ଚେକ୍‌ ବାଉନ୍ସ ମାମଲା: ସୁଧମୂଳ ସହ ୪୨.୫୦ ଲକ୍ଷ ଟଙ୍କା ଫେରାଇବେ ଆର୍‌ଆଇ, ଜରିମାନା ଅର୍ଥ ଅନାଦେୟ ହେଲେ…

Oct 04, 2026 - 14:48
ଚେକ୍‌ ବାଉନ୍ସ ମାମଲା: ସୁଧମୂଳ ସହ ୪୨.୫୦ ଲକ୍ଷ ଟଙ୍କା ଫେରାଇବେ ଆର୍‌ଆଇ, ଜରିମାନା ଅର୍ଥ ଅନାଦେୟ ହେଲେ…

ଭଞ୍ଜନଗର,୪ା୧୦(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଜେଏମ୍‌ଏଫ୍‌ସି କୋର୍ଟରେ ଏକ ଚେକ୍‌ ବାଉନ୍ସ ମାମଲାର ବିଚାରଣ କରାଯାଇ ରାୟ ପ୍ରକାଶ ପାଇଛି। ମାମଲାର ଅଭିଯୁକ୍ତ ରାଜସ୍ବ ନିରୀକ୍ଷକ (ଆର୍‌ଆଇ) ବସନ୍ତ ମଲ୍ଲିକ ଅଭିଯୋଗକାରୀଙ୍କୁ ମୂଳଧନ ଓ ସୁଧ ସହ ମୋଟ୍‌ ୪୨ ଲକ୍ଷ ୫୦ ହଜାର ଟଙ୍କା ଫେରସ୍ତ କରିବାକୁ ଜେଏମ୍‌ଏଫସି ଭିଏନା ନାୟକ ତାଙ୍କ ରାୟରେ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ଅଭିଯୁକ୍ତ ବସନ୍ତଙ୍କୁ ୧୮ ମାସ ସଶ୍ରମ କାରାଦଣ୍ଡ ଶୁଣାଇଛନ୍ତି। ଜରିମାନା ଅର୍ଥ ଅନାଦେୟ ହେଲେ ଅତିରିକ୍ତ ୪ ମାସ କାରାଦଣ୍ଡ ଭୋଗିବାକୁ ରାୟରେ ନିର୍ଦ୍ଦେଶ ରହିଛି।

ଘଟଣାରୁ ପ୍ରକାଶ ଯେ, ୨୦୨୨ରେ ଜଗନ୍ନାଥପ୍ରସାଦ ବ୍ଲକର କୋକଳବାଠାରେ ରାଜସ୍ବ ନିରୀକ୍ଷକ ଭାବେ ନିଯୁକ୍ତ ଥିବା ବସନ୍ତ ମଲ୍ଲିକ ଭଞ୍ଜନଗର ପାର୍କ ଛକ ନିକଟରେ ଥିବା ନିଜ ଘରକୁ ବିକ୍ରି କରିବା ପାଇଁ ୪୦ ଲକ୍ଷ ଟଙ୍କା ଦର ଧାର୍ଯ୍ୟ କରିଥିଲେ। ଏହି ଘର କିଣିବା ପାଇଁ ଭଞ୍ଜନଗର ଭେଜିପୁଟ ଅଞ୍ଚଳର ସୁକାନ୍ତ କୁମାର ପଟ୍ଟନାୟକ ଚୁକ୍ତିନାମା କରି ପ୍ରଥମେ ୯ ଲକ୍ଷ ଟଙ୍କା ଅଗ୍ରୀମ ଦେଇଥିଲେ। ପରବର୍ତ୍ତୀ ସମୟରେ ପୁଣି ୯ ଲକ୍ଷ ଓ ୧୦ ଲକ୍ଷ ଟଙ୍କା ଦେଇ ସୁକାନ୍ତ ସର୍ବମୋଟ ୨୮ ଲକ୍ଷ ଟଙ୍କା ଅଗ୍ରୀମ ପ୍ରଦାନ କରିଥିଲେ। ତେବେ ବିଭିନ୍ନ କାରଣରୁ ଘରର ରେଜିଷ୍ଟ୍ରେଶନ ହୋଇପାରି ନ ଥିଲା। ଏହାପରେ ସୁକାନ୍ତ ନିଜ ଟଙ୍କା ଫେରସ୍ତ ମାଗିବାରୁ ବସନ୍ତ ମଲ୍ଲିକ ତାଙ୍କୁ ତିନୋଟି ଚେକ ପ୍ରଦାନ କରିଥିଲେ। କିନ୍ତୁ ସୁକାନ୍ତ ବ୍ୟାଙ୍କରେ ଚେକ୍‌ ଜମା କରିବା ପରେ ଉକ୍ତ ଚେକ୍‌ଗୁଡ଼ିକ ବାଉନ୍ସ ହୋଇଥିଲା। ଏହାପରେ ସୁକାନ୍ତ କୁମାର ପଟ୍ଟନାୟକ ଆଇନର ଆଶ୍ରୟ ନେଇ ଭଞ୍ଜନଗର ଜେଏମ୍‌ଏଫ୍‌ସି କୋର୍ଟରେ ମାମଲା ରୁଜୁ କରିଥିଲେ। ଦୀର୍ଘଦିନର ବିଚାରଣ ପରେ ଶନିବାର ଏହାର ରାୟ ପ୍ରକାଶ ପାଇଛି। ଅଭିଯୋଗକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ରଣଜିତ ପଟ୍ଟନାୟକ ମାମଲା ପରିଚାଳନା କରୁଥିଲେ।

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।