ଜୈବବିବିଧତାର ମୁଖ୍ୟ କେନ୍ଦ୍ରସ୍ଥଳ
୨୦୨୫ ମସିହାରେ କେରଳରେ ସର୍ବାଧିକ ସଂଖ୍ୟକ ନୂତନ ପ୍ରାଣୀ ଆବିଷ୍କାର କରାଯାଇଛି, ଯାହା ପଶ୍ଚିମଘାଟ ପର୍ବତମାଳାକୁ ଭାରତର ଅନ୍ୟତମ ସମୃଦ୍ଧ ଜୈବବିବିଧତା ହଟ୍ସ୍ପଟ୍ ଭାବେ ପୁନର୍ବାର ପ୍ରମାଣିତ କରିଛି । ଏହା ପଛକୁ ପଶ୍ଚିମବଙ୍ଗ, କର୍ଣ୍ଣାଟକ ଏବଂ ଅରୁଣାଚଳ ପ୍ରଦେଶ ରହିଛନ୍ତି । ଏହି ଅଞ୍ଚଳଗୁଡ଼ିକ ଦଶନ୍ଧି ଦଶନ୍ଧି ଧରି ଅନୁଧ୍ୟାନ କରାଯାଉଥିଲେ ବି, ବିଜ୍ଞାନ ପାଇଁ ଅଜଣା ଥିବା ନୂଆ ନୂଆ ପ୍ରଜାତିଗୁଡ଼ିକୁ ନିରନ୍ତର ସାମ୍ନାକୁ ଆସୁଛନ୍ତି । ଏହି ସନ୍ଧାନ ସୂଚାଉଛି ଯେ ଜୈବବିବିଧତା କ୍ରମାଗତ ଭାବେ ବିକଶିତ ହେଉଛି ଏବଂ ପ୍ରତିଟି ସମୟରେ କିଛି ନୂଆ ପ୍ରଜାତିକୁ ଜନ୍ମ ଦେଉଛି । ସେହିଭଳି ଏହି ସମସ୍ତ ଆବିଷ୍କାର ବର୍ତ୍ତମାନ ଜୈବ ବିବିଧତା ଉପରେ ପଡୁଥିବା ଚାପର ମୁକାବିଲା ପାଇଁ ମଧ୍ୟ ସହାୟକ ହୋଉଛନ୍ତି ।
ଉଦ୍ଭିଦ ଜଗତର ସମାନ ସଫଳତା
କେବଳ ପ୍ରାଣୀ ନୁହେଁ ବଟାନିକାଲ ସର୍ଭେ ଅଫ୍ ଇଣ୍ଡିଆ ମଧ୍ୟ ୨୦୨୫ରେ ଗୁରୁତ୍ୱପୂର୍ଣ୍ଣ ଆବିଷ୍କାର ରିପୋର୍ଟ କରିଛି । ବିଏସଆଇ ମୋଟ ୩୫୩ଟି ଉଦ୍ଭିଦ ପ୍ରଜାତି ଲିପିବଦ୍ଧ କରିଛି, ଯେଉଁଥିରେ ୨୨୧ଟି ବିଜ୍ଞାନ ପାଇଁ ସମ୍ପୂର୍ଣ୍ଣ ନୂତନ ପ୍ରଜାତି ଏବଂ ୧୩୨ଟି ଦେଶ ପାଇଁ ନୂତନ ରେକର୍ଡ ଅନ୍ତର୍ଭୁକ୍ତ । ଉଦ୍ଭିଦ ଆବିଷ୍କାର କ୍ଷେତ୍ରରେ ଅରୁଣାଚଳ ପ୍ରଦେଶ ଶୀର୍ଷରେ ଥିବା ବେଳେ ଏହା ପଛକୁ ଉତ୍ତରାଖଣ୍ଡ ଏବଂ କେରଳ ରହିଛନ୍ତି । ଏହି ଆବିଷ୍କାରଗୁଡ଼ିକ ମଧ୍ୟରେ ଏକ ନୂତନ ସୁନାରୀ ବା ଫର୍ଣ୍ଣ ଜାତୀୟ ଉଦ୍ଭିଦ, ପଶ୍ଚିମଘାଟରୁ ମିଳିଥିବା ଆତର ଏକ ଜଙ୍ଗଲୀ ପ୍ରଜାତି ଏବଂ ଏକ ଜଙ୍ଗଲୀ ଖାଇବାଯୋଗ୍ୟ 'ଟୁଥ୍ ଫଙ୍ଗସ୍' ଅନ୍ୟତମ । ଉଭୟ ପ୍ରାଣୀ ଏବଂ ଉଦ୍ଭିଦ ବିଜ୍ଞାନର ଏହିସମସ୍ତ ଆବିଷ୍କାର ଭାରତର ପ୍ରାକୃତିକ ଐତିହ୍ୟର ଏକ ସମୃଦ୍ଧ ଚିତ୍ର ପ୍ରଦାନ କରୁଛି । ଭାରତର ଜଙ୍ଗଲ, ପାହାଡ଼, ନଦୀ ଏବଂ ଦ୍ୱୀପସମୂହଗୁଡ଼ିକରେ ନିରନ୍ତର ଏପରି ପ୍ରଜାତି ସାମ୍ନାକୁ ଆସୁଛି ଯାହା ବିଜ୍ଞାନ ପୂର୍ବରୁ କେବେ ଦେଖିନଥିଲା । ତେଣୁ ଏହି ଆବିଷ୍କାର ଏହା ସୂଚାଉଛି କି ପ୍ରକୃତି ମଧ୍ୟରେ ଆହୁରି ଏଭଳି ଅନେକ ପ୍ରଜାତି ଲୁଚି ରହିଛନ୍ତି, ଯେଉଁଗୁଡିକୁ ଆମେ ଖୋଜି ବାହାର କରିବାର ଅଛି ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।