି ଅଧିକାରିକ ସୂଚନା ମିଳିନାହିଁ। ତେବେ ଫିଲ୍ମଟି ୨୦୨୭ରେ ରିଲିଜ ହୋଇପାରେ ବୋଲି ଚର୍ଚ୍ଚା ହେଉଛି।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।