ଜଗନ୍ନାଥପ୍ରସାଦରେ ଚାଞ୍ଚଲ୍ୟ; ନବବଧୂଙ୍କ ସନ୍ଦେହଜନକ ମୃତ୍ୟୁ, ସ୍ବାମୀ ଅଟକ
ଜଗନ୍ନାଥପ୍ରସାଦ,୪।୯(ବିଭୁ ପ୍ରସାଦ ପଟ୍ଟନାୟକ): ଗଞ୍ଜାମ ଜିଲା ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ ପଞ୍ଚଭୂତି ଗ୍ରାମର ଖଦାଳ ସାହିରେ ଅଭାବନୀୟ ଘଟଣା ଘଟିଯାଇଛି । ଜଣେ ନବବଧୂଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି। ମୃତ ମହିଳା ଜଣକ ହେଲେ ବିଶ୍ୱାମିତ୍ର ନାଇକଙ୍କ ୨୩ ବର୍ଷୀୟା ପତ୍ନୀ ଝୁମୁରି ନାଇକ । ଝୁମୁରିଙ୍କୁ ହତ୍ୟା କରାଯାଇଥିବା ନେଇ ପରିବାର ଲୋକେ ଥାନାରେ ଅଭିଯୋଗ କରିବା ପରେ ପୋଲିସ ମୃତଦେହ ଜବତ କରିବା ସହ ସ୍ୱାମୀ ବିଶ୍ୱାମିତ୍ରଙ୍କୁ ଥାନାରେ ଅଟକ ରଖି ପଚରାଉଚରା ଚଲାଇଛି ।
ସୂଚନା ଅନୁଯାୟୀ, ମାତ୍ର ୨ ବର୍ଷ ପୂର୍ବେ ସାମାଜିକ ରୀତିନୀତି ଅନୁସାରେ ଝୁମୁରିଙ୍କ ବିବାହ ବିଶ୍ୱାମିତ୍ରଙ୍କ ସହ ସମ୍ପନ୍ନ ହୋଇଥିଲା। ବିବାହର କିଛି ଦିନ ସବୁକିଛି ଠିକ୍ ଚାଲିଥିବା ବେଳେ ପରବର୍ତ୍ତୀ ସମୟରେ ପାରିବାରିକ କଳହ ଆରମ୍ଭ ହୋଇଥିଲା। ବିଶ୍ୱାମିତ୍ର ପ୍ରତିଦିନ ଅତ୍ୟଧିକ ମଦ ପିଇ ଘରକୁ ଆସୁଥିଲେ ଏବଂ ସାମାନ୍ୟ କଥାରେ ଝୁମୁରିଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦେବା ସହ ମାରପିଟ୍ କରୁଥିଲେ ବୋଲି ମୃତକଙ୍କ ପରିବାର ଲୋକେ ଗୁରୁତର ଅଭିଯୋଗ ଆଣିଛନ୍ତି। ଏହି ପାରିବାରିକ ବିବାଦର ସମାଧାନ ପାଇଁ ପୂର୍ବରୁ ଉଭୟ ପରିବାର ପକ୍ଷରୁ ବହୁବାର ବୈଠକ ବସି ବୁଝାବୁଝି ପାଇଁ ଚେଷ୍ଟା କରାଯାଇଥିଲେ ମଧ୍ୟ ବିଶ୍ୱାମିତ୍ରଙ୍କ ବ୍ୟବହାରରେ କୌଣସି ପରିବର୍ତ୍ତନ ଆସି ନଥିଲା। ଗତ ଗୁରୁବାର ସନ୍ଧ୍ୟା ସମୟରେ କୌଣସି ଏକ ଘରୋଇ କଥାକୁ ନେଇ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ପୁଣି ଥରେ ପ୍ରବଳ ପାଟିତୁଣ୍ଡ ହୋଇଥିଲା। ଏହାର କିଛି ସମୟ ପରେ, ଅର୍ଥାତ୍ ଗତକାଲି ଝୁମୁରିଙ୍କ ଶାଶୁ ହଠାତ୍ ମୁଦୁଲି ପଲ୍ଲୀ ରେ ରହୁଥିବା ଝୁମୁରି ର ବଡ଼ ଭଉଣୀ କୁନି ନାଇକଙ୍କ ମୋବାଇଲ୍ ଫୋନକୁ କଲ୍ କରି ଝୁମୁରିଙ୍କ ମୃତ୍ୟୁ ଘଟିଥିବା ନେଇ ସୂଚନା ଦେଇଥିଲେ।
ନବବଧୂଙ୍କ ମୃତ୍ୟୁ ଖବର ପାଇବା ପରେ ପରିବାର ଲୋକେ ସ୍ତବ୍ଧ ହୋଇଯାଇଥିଲେ ଏବଂ ଏହା ସ୍ୱାଭାବିକ ମୃତ୍ୟୁ ନୁହେଁ, ବରଂ ଯୋଜନାବଦ୍ଧ ହତ୍ୟା ବୋଲି ଦାବି କରିଥିଲେ। ଘଟଣା ସମ୍ପର୍କରେ ଖବର ପାଇ ଜଗନ୍ନାଥପ୍ରସାଦ ଥାନା ପୋଲିସ ଅଧିକାରୀ ପ୍ରମୋଦ କୁମାର ଲେଙ୍କା ତୁରନ୍ତ ପଞ୍ଚଭୂତି ଗ୍ରାମରେ ପହଞ୍ଚି ପ୍ରାଥମିକ ତଦନ୍ତ ଓ ପଚରାଉଚରା ସମୟରେ ଅଟକ ସ୍ୱାମୀ ବିଶ୍ୱାମିତ୍ର ନିଜକୁ ନିର୍ଦ୍ଦୋଷ ବୋଲି କହିଛନ୍ତି। ସେ ଘଟଣା ସମୟରେ ବାହାରେ ଥିଲେ ଏବଂ ଘରକୁ ଫେରିବା ପରେ ଝୁମୁରି ନିଜ ଶାଢ଼ୀରେ ଫାଶୀ ଲଗାଇ ଆତ୍ମ ହତ୍ୟା କରିଥିବା କହିଛନ୍ତି । ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହେବ ବୋଲି ପୋଲିସ ସୂଚନା ଦେଇଛି।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।