ଜିଲ୍ଲା ହସ୍ପିଟାଲ ରେ ମିଳିବ କେମୋଥେରାପି - ମନ୍ତ୍ରୀ

Sep 09, 2026 - 16:31
ଜିଲ୍ଲା ହସ୍ପିଟାଲ ରେ ମିଳିବ କେମୋଥେରାପି - ମନ୍ତ୍ରୀ

ଭୁବନେଶ୍ୱର : ଗାଁ ରେ ପହଞ୍ଚିବ କ୍ୟାନ୍ସର କେୟାର ଭ୍ୟାନ୍ । ଏହାର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ । କ୍ୟାନ୍ସର କେୟାର କ୍ଷେତ୍ରରେ ଓଡ଼ିଶାକୁ ଏକ ମଡେଲ୍ ରାଜ୍ୟରେ ପରିଣତ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି । ଏହାସହ ରାଜ୍ୟର ୩୨ ଟି ଜିଲ୍ଲା ହସ୍ପିଟାଲରେ ଡେ-କେୟାର ସିଷ୍ଟମ୍ ଲାଗୁ କରାଯିବ । ଏହି ବ୍ୟବସ୍ଥା ଲାଗୁ ହେଲେ କ୍ୟାନ୍ସର ରୋଗୀଙ୍କୁ ପ୍ରତିଥର ଚିକିତ୍ସା ପାଇଁ ଦୂର ଜିଲ୍ଲା କିମ୍ବା କଟକ ଯିବାକୁ ପଡ଼ିବ ନାହିଁ ।

କ୍ୟାନ୍ସର ଚିକିତ୍ସାକୁ କେବଳ ବଡ଼ ସହର ମଧ୍ୟରେ ସୀମିତ ନରଖି ରାଜ୍ୟର ପ୍ରତ୍ୟେକ ଜିଲ୍ଲା ଓ ରୋଗୀଙ୍କ ନିକଟରେ ପହଞ୍ଚାଇବାକୁ ଓଡ଼ିଶା ସରକାର ବଡ଼ ପଦକ୍ଷେପ ନେଇଛନ୍ତି । କ୍ୟାନ୍ସର ଚିହ୍ନଟ ହେବା ପରେ ରୋଗୀ ଆଚାର୍ଯ୍ୟ ହରିହର କ୍ୟାନ୍ସର ସେଣ୍ଟରରେ ପ୍ରଥମ କେମୋଥେରାପି ନେବେ । ଏହାପରେ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ଆବଶ୍ୟକ ପରବର୍ତ୍ତୀ କେମୋଥେରାପି ନିଜ ଜିଲ୍ଲା ହସ୍ପିଟାଲରେ ନେଇପାରିବେ । ଫଳରେ ରୋଗୀ ଓ ତାଙ୍କ ପରିବାରକୁ ବାରମ୍ବାର ଦୂର ସ୍ଥାନକୁ ଯାତାୟାତ କରିବାର ଖର୍ଚ୍ଚ ଓ ଅନ୍ୟାନ୍ୟ ଆର୍ଥିକ ବୋଝରୁ ଆଶ୍ୱସ୍ତି ମିଳିବ । ସେହିପରି କ୍ୟାନ୍ସର ଚିହ୍ନଟ ହେଲେ ଆଚାର୍ଯ୍ୟ ହରିହର କ୍ୟାନ୍ସର ସେଣ୍ଟରରେ ମାଗଣା ଚିକିତ୍ସା ସୁବିଧା ଯୋଗାଇଦେବା ପାଇଁ ମଧ୍ୟ ବ୍ୟବସ୍ଥା କରାଯାଇଥିବା ସ୍ୱାସ୍ଥ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି । ନୂଆ ବ୍ୟବସ୍ଥା ଦ୍ୱାରା ଗ୍ରାମାଞ୍ଚଳର କ୍ୟାନ୍ସର ରୋଗୀମାନେ ନିଜ ଅଞ୍ଚଳରେ ଅଧିକ ସହଜରେ ଚିକିତ୍ସା ସୁବିଧା ପାଇପାରିବେ ବୋଲି ଆଶା କରାଯାଉଛି ।

 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।