ଦିନେ କରୁଥିଲେ ନକଲ, ଏବେ ଟିମ୍‌ ଇଣ୍ଡିଆ ପାଇଁ ଡେବ୍ୟୁ କରିବେ ଏହି କ୍ରିକେଟର୍‌

Sep 30, 2026 - 15:00
ଦିନେ କରୁଥିଲେ ନକଲ, ଏବେ ଟିମ୍‌ ଇଣ୍ଡିଆ ପାଇଁ ଡେବ୍ୟୁ କରିବେ ଏହି କ୍ରିକେଟର୍‌

ନୂଆଦିଲ୍ଲୀ,୩୦।୯: କୁହାଯାଏ, ନକଲ ପାଇଁ ମଧ୍ୟ ଅକଲ ଦରକାର। ଦକ୍ଷିଣ ଆଫ୍ରିକାର ପୂର୍ବତନ ଦ୍ରୁତ ବୋଲର ଡେଲ ଷ୍ଟେନଙ୍କ ଆଦର୍ଶ ମାନି ତାଙ୍କ ବୋଲିଂ ଆକ୍ସନ ଓ ରନଅପ୍‌କୁ ନକଲ ବା ଅନୁକରଣ କରି ଅଭ୍ୟାସ କରୁଥିବା ଜମ୍ମୁ-କଶ୍ମୀରର ଆକିବ ନବୀ ଏବେ ଟିମ ଇଣ୍ଡିଆରେ ସ୍ଥାନ ପାଇଛନ୍ତି।

ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଆକିବ ନବୀଙ୍କୁ ଭାରତୀୟ ଦଳରେ ଡେବ୍ୟୁ କରିବାର ସୁଯୋଗ ମିଳିଛି। କେଏଲ ରାହୁଲଙ୍କ ଠାରୁ ଡେବ୍ୟୁ କ୍ୟାପ ପାଇବା ସହ ଭାରତ ପକ୍ଷରୁ ଅନ୍ତର୍ଜାତୀୟ କ୍ରିକେଟ ଖେଳିବାର ତାଙ୍କ ସ୍ବପ୍ନ ପୂରଣ ହୋଇଛି। ଆକିବ ଜମ୍ମୁ-କଶ୍ମୀରର ତୃତୀୟ କ୍ରିକେଟର ଭାବେ ଟିମ ଇଣ୍ଡିଆ ପାଇଁ ଅନ୍ତର୍ଜାତୀୟ କ୍ରିକେଟ ଖେଳିଛନ୍ତି। ତାଙ୍କ ପୂର୍ବରୁ ପରଭେଜ ରସୁଲ ଓ ଉମ୍ରାନ ମଲିକ ଭାରତୀୟ ଦଳର ପ୍ରତିନିଧିତ୍ୱ କରିଛନ୍ତି।

ଆକିବ ନବୀଙ୍କ ବୋଲିଂର ବିଶେଷତ୍ୱ ହେଉଛି ସେ ଉଭୟ ଦିଗକୁ ବଲ ସ୍ବିଙ୍ଗ କରାଇବାର କ୍ଷମତା ରଖନ୍ତି। କେବଳ ସ୍ବିଙ୍ଗ ନୁହେଁ, ବଲ୍‌କୁ ସିମ କରାଇବାରେ ମଧ୍ୟ ସେ ଦକ୍ଷ। ତାଙ୍କ ବୋଲିଂରେ ମହମ୍ମଦ ଶାମିଙ୍କ ଭଳି କୌଶଳ ଦେଖିବାକୁ ମିଳେ ବୋଲି କୁହାଯାଏ। ରେଡ ବଲ କ୍ରିକେଟ୍‌ରେ ଆକିବଙ୍କ ପ୍ରଦର୍ଶନ ଭଲ ଥିବା ବେଳେ ହ୍ବାଇଟ ବଲ କ୍ରିକେଟ୍‌ରେ ମଧ୍ୟ ସେ ନିଜର ଦକ୍ଷତା ପ୍ରମାଣ କରିଛନ୍ତି। ଏହା ସହ ସେ ଜଣେ ଉପଯୋଗୀ ଲୋଅର ଅର୍ଡର ବ୍ୟାଟର ମଧ୍ୟ। ଘରୋଇ କ୍ରିକେଟ୍ରେ ତାଙ୍କ ହିଟିଂ କ୍ଷମତା ଚର୍ଚ୍ଚାରେ ରହିଛି।

ଆକିବ ନବୀଙ୍କ କ୍ରିକେଟ ଯାତ୍ରା ମଧ୍ୟ ଖୁବ ସଂଘର୍ଷପୂର୍ଣ୍ଣ। ତାଙ୍କ ବାପା ଜଣେ ସରକାରୀ ସ୍କୁଲର ଇଂରାଜୀ ଶିକ୍ଷକ। ପୁଅ ଡାକ୍ତର ହେଉ ବୋଲି ସେ ଚାହୁଁଥିଲେ। କିନ୍ତୁ ଆକିବଙ୍କ ମନ କ୍ରିକେଟ୍‌ରେ ଥିଲା। ପ୍ରଥମେ କ୍ରିକେଟ ଖେଳିବାକୁ ନେଇ ବାପାଙ୍କ ତାଗିଦ ମିଳୁଥିଲେ ମଧ୍ୟ ପରେ ସେ ପୁଅଙ୍କୁ ସମର୍ଥନ କରିଥିଲେ।

ଆକିବଙ୍କ କ୍ରିକେଟ ଆଇଡଲ ହେଉଛନ୍ତି ଦକ୍ଷିଣ ଆଫ୍ରିକାର ମହାନ ଦ୍ରୁତ ବୋଲର ଡେଲ ଷ୍ଟେନ। ପିଲାଦିନେ ଟେନିସ ବଲ କ୍ରିକେଟ ଖେଳିବା ସମୟରେ ସେ ଷ୍ଟେନଙ୍କୁ ରନଅପ, ବୋଲିଂ ଆକ୍ସନ ଏବଂ ସେଲିବ୍ରେସନକୁ ଅନୁକରଣ କରୁଥିଲେ।

ଆକିବଙ୍କ ସଂଘର୍ଷର ଆଉ ଏକ ଘଟଣା ଅନେକଙ୍କୁ ପ୍ରେରଣା ଦେଇପାରେ। ଅଣ୍ଡର-୧୯ ଟ୍ରାଏଲ ସମୟରେ ତାଙ୍କ ପାଖରେ ସ୍ପାଇକ୍ସ ଜୋତା ନ ଥିଲା। ସେ ଜଣେ ସିନିୟର ଖେଳାଳିଙ୍କଠାରୁ ଜୋତା ଧାର କରି ଟ୍ରାଏଲ ଦେଇଥିଲେ। ଚୟନ ହେବା ପରେ ମଧ୍ୟ ଧାର କରିଥିବା ସେହି ଜୋତାରେ ସେ ପୂରା ଟୁର୍ନାମେଣ୍ଟ ଖେଳିଥିଲେ। ପରେ ରଣଜୀ ଟ୍ରଫିରୁ ପ୍ରଥମ ପାରିଶ୍ରମିକ ପାଇବା ପରେ ନିଜ ପାଇଁ ସ୍ପାଇକ୍ସ କିଣିଥିଲେ।

ଦୁଇରୁ ତିନି ବର୍ଷ ଧରି ଏକାଧିକଥର ଚୟନରୁ ବଞ୍ଚିତ ହେବା ପରେ ଶେଷରେ ଅଣ୍ଡର-୧୯ ସ୍ତରରେ ତାଙ୍କୁ ସୁଯୋଗ ମିଳିଥିଲା। ଏବେ ସେହି ଯାତ୍ରା ତାଙ୍କୁ ଟିମ ଇଣ୍ଡିଆର ଡେବ୍ୟୁ ପର୍ଯ୍ୟନ୍ତ ନେଇଆସିଛି।

 

Dharitri – Odisha’s No.1 Odia Daily

 


ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।