ଟିମ ମାହୋଲରେ ଖୁସିନାହାନ୍ତି ବିରାଟ କୋହଲି: ଚାଞ୍ଚଲ୍ୟକର ବୟାନ ଦେଲେ କ୍ରିକେଟ୍ କିମ୍ବଦନ୍ତୀ
ନୂଆଦିଲ୍ଲୀ,୩୦।୯: ୱେଷ୍ଟଇଣ୍ଡିଜ ବିପକ୍ଷ ଦିନିକିଆ ସିରିଜ୍ରେ ବ୍ୟସ୍ତ ଅଛନ୍ତି ବିରାଟ କୋହଲି। ଏହି ସମୟରେ ପୂର୍ବତନ ଭାରତୀୟ କ୍ରିକେଟର ମହମ୍ମଦ କୈଫ ବିରାଟଙ୍କ ଟେଷ୍ଟ କ୍ରିକେଟରୁ ଅବସରକୁ ନେଇ ଏକ ବଡ଼ ଦାବି କରିଛନ୍ତି। କୈଫଙ୍କ ମତରେ, ବିରାଟ କୋହଲି ଟେଷ୍ଟ କ୍ରିକେଟରୁ ଏତେ ଶୀଘ୍ର ଅବସର ନେବା ପଛରେ ଟିମ୍ର ପରିବେଶ ଏକ କାରଣ ହୋଇପାରେ।
କୈଫ କହିଛନ୍ତି, ବିରାଟଙ୍କ କିଛି ସାକ୍ଷାତକାରରେ ତାଙ୍କ ମୁହଁରୁ ଅସନ୍ତୋଷ ସ୍ପଷ୍ଟ ବାରିହୋଇପଡ଼ୁଛି। ବିରାଟ ଦଳର ପରିବେଶରେ ଖୁସି ନ ଥିବା ଭଳି ଅନୁଭବ ହେଉଥିଲା ଏବଂ ତାଙ୍କୁ ପୂର୍ବଭଳି ଗୁରୁତ୍ୱ ଓ ଭରସା ଦିଆଯାଉ ନ ଥିବା ଭଳି ଲାଗୁଥିଲା। ଯଦି ବିରାଟ ଟେଷ୍ଟ କ୍ରିକେଟ ଖେଳ ଜାରି ରଖିଥାନ୍ତେ, ତେବେ ସେ ପୁଣିଥରେ ଫର୍ମକୁ ଫେରିବାର ସମ୍ଭାବନା ଥିଲା। କାରଣ ବିରାଟ ପୂର୍ବରୁ ଅନେକଥର ଖରାପ ଫର୍ମରୁ ଜବରଦସ୍ତ ପ୍ରତ୍ୟାବର୍ତ୍ତନ କରିଛନ୍ତି।
ବିରାଟ କୋହଲିଙ୍କ ଦିନିକିଆ କ୍ରିକେଟ୍ ଭବିଷ୍ୟତକୁ ନେଇ ମଧ୍ୟ କୈଫ ନିଜ ମତ ରଖିଛନ୍ତି। ତାଙ୍କ କହିବା ଅନୁସାରେ, ବିରାଟ ନିଜେ ବିଶ୍ୱକପ ପର୍ଯ୍ୟନ୍ତ ଖେଳିବା କଥା କହିଛନ୍ତି। ତେବେ ବର୍ତ୍ତମାନ ସେ ଯେଉଁଭଳି ବ୍ୟାଟିଂ କରୁଛନ୍ତି, ତାହା ଦେଖି ବିଶ୍ୱକପ ପରେ ମଧ୍ୟ ତାଙ୍କୁ ଦଳରେ ରଖିବା ନେଇ ଆଲୋଚନା ହୋଇପାରେ। ବିରାଟଙ୍କ ଅଭିଜ୍ଞତା ଯୁବ ଅଧିନାୟକ ଶୁବମନ ଗିଲଙ୍କ ପାଇଁ ମଧ୍ୟ ଉପଯୋଗୀ ହୋଇପାରେ। ଦଳରେ ଅଭିଜ୍ଞ ସିନିୟର ଖେଳାଳିଙ୍କ ଉପସ୍ଥିତି ଗିଲଙ୍କୁ ସହାୟତା କରିପାରେ ବୋଲି ସେ କହିଛନ୍ତି।
ୱେଷ୍ଟଇଣ୍ଡିଜ ବିପକ୍ଷ ତିରୁବନନ୍ତପୁରମ ଦିନିକିଆରେ ବିରାଟ କୋହଲି ଅପରାଜିତ ୧୩୯ ରନ୍ର ଶତକୀୟ ଇନିଂସ ଖେଳିଥିଲେ। ତାଙ୍କ ଦମଦାର ବ୍ୟାଟିଂ ବଳରେ ଭାରତ ୮ ଉଇକେଟ୍ରେ ମ୍ୟାଚ ଜିତିଥିଲା।
ଏବେ ସିରିଜ୍ର ପରବର୍ତ୍ତୀ ମ୍ୟାଚ ସେପ୍ଟେମ୍ବର ୩୦ରେ ଗୁଆହାଟୀରେ ଖେଳାଯିବ। ଗୁଆହାଟୀରେ ବିରାଟ ଏପର୍ଯ୍ୟନ୍ତ ଦୁଇଟି ଦିନିକିଆ ମ୍ୟାଚ ଖେଳି ଦୁଇଟି ଶତକ ହାସଲ କରିଛନ୍ତି। ତେଣୁ ଏହି ମ୍ୟାଚ୍ରେ ମଧ୍ୟ କ୍ରିକେଟ ପ୍ରଶଂସକଙ୍କ ନଜର ବିରାଟଙ୍କ ବ୍ୟାଟ ଉପରେ ରହିବ।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।