୧୦ ଏକର ଜମିରେ ଗଞ୍ଜେଇ ଚାଷ :  ୧୨ ହଜାର ଗଛ ନଷ୍ଟ; ୩ ଗିରଫ

Sep 04, 2026 - 14:18
୧୦ ଏକର ଜମିରେ ଗଞ୍ଜେଇ ଚାଷ :  ୧୨ ହଜାର ଗଛ ନଷ୍ଟ; ୩ ଗିରଫ

କୋରାପୁଟ, ୪/୯ (ଅମିତାଭ ବେହେରା): କୋରାପୁଟ ଜିଲାରେ ଅବୈଧ ନିଶାଦ୍ରବ୍ୟ ଚାଷ ବିରୋଧରେ  ପୋଲିସର ଅଭିଯାନ ଜୋରଦାର ଚାଲିଛି।

ସୂଚନା ଆଧାରରେ ପାଡ଼ୱା ଥାନା  ପୋଲିସ ଡିସାରିଗୁଡ଼ା ନିକଟସ୍ଥ ପାହାଡ଼ିଆ ଅଞ୍ଚଳ ଓ ଲେଞ୍ଜିଗୁଡ଼ା ଜଙ୍ଗଲ ଅଞ୍ଚଳରେ ଚଢ଼ଉ କରି ବ୍ୟାପକ ଅବୈଧ ଗଞ୍ଜେଇ ଚାଷ ଠାବ କରିଛି। ଏହି ଚଢ଼ଉରେ ପ୍ରାୟ ୧୦ ଏକର ଜମିରେ ଚାଷ ହୋଇଥିବା ୧୨ ହଜାର ଗଞ୍ଜେଇ ଗଛ ନଷ୍ଟ କରାଯାଇଥିବା କୋରାପୁଟ ଏସ୍‌ପି କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ମିଳିଥିବା ସୂଚନା ଅନୁଯାୟୀ, ପାଡ଼ୱା ଥାନାର ଏସ୍‌ଆଇ ଉମେଶ ଧାରୁଆଙ୍କ ନେତୃତ୍ୱରେ ପୋଲିସ ଟିମ୍‌ ଏହି ଚଢ଼ଉ କରିଥିଲା। ଚଢ଼ଉ ସମୟରେ କାର୍ଯ୍ୟନିର୍ବାହୀ ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ ଗଞ୍ଜେଇ ଚାଷ ଅଞ୍ଚଳକୁ ଯାଞ୍ଚ କରାଯାଇଥିଲା। ସେଠାରେ ତିନି ଜଣ ବ୍ୟକ୍ତି ଗଞ୍ଜେଇ ଚାଷର ରକ୍ଷଣାବେକ୍ଷଣ ଓ ଗଛ ଲଗାଇବା କାର୍ଯ୍ୟରେ ନିୟୋଜିତ ଥିବାବେଳେ ପୋଲିସ ସେମାନଙ୍କୁ ଧରିଥିଲା।

ଗିରଫ ତିନି ଅଭିଯୁକ୍ତ ହେଲେ ଡିସାରିଗୁଡ଼ାର ଜୟରାମ ଗେମେଲ (୩୦), ଲେଞ୍ଜିଗୁଡ଼ାର ହସ୍ୟ ଖରା (୪୫) ଓ ଲେଞ୍ଜିଗୁଡ଼ାର ଘାସି ଗେମେଲ (୪୨)। ସମସ୍ତେ ପାଡ଼ୱା ଥାନା ଅନ୍ତର୍ଗତ ତଥା କୋରାପୁଟ ଜିଲାର ବାସିନ୍ଦା ବୋଲି ପ୍ରେସ୍‌ ନୋଟ୍‌ରେ ଉଲ୍ଲେଖ ରହିଛି।

ପୋଲିସ ପକ୍ଷରୁ ଚାଷ ହୋଇଥିବା ପ୍ରାୟ ୧୨ ହଜାର ଗଞ୍ଜେଇ ଗଛକୁ ଉପାଡ଼ି ନଷ୍ଟ କରାଯାଇଛି। କାର୍ଯ୍ୟନିର୍ବାହୀ ମାଜିଷ୍ଟ୍ରେଟ୍‌ ଓ ସ୍ୱାଧୀନ ସାକ୍ଷୀଙ୍କ ଉପସ୍ଥିତିରେ ଏହି ନଷ୍ଟ ପ୍ରକ୍ରିୟା କରାଯାଇଥିବା ପୋଲିସ ପକ୍ଷରୁ କୁହାଯାଇଛି।

ଘଟଣାସ୍ଥଳରୁ ପୋଲିସ ପ୍ରାୟ ୧୨ ହଜାର ଗଞ୍ଜେଇ/ହେମ୍ପ ଗଛ, ୨ଟି ପ୍ଲାଷ୍ଟିକ ବାଲ୍ଟି, ୨ଟି କୋଦାଳ ଏବଂ ୟୁରିଆ ସାର ଥିବା ଏକ ଅଧବ୍ୟବହୃତ ଜରି ବସ୍ତା ଜବତ କରିଛି।

ଏହି ଘଟଣାକୁ ନେଇ ପାଡ଼ୱା ଥାନାରେ କେସ୍‌ ନମ୍ବର ୮୮, ତାରିଖ ୦୩.୦୯.୨୦୨୬ରେ ଏନ୍‌ଡିପିଏସ୍‌ ଆଇନର ଧାରା ୨୯(ଏ)(i) ଅନୁଯାୟୀ ମାମଲା ରୁଜୁ ହୋଇଥିବା ପ୍ରେସ୍‌ ନୋଟ୍‌ରେ ଦର୍ଶାଯାଇଛି।

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।