ତ୍ରିରଙ୍ଗା ବିକ୍ଷୋଭ ପୂର୍ବରୁ ଦୀପ୍‌କେ, ନେହା ବୋରା ଅଟକ

Oct 17, 2026 - 07:35
ତ୍ରିରଙ୍ଗା ବିକ୍ଷୋଭ ପୂର୍ବରୁ ଦୀପ୍‌କେ, ନେହା ବୋରା ଅଟକ

ନୂଆଦିଲ୍ଲୀ,୧୭ା୧୦: ‘ଲେହରା ଦୋ ତିରଙ୍ଗା’ ବିକ୍ଷୋଭରେ ଭାଗନେବା ପୂର୍ବରୁ ଆଇନଶୃଙ୍ଖଳା ସ୍ଥିତିକୁ ଦୃଷ୍ଟିରେ ରଖି ଦିଲ୍ଲୀ ପୋଲିସ ଶୁକ୍ରବାର କକ୍‌ରୋଚ ଜନତା ପାର୍ଟି (ସିଜେପି) ନେତା ଅଭିଜିତ ଦୀପ୍‌କେ ଏବଂ ଏଆଇଏସ୍‌ଏ ମୁଖ୍ୟ ନେହା ବୋରାଙ୍କୁ ଅଟକ ରଖିଛି। ବୋରାଙ୍କୁ ମଣ୍ଡି ହାଉସ୍‌ ନିକଟରୁ ଓ ଦୀପ୍‌କେଙ୍କୁ ତାଙ୍କ ଝାଡଓ୍ବୋଲନସ୍ଥିତ ବାସଭବନରୁ ପୋଲିସ ଉଠାଇ ନେଇଥିଲା। ଅଟକ ଯୋଗୁ ସେଠାରେ ଉପସ୍ଥିତ ଜନଗହଳି, କ୍ୟାମେରା ଜନଗହଳି, କ୍ୟାମେରା କ୍ରିଉ ଏବଂ ସୁରକ୍ଷା କର୍ମୀଙ୍କ ମଧ୍ୟରେ ଠେଲାପେଲା ହୋଇଥିଲା। ଦୀପ୍‌କେଙ୍କୁ ଜରଫରପୁର କଲଣ ଥାନାକୁ ନିଆଯାଇଥିବା ପୋଲିସ ସୂତ୍ରରୁ କୁହାଯାଇଛି।
ଏହି ଘଟଣା ପୂର୍ବରୁ ୨୦ରୁ ଊର୍ଦ୍ଧ୍ୱ ପୋଲିସ କର୍ମଚାରୀ ଦୀପ୍‌କେଙ୍କ ବାସଭବନରେ ପହଞ୍ଚତ୍ ତାଙ୍କୁ ନୋଟିସ ଦେଇଥିଲେ। ନାଗରିକ, ଯାତ୍ରୀ, ବ୍ୟବସାୟୀ, ରୋଗୀ ଓ ଅନ୍ୟମାନଙ୍କ ଅଧିକାରକୁ କ୍ଷତି ପହଞ୍ଚାଉଥିବା କୌଣସି କାର୍ଯ୍ୟରୁ ବିରତ ରହିବାକୁ ଉକ୍ତ ନୋଟିସ ଜରିଆରେ ତାଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ଶୁକ୍ରବାର ସନ୍ଧ୍ୟାରେ ପ୍ରସ୍ତାବିତ ତ୍ରିରଙ୍ଗା ଯାତ୍ରା ପୂର୍ବରୁ ଜାତୀୟ ରାଜଧାନୀରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିବାବେଳେ ସିଜେପି ଏବଂ ଏଆଇଏସ୍‌ଏ ମୁଖ୍ୟଙ୍କୁ ଅଟକ ରଖାଯାଇଛି। ଦିଲ୍ଲୀ ପୋଲିସ କମିଶନର ଅନୁରାଗ କୁମାର ପାର୍ଲାମେଣ୍ଟ ଷ୍ଟ୍ରିଟ୍‌ ଥାନାରେ ନୂଆଦିଲ୍ଲୀ ଡିସିପିଙ୍କ କାର୍ଯ୍ୟାଳୟରେ ପହଞ୍ଚତ୍ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଥିଲେ। କେତେଜଣ ବିକ୍ଷୋଭକାରୀ କନ୍ନଟ ପ୍ଲେସ୍‌ରେ ପହଞ୍ଚତ୍ଛନ୍ତି ଓ ସେମାନଙ୍କୁ ଖୁବ୍‌ଶୀଘ୍ର ସେଠାରୁ ହଟାଇ ଦିଆଯିବ ବୋଲି ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି। ଶାନ୍ତିଶୃଙ୍ଖଳା ରକ୍ଷା କରିବା ଏବଂ ଗାଡ଼ି ଚଳାଚଳ ସୁଚାରୁରୂପେ କରାଇବା ଆମର ମୁଖ୍ୟ ଲକ୍ଷ୍ୟ ବୋଲି ପୋଲିସ କହିଛି।
କନ୍ନଟ ପ୍ଲେସ୍‌ର ସେଣ୍ଟ୍ରାଲ ପାର୍କକୁ ସୁରକ୍ଷା ବଳ ଘେରିରହି ମାନବଶୃଙ୍ଖଳ କରିଥିବାବେଳେ ଚାରିପଟେ ମେଟାଲ ରେଲିଂ ବ୍ୟବସ୍ଥା କରାଯାଇଛି। ସୁରକ୍ଷା ଦାୟିତ୍ୱରେ ୬,୦୦୦ରୁ ଊର୍ଦ୍ଧ୍ୱ ପୋଲିସ କର୍ମଚାରୀଙ୍କ ସମେତ ୨୨୦ କମ୍ପାନୀ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବଳ (ସିଏପିଏଫ୍‌) ଯବାନ ନିୟୋଜିତ ହୋଇଛନ୍ତି। ଏଥିସହିତ ନୂଆଦିଲ୍ଲୀରେ ସିସିଟିଭି ନେଟ୍‌ଓ୍ବର୍କକୁ ବଢ଼ାଇ ଦିଆଯାଇଛି। ପାର୍କ ବାହାରେ ଲୁହବୁହା ବାଷ୍ପ ଗାଡ଼ି ସହ ବଜ୍ର ଯାନ ମଧ୍ୟ ମହଜୁଦ ରହିଛି। ଭିତରେ ରାପିଡ୍‌ ଆକ୍ସନ ଫୋର୍ସ (ଆର୍‌ଏଏଫ୍‌)ମୁତୟନ ହୋଇଛନ୍ତି। ଗାଡ଼ି ନିୟନ୍ତ୍ରଣ ପାଇଁ ବହୁସଂଖ୍ୟାରେ ଟ୍ରାଫିକ ପୋଲିସଙ୍କୁ ମଧ୍ୟ ନିୟୋଜିତ କରାଯାଇଛି। ସିଜେପି ଏବଂ ଛାତ୍ର ସଂଗଠନଗୁଡ଼ିକର ସଦସ୍ୟମାନଙ୍କ ସମେତ ଅନେକ ଶହ ବିକ୍ଷୋଭକାରୀ କନ୍ନଟ ପ୍ଲେସ୍‌ ଓ ମଣ୍ଡି ହାଉସ୍‌ଠାରେ ବିକ୍ଷୋଭ ପାଇଁ ଏକାଠି ହୋଇ ଜାତୀୟ ପତାକା ଦେଖାଉଥିବା ଲକ୍ଷ୍ୟ କରାଯାଇଛି।

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।