ଦରମା ବୃଦ୍ଧି କଥା କହିବାରୁ ‘ଶୋ’ରୁ ବିଦା ହେଲେ ଅଭିନେତ୍ରୀ, କଲେ ଚାଞ୍ଚଲ୍ୟକର ଖୁଲାସା

Nov 03, 2026 - 16:02
ଦରମା ବୃଦ୍ଧି କଥା କହିବାରୁ ‘ଶୋ’ରୁ ବିଦା ହେଲେ ଅଭିନେତ୍ରୀ, କଲେ ଚାଞ୍ଚଲ୍ୟକର ଖୁଲାସା

ମୁମ୍ବାଇ,୩।୧୧: ଲୋକପ୍ରିୟ ପୌରାଣିକ ଧାରାବାହିକ ‘ଦେବୋଂ କେ ଦେବ ମହାଦେବ’ରେ ଦେବୀ ପାର୍ବତୀଙ୍କ ଭୂମିକାରେ ଅଭିନୟ କରି ଘରେ ଘରେ ପରିଚିତ ଅଭିନେତ୍ରୀ ସୋନାରିକା ଭଦୋରିଆ । ବର୍ତ୍ତମାନ ସେ ଟେଲିଭିଜନ ଇଣ୍ଡଷ୍ଟ୍ରିରେ ଦରମା ଅସମାନତାକୁ ନେଇ ମୁହଁ ଖୋଲିଛନ୍ତି । ନିଜର ଫିସ୍‌ ବୃଦ୍ଧି କରିବାକୁ ଦାବି କରିବାରୁ ତାଙ୍କୁ ଏକ ହିଟ୍‌ ଟିଭି ଶୋ’ରୁ ବାହାର କରିଦିଆଯାଇଥିଲା ବୋଲି ସେ ଖୁଲାସା କରିଛନ୍ତି।
‘ହଟରଫ୍ଲାଏ’ର ‘ମେଲ୍‌ ଫେମିନିଷ୍ଟ’ ପଡ୍‌କାଷ୍ଟରେ ଯୋଗଦେଇ ସୋନାରିକା ଏହି ଅନୁଭୂତି ବାଣ୍ଟିଛନ୍ତି । ଶୋ’ର ନାଁ, କଳାକାର କିମ୍ବା ନିର୍ମାତାଙ୍କ ନାଁ ପ୍ରକାଶ ନକରି ସେ କହିଛନ୍ତି ଯେ ପ୍ରାୟ ଏକ ବର୍ଷ ଧରି ସେ ଏକ ଟିଭି ଧାରାବାହିକରେ କାମ କରୁଥିଲେ। ଏହି ସମୟରେ ଶୋ’ର ଟିଆର୍‌ପି ବେଶ୍‌ ବଢ଼ିଯାଇଥିଲା। ଏପରିକି ଚ୍ୟାନେଲ ପକ୍ଷରୁ କଳାକାରଙ୍କ ପାଇଁ ଏକ ପାର୍ଟି ମଧ୍ୟ ଆୟୋଜନ କରାଯାଇଥିଲା।ଏଭଳି ସଫଳତା ପରେ ଫିସ୍‌ ବୃଦ୍ଧି ଆଶା କରିବା ସ୍ୱାଭାବିକ ବୋଲି ସେ କହିଥିଲେ । କିନ୍ତୁ ଯେତେବେଳେ ସେ ଅଧିକ ଟଙ୍କା ଦାବି କଲେ, ତାଙ୍କୁ କେଉଁ ଆଧାରରେ ଫିସ୍‌ ବଢ଼ାଇବାକୁ ଚାହୁଁଛନ୍ତି ବୋଲି ପ୍ରଶ୍ନ କରାଯାଇଥିଲା। ପରେ ତାଙ୍କୁ ଶୋ’ରୁ ବାହାର କରି ଅନ୍ୟ ଜଣେ ଅଭିନେତ୍ରୀଙ୍କୁ ନିଆଯାଇଥିଲା। ଏପରିକି ତାଙ୍କ ସ୍ଥାନରେ ଅନ୍ୟ କାହାକୁ ନିଆଯାଉଥିବା କଥା ମଧ୍ୟ ସେ ଜାଣିପାରିନଥିଲେ।

ସୋନାରିକା ଆହୁରି କହିଛନ୍ତି ଯେ ଶୋ’ର ଟିଆର୍‌ପି ଭଲ ଥିବା ସମୟରେ ଜଣେ ପୁରୁଷ ସହ-କଳାକାର ଶୋ’ ଛାଡ଼ିଦେବାକୁ ଧମକ ଦେଉଥିଲେ । ତାଙ୍କ ଦାବି ପରେ ନିର୍ମାତାମାନେ ତାଙ୍କ ଫିସ୍‌କୁ ତିନିଗୁଣ ବଢ଼ାଇ ଦେଉଥିଲେ। ହେଲେ ତାଙ୍କ କ୍ଷେତ୍ରରେ ଥରେ ମଧ୍ୟ ଦରମା ବୃଦ୍ଧି କରାଯାଇନଥିଲା ବୋଲି ସେ ଅଭିଯୋଗ କରିଛନ୍ତି।
ଦକ୍ଷିଣ ଭାରତୀୟ ଫିଲ୍ମ ଇଣ୍ଡଷ୍ଟ୍ରିରେ ବି ଦରମା ଅସମାନତା
ସୋନାରିକାଙ୍କ କହିବା ଅନୁସାରେ, ଟଲିଉଡ୍‌ ଓ କଲିଉଡ୍‌ ଫିଲ୍ମ ଇଣ୍ଡଷ୍ଟ୍ରିରେ ମଧ୍ୟ ଦରମାକୁ ନେଇ ଅସମାନତା ରହିଛି। ଏଠାରେ ପୁରୁଷ କଳାକାର, ଏପରିକି ନୂଆ ଅଭିନେତାମାନଙ୍କୁ ମଧ୍ୟ ମୋଟା ଅଙ୍କର ଫିସ୍‌ ମିଳୁଛି । ଦର୍ଶକ ସେମାନଙ୍କୁ ହିରୋ ଭାବେ ଦେଖୁଥିବାରୁ ଏପରି ହେଉଛି ବୋଲି ସେ କହିଛନ୍ତି। ଅନ୍ୟପଟେ ହିନ୍ଦୀ ଟେଲିଭିଜନ ଇଣ୍ଡଷ୍ଟ୍ରିରେ ଦୀର୍ଘ ବର୍ଷର ଅଭିଜ୍ଞତା ଥିବା କଳାକାରମାନଙ୍କୁ ମଧ୍ୟ କମ୍‌ ପାରିଶ୍ରମିକ ମିଳୁଥିବା ସେ ମତ ଦେଇଛନ୍ତି। ତାଙ୍କ ଅନୁସାରେ, ଫିଲ୍ମ ଇଣ୍ଡଷ୍ଟ୍ରି ଏବେ ବି ମୁଖ୍ୟତଃ ହିରୋଙ୍କୁ କେନ୍ଦ୍ର କରି ଗତି କରୁଛି ବୋଲି ସେ କହିଛନ୍ତି ।

 

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।