ଜେଲ ରୁ ବାହାରିଲେ ଆନ୍ଦୋଳନରତ ଅଟୋ ଚାଳକ
ଭୁବନେଶ୍ୱର : ଜେଲ ରୁ ବାହାରିଲେ ୨୭ ଜଣ ଆନ୍ଦୋଳନରତ ଅନଲାଇନ ଅଟୋ ଚାଳକ । ଗତ ଅଗଷ୍ଟ ମାସ ୧୭ ରୁ ୧୯ ପର୍ଯ୍ୟନ୍ତ ୭ ଦଫା ଦାବି ନେଇ ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନ ଠାରେ ଆନ୍ଦୋଳନ କରିଥିଲେ ସ୍ମାର୍ଟ ସିଟି ଅନଲାଇନ ଅଟୋ ଚାଳକ । ତେବେ ୧୯ ତାରିଖ ଦିନ ଆନ୍ଦୋଳନରତ ଅଟୋଚାଳକ ମାନେ ବିସ୍ଫୋରକ ପରିସ୍ଥିତି ସୃଷ୍ଟି କରିଥିଲେ । ମାଷ୍ଟରକ୍ୟାଣ୍ଟିନ ଓ ଷ୍ଟେସନ ସ୍କୋୟାର ନିକଟରେ ରାସ୍ତା ଅବରୋଧ, ପୋଲିସ ଗାଡ଼ି ଭଙ୍ଗାରୁଜା ଏବଂ ଟେକାପଥର ମାଡ଼ ଯୋଗୁଁ ପ୍ରାୟ ୧୩ ଜଣ ପୋଲିସ କର୍ମଚାରୀ ଆହତ ହୋଇଥିଲେ । ଏଥିରେ ଏକାଧିକ ସରକାରଙ୍କ ଆମ ବସ କ୍ଷତିଗ୍ରସ୍ତ ହେବା ସହିତ ନାହିଁ ନଥିବା ହଇରାଣ ହୋଇଥିଲେ ଯାତ୍ରୀ । ପରିସ୍ଥିତି ଅନାୟତ ହେବା ଦେଖି ଆକ୍ସନ ମୁଡ଼ କୁଆସିଥିଲା ପୋଲିସ । ଦିନକ ପାଇଁ ଧାରଣା ଦେବାକୁ ଅନୁମତି ନେଇ ୩ଦିନ ଧରି ବେଆଇନ ଭାବରେ ହରକତ କରିବାରୁ ଅଟୋ ଚାଳକଙ୍କୁ ଗୋଡେଇ ଗୋଡେଇ ନିର୍ଘାତ ପିଟିଥିଲା । ଏହାପରେ ପୋଲିସ ଅଟୋ ଚାଳକ ସଂଘ ସଭାପତି ଦୀନବନ୍ଧୁ ନାୟକଙ୍କ ସମେତ ୧୧୩ ଜଣ ଚାଳକଙ୍କୁ ଗିରଫ କରିବା ସହ ୩୫୦ରୁ ଅଧିକ ଗାଡ଼ି ଜବତ କରିଥିଲା । ତେବେ ୬୦ ଜଣକୁ ଉତ୍ତମ ବ୍ୟବହାର ପାଇଁ ପୁଲିସ ଛାଡିଦେଇଥିଲା ।
ପରବର୍ତ୍ତୀ ସମୟରେ ଡ୍ରାଇଭର ମହାସଂଘ ପକ୍ଷରୁ ଏହି ଅପ୍ରୀତିକର ପରିସ୍ଥିତି ପାଇଁ ଦୁଃଖ ପ୍ରକାଶ କରାଯିବା ସହ ଗିରଫ ଚାଳକଙ୍କ ଜାମିନ ମଞ୍ଜୁର ଏବଂ ଗାଡ଼ିଗୁଡ଼ିକୁ ମୁକ୍ତ କରିବା ପାଇଁ ପ୍ରକ୍ରିୟା ଜାରି ରହିଥିଲା । ବର୍ତ୍ତମାନ ସୁଦ୍ଧା ଅଟୋ ଚାଳକ ସଂଘ ସଭାପତି ଦୀନବନ୍ଧୁ ନାୟକ ଜେଲ ରେ ଅଛନ୍ତି ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।