ଡାକ୍ତରୀ ପାଠ୍ୟକ୍ରମରେ ଆଉ ୫୦୦ ନୂଆ ପିଜି ଆସନ ବୃଦ୍ଧି କରାଯିବ - ସ୍ୱାସ୍ଥ୍ୟମନ୍ତ୍ରୀ

Sep 22, 2026 - 15:22
ଡାକ୍ତରୀ ପାଠ୍ୟକ୍ରମରେ ଆଉ ୫୦୦ ନୂଆ ପିଜି ଆସନ ବୃଦ୍ଧି କରାଯିବ - ସ୍ୱାସ୍ଥ୍ୟମନ୍ତ୍ରୀ

ଭୁବନେଶ୍ବର : ସ୍ୱାସ୍ଥ୍ୟମନ୍ତ୍ରୀ ଡ.ମୁକେଶ ମାହାଳିଙ୍ଗଙ୍କ ବଡ଼ ଘୋଷଣା । ରାଜ୍ୟରେ ବୃଦ୍ଧି ପାଇବ ଡାକ୍ତରୀ ପିଜି ଆସନ । ଆସନ୍ତା ଦୁଇ ବର୍ଷ ଭିତରେ ଡାକ୍ତରୀ ପାଠ୍ୟକ୍ରମରେ ଆଉ ୫୦୨ ଟି ନୂଆ ପିଜି ଆସନ ବୃଦ୍ଧି କରାଯିବ । ଏନେଇ କେନ୍ଦ୍ର ସରକାରଙ୍କ ସହିତ ଆଲୋଚନା କରାଯାଇଥିବା ବେଳେ ଏବେ ପ୍ରକ୍ରିୟା ଆରମ୍ଭ ହୋଇଛି । ରାଜ୍ୟର ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ସୁଦୃଢ଼ କରିବା ଏବଂ ବିଶେଷଜ୍ଞ ଡାକ୍ତରଙ୍କ ଅଭାବ ଦୂର କରିବା ପାଇଁ ଏହି ପଦକ୍ଷେପ ନିଆଯାଉଛି ବୋଲି ସ୍ବାସ୍ଥ୍ୟମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ ସୂଚନା ଦେଇଛନ୍ତି ।

ନୂତନ ଆସନ ପାଇଁ ଆବଶ୍ୟକୀୟ ଭିତ୍ତିଭୂମିର ବିକାଶ ଲାଗି ରାଜ୍ୟ ମେଡିକାଲ ଶିକ୍ଷା ଓ ପ୍ରଶିକ୍ଷଣ ନିର୍ଦ୍ଦେଶାଳୟ (DMET) ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ତାଳଚେର ଏବଂ ଫୁଲବାଣୀ ସମେତ ରାଜ୍ୟର ୧୨ଟି ସରକାରୀ ମେଡିକାଲ କଲେଜ ଓ ପିଜି ପ୍ରତିଷ୍ଠାନକୁ ଏଥିପାଇଁ ଆବଶ୍ୟକୀୟ ବିସ୍ତୃତ ପ୍ରସ୍ତାବ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । 

ଏଲୋପାଥି ପାଠ୍ୟକ୍ରମକୁ ସରକାର ଗୁରୁତ୍ବର ସହ ନେଇଛନ୍ତି । ରାଜ୍ୟରେ ଏବେ ୧୬ଟି ଭେଷଜ ମହାବିଦ୍ୟାଳୟରେ ଉଭୟ ଏମ୍‌ବିବିଏସ୍‌ ଏବଂ ପିଜି ପାଠ୍ୟକ୍ରମ ରହିଛି। ପୂର୍ବରୁ ମୋଟ ୧୬୦୦ ଏମ୍‌ବିବିଏସ୍‌ ଆସନ ଥିଲା । ପୂର୍ବରୁ ୨୦୦ ଆସନ ବୃଦ୍ଧି ସହିତ ଚଳିତ ବର୍ଷ ଆଉ ୫୦ ଆସନ ବୃଦ୍ଧି କରାଯାଇଛି। ସେହିପରି, ପିଜି ଆସନ ବୃଦ୍ଧି ନେଇ ସ୍ବାସ୍ଥ୍ୟମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ ସବୁଜ ସଙ୍କେତ ‌ଦେଇଛନ୍ତି। 

ନିଜ ସାମାଜିକ ଗଣମାଧ୍ୟମ ‘ଏକ୍ସ’ ଆକଉଣ୍ଟ‌ରେ ଡ. ମହାଲିଙ୍ଗ କହିଛନ୍ତି ଯେ ପୂର୍ବରୁ ୬୦୦ ପିଜି ଆସନ ରହିଥିବା ବେଳେ ଆସନ୍ତା ୨ ବର୍ଷ ମଧ୍ୟରେ ଆଉ ନୂଆ ୫୦୨ ଆସନ ବୃଦ୍ଧି କରିବା ନେଇ ଯୋଜନା ରହିଛି । ନ୍ୟାସନାଲ ମେଡିକାଲ କମିଶନ (NMC) ଙ୍କ ଅନୁମୋଦନ ପାଇଁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ତରଫରୁ ତତ୍ପରତା ପ୍ରକାଶ ପାଇଛି ।

ବିଗତ ୪୦ ବର୍ଷ ଭିତ‌େ‌ର ସୁପରସ୍ପେଶିଆଲିଟି ବିଭାଗରେ ଆଖିଦୃଶିଆ କାର୍ଯ୍ୟକ୍ରମ ହେଉନଥିଲା। ଏବେ ୧୦ ଭେଷଜ ମହାବିଦ୍ୟାଳୟରେ ସୁପରସ୍ପେଶିଆଲିଷ୍ଟ ପାଠ୍ୟକ୍ରମ କରିବା ନେଇ ଚଳିତବର୍ଷ ନୋଟିଫିକେସନ୍‌ ହୋଇଛି। ଏଥିରେ ହୃଦ୍‌ବିଭାଗ, ନ୍ୟୁରୋସର୍ଜରୀ, ନ୍ୟୁରୋଲୋଜି, ପ୍ଲାଷ୍ଟିକ ସର୍ଜରୀ ଆଦି ରହିଛି। କେବଳ ଏତିକି ନୁହେଁ, ସିଟିଭିଏସ୍‌ ବିଭାଗ ନଥିବା ବେଳେ ଏନେଇ ନୋଟିଫିକେସନ ହୋଇଛି ଏବଂ ଆଗାମୀ ଦିନରେ କାର୍ଯ୍ୟକାରୀ ହେବ। ଏହାସହ ହେଲ୍‌ଥ ଏଲାଏଡ୍‌ ସର୍ଭିସେସ୍‌ ଆକ୍ଟକୁ ୨୦୨୬କୁ ପ୍ରଚଳନ କରାଯାଇଛି। ଏଥିରେ ୧୦ଟି ବର୍ଗରେ ୫୬ଟି କେନ୍ଦ୍ର କରାଯିବ, ଯେଉଁଠି ପାଠପଢ଼ା ହେବା ସହ କାଉନସେଲିଂ ଏବଂ ପଞ୍ଜୀକରଣ କରାଯିବ ବୋଲି ଡ. ମହାଲିଙ୍ଗ ସୂଚନା ଦେଇଛନ୍ତି। 

 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।