ଦିଲ୍ଲୀରେ ଅଟ୍ଟାଳିକା ଭୁଶୁଡ଼ିବା ପରେ ପିଜି ନିୟନ୍ତ୍ରଣ ପାଇଁ ପ୍ରସ୍ତାବ
ନୂଆଦିଲ୍ଲୀ : ଦକ୍ଷିଣ ଦିଲ୍ଲୀର ସତ୍ୟ ନିକେତନରେ ପିଜି ଅଟ୍ଟାଳିକା ଭୁଶୁଡ଼ି ପଡ଼ି ୭ ଜଣଙ୍କ ମୃତ୍ୟୁ ଘଟିବାର କିଛି ଦିନ ପରେ, ଦିଲ୍ଲୀ ସରକାର ପେଇଂ ଗେଷ୍ଟ୍ (ପିଜି) ଆବାସଗୁଡ଼ିକ ପାଇଁ ଏକ ନୂଆ ନିୟମର ପ୍ରସ୍ତାବ ଦେଇଛନ୍ତି। ଏହାଦ୍ବାରା ନିୟନ୍ତ୍ରଣ ବାହାରେ ଥିବା ପିଜି କ୍ଷେତ୍ରକୁ ଲାଇସେନ୍ସ, ସୁରକ୍ଷା ଏବଂ ଭଡ଼ା ନିୟନ୍ତ୍ରଣର ଏକ ଔପଚାରିକ ବ୍ୟବସ୍ଥା ଅଧୀନରେ ଆଣିବାକୁ ଚେଷ୍ଟା କରାଯାଉଛି। ଦକ୍ଷିଣ ଦିଲ୍ଲୀର ସତ୍ୟ ନିକେତନରେ ରବିବାର ଏକ ପାଞ୍ଚ ମହଲା କୋଠା, ଯେଉଁଠାରେ ଛାତ୍ରମାନଙ୍କ ପାଇଁ ଏକ ପିଜି ଚାଲୁଥିଲା, ଭୁଶୁଡ଼ି ପଡ଼ିବାରୁ ୭ ଜଣଙ୍କ ମୃତ୍ୟୁ ଘଟିଥିଲା। ଦିଲ୍ଲୀ ସରକାର ପ୍ରସ୍ତାବିତ ‘ ପେଇଙ୍ଗ ଗେଷ୍ଟ ଆକୋମାଡେସନ୍ ରେଗୁଲେସନ୍ ଆଣ୍ଡ ୱେଲଫେୟାର ବିଲ୍’ ମାଧ୍ୟମରେ ମୁଖର୍ଜୀ ନଗର, ଲକ୍ଷ୍ମୀ ନଗର, ରାଜେନ୍ଦ୍ର ନଗର ଏବଂ ନର୍ଥ କ୍ୟାମ୍ପସ୍ ଭଳି ପ୍ରମୁଖ ଛାତ୍ର ଓ କୋଚିଂ ହବ୍ରେ ଥିବା ପିଜି ଗୁଡ଼ିକୁ ଏକ ଔପଚାରିକ ନିୟନ୍ତ୍ରଣ ବ୍ୟବସ୍ଥା ମଧ୍ୟରେ ଆଣିବାକୁ ଚାହୁଁଛନ୍ତି। ପ୍ରସ୍ତାବ ଅନୁଯାୟୀ, ଦିଲ୍ଲୀରେ ଚାଲୁଥିବା ପ୍ରତ୍ୟେକ ପିଜିକୁ ପଞ୍ଜୀକୃତ ହେବା ସହିତ ୯୦ ଦିନ ମଧ୍ୟରେ ସମ୍ପର୍କିତ ଜୋନିଂ କର୍ତ୍ତୃପକ୍ଷଙ୍କଠାରୁ ଚାଲୁ କରିବାର ଲାଇସେନ୍ସ ନେବାକୁ ପଡ଼ିବ। ଏଥିପାଇଁ ପୁଲିସ, ମ୍ୟୁନିସିପାଲ୍ କର୍ପୋରେସନ୍ ଏବଂ ସ୍ଥାନୀୟ ପ୍ରଶାସନଠାରୁ ନୋ-ଅବଜେକ୍ସନ୍ ସାର୍ଟିଫିକେଟ୍ (ଏନ୍ଓସି) ଆବଶ୍ୟକ ହେବ। ପଞ୍ଜୀକୃତ ପ୍ରତ୍ୟେକ ପିଜିକୁ ଏକ ସ୍ୱତନ୍ତ୍ର ପିଜିଆରଏନ୍ (ପେଇଙ୍ଗ ଗେଷ୍ଟ ରେଜିଷ୍ଟ୍ରେସନ ନମ୍ବର) ଦିଆଯିବ। ପ୍ରମାଣିତ ପିଜି ଗୁଡ଼ିକର ବିବରଣୀ ଏକ ପ୍ରସ୍ତାବିତ ସିଙ୍ଗଲ୍-ୱିଣ୍ଡୋ ଡିଜିଟାଲ୍ ପ୍ଲାଟଫର୍ମରେ ଉପଲବ୍ଧ ହେବ। ପ୍ରସ୍ତାବିତ ବିଲ୍ରେ ମନମୁଖୀ ଭଡ଼ା ଏବଂ ଅତ୍ୟଧିକ ସିକ୍ୟୁରିଟି ଡିପୋଜିଟ୍ ସମ୍ପର୍କିତ ଅଭିଯୋଗକୁ ମଧ୍ୟ ସମାଧାନ କରିବାର ବ୍ୟବସ୍ଥା ରହିଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।