ଚାଷଜମିରେ ଦା’ ରେ ହାଣି ହତ୍ୟା ଉଦ୍ୟମ ଘଟଣା, ଜେଲ ଗଲେ ଅଭିଯୁକ୍ତ
ଦିଗପହଣ୍ଡି,୨୪।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସିଦ୍ଧେଶ୍ୱର ଗ୍ରାମର ପ୍ରକାଶ ବେହେରାଙ୍କୁ ତାଙ୍କ ଗ୍ରାମର ଏସ. ବଳରାମ ରେଡ୍ଡୀ ଓରଫ ବଳିଆ ଦା’ ରେ ଆକ୍ରମଣ କରି ହତ୍ୟା ଉଦ୍ୟମ କରିଥିବା ଅଭିଯୋଗ ହୋଇଥିଲା। ଏହି ଘଟଣାରେ ସମ୍ପୃକ୍ତ ଥିବା ଅଭିଯୁକ୍ତ ବଳରାମଙ୍କୁ ତଦନ୍ତକାରୀ ଅଧିକାରୀ ଏଏସଆଇ ଝୁନୁ ମାଝୀ ଗୁରୁବାର ସକାଳେ ଗିରଫ କରି ଅପରାହ୍ନ ରେ କୋର୍ଟ ଚାଲାଣ କରିଛନ୍ତି। ମାମଲା ନଂ.୪୦୪/୨୬ ବିଏନଏସ ର ଦଫା -୧୨୬(୨)/୧୧୮(୧)/୨୯୬/୧୦୯/୩୫୧(୨) ଅନୁଯାୟୀ ଜାମିନ ଆବେଦନ ଖାରଜ ହେବାରୁ ଅଭିଯୁକ୍ତଙ୍କୁ ଦିଗପହଣ୍ଡି ସବ ଜେଲ ହାଜତକୁ ପଠାଇ ଦିଆଯାଇଛି।
ଗତ ସୋମବାର ସକାଳ ପ୍ରାୟ ୮ ଟାରେ ପ୍ରକାଶ ଗାଁ ନିକଟ ତାଙ୍କ ଚାଷଜମିରେ କାମକରୁଥିବା ବେଳେ ବଳିଆ ହାତରେ ଏକ ଦା ‘ ଧରି ତାଙ୍କ ପାଖକୁ ଦୌଡ଼ି ଆସିବା ସହ ଗାଳିଗୁଲଜ କରିଥିଲେ । କଣ ପାଇଁ ଜମିର ହିଡ ବାନ୍ଧି ଆମ ଜମିକୁ ପାଣି ଛାଡୁନୁ କହି ଧରିଥିବା ଦା ‘ ରେ ଆକ୍ରମଣ କରିବାରୁ ତାଙ୍କ ଡାହାଣ ହାତ ଓ ବେକକୁ ଆଘାତ ଲାଗିଥିଲା। ସେ ଅଚେତ ଅବସ୍ଥାରେ ତଳେ ପଡିଯିବାରୁ ପ୍ରକାଶ ମୃତ୍ୟୁବରଣ କରିଗଲା ଭାବନା କରି ବଳିଆ ସେଠାରୁ ଦୌଡି ପଳାଇଥିଲେ।
ଚେତା ଫେରିବାପରେ ପ୍ରକାଶ ବହୁ କଷ୍ଟରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଘରେ ପହଞ୍ଚି ଭାଇଙ୍କୁ ସବୁ କଥା ଜଣାଇଥିଲେ । ଭାଇ ଓ ସମ୍ପର୍କୀୟ ଲୋକେ ତାଙ୍କୁ ଚିକିତ୍ସା ନିମନ୍ତେ ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ସେଠାରୁ ଚିକିତ୍ସା ହୋଇ ଫେରିବା ପରେ ପ୍ରକାଶ ଥାନାରେ ପହଞ୍ଚି ଏତଲା ଦେଇଥିଲେ ।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।