ତୀର୍ଥଯାତ୍ରା ରେ ଗଲେ ବରିଷ୍ଠ ନାଗରିକ
ଭୁବନେଶ୍ବର : ବିନା ଦେୟରେ ତୀର୍ଥ ଯାତ୍ରାରେ ଗଲେ ବରିଷ୍ଠ ନାଗରିକ । ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ଆଜି ‘ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା’ ଅଧୀନରେ ୮୦୦ ଜଣ ବରିଷ୍ଠ ନାଗରିକ ବାରଣାସୀ ଓ ଅଯୋଧ୍ୟା ତୀର୍ଥ ଯାତ୍ରାରେ ଯାଇଛନ୍ତି । ଭୁବନେଶ୍ୱର ପଟିଆ ନିୟୁ ରେଳ ଷ୍ଟେସନରୁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ପତାକା ଦେଖାଇ ଯାତ୍ରାର ଶୁଭାରମ୍ଭ କରିଛନ୍ତି । ଯାତ୍ରା ଆରମ୍ଭ ବେଳେ ପର୍ଯ୍ୟଟନ ମନ୍ତ୍ରୀ ସମ୍ପଦ ସ୍ବାଇଁ ଉପସ୍ଥିତ ଥିଲେ । ବରିଷ୍ଠ ନାଗରିକମାନଙ୍କ ଆଧ୍ୟାତ୍ମିକ ଆକାଂକ୍ଷା ପୂରଣ ଦିଗରେ ଏହା ଏକ ପ୍ରଶଂସନୀୟ ପ୍ରୟାସ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ।
ପ୍ରଥମ ପର୍ଯ୍ୟାୟରେ ଖୋର୍ଦ୍ଧା ଜିଲ୍ଲାର ୧୬୯ ଜଣ, ଜଗତସିଂହପୁର ଜିଲ୍ଲାର ୮୫, କଟକ ଜିଲ୍ଲାରୁ ୧୯୭, ପୁରୀରୁ ୧୨୭, କେନ୍ଦ୍ରାପଡ଼ାରୁ ୧୦୮ ଏବଂ ଢେଙ୍କାନାଳରୁ ୮୯ ଜଣଙ୍କୁ ମିଶାଇ ମୋଟ୍ ୭୭୫ ଜଣ ବରିଷ୍ଠ ନାଗରିକ ତୀର୍ଥଯାତ୍ରୀରେ ଯାଇଛନ୍ତି । ସେମାନଙ୍କର ଭଲମନ୍ଦ ବୁଝିବା ପାଇଁ ୨୫ ଜଣ ଅଧିକାରୀ ମଧ୍ୟ ଏହି ଯାତ୍ରାରେ ସାମିଲ ହୋଇଛନ୍ତି । ତୀର୍ଥଯାତ୍ରୀମାନେ ଆସନ୍ତା ୭ ତାରିଖରେ ଫେରିବେ ।
ପର୍ଯ୍ୟାୟ କ୍ରମେ ବିଭିନ୍ନ ଜିଲ୍ଲାର ବରିଷ୍ଠ ନାଗରିକମାନେ ଦେଶର ବିଭିନ୍ନ ତୀର୍ଥକ୍ଷେତ୍ରକୁ ବୁଲିଯିବାର ସୁଯୋଗ ପାଇବେ । ରାଜ୍ୟ ସରକାର ଆର୍ଥିକ ଦୁର୍ବଳ ଶ୍ରେଣୀର ବରିଷ୍ଠ ନାଗରିକଙ୍କୁ ଦେଶର ବିଭିନ୍ନ ତୀର୍ଥ ସ୍ଥାନକୁ ବିନାଦେୟରେ ବୁଲି ଦେଖିବାର ସମସ୍ତ ବନ୍ଦୋବସ୍ତ କରିଛନ୍ତି ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।