ପ୍ରଶାସନର ବିଚିତ୍ର ନୀତି! ଅଟୋ ଚାଳକଙ୍କୁ ହେଲମେଟ ଫାଇନ୍
ଗଞ୍ଜାମ, ୩।୧୧ (ବିଦ୍ୟାଧର ସାହୁ) ପ୍ରଶାସନର ବିଚିତ୍ର ନୀତିକୁ ନେଇ ଏବେ ଚର୍ଚ୍ଚା। ବାଇକ ଚାଳକଙ୍କ ବଦଳରେ ଜଣେ ଅଟୋ ଚାଳକଙ୍କ ମୋବାଇଲକୁ ଆସିଛି ହେଲମେଟ ନ ପିନ୍ଧିବାର ଚାଲାଣ। ଏଥିପାଇଁ ତାଙ୍କୁ ୧ ହଜାର ଟଙ୍କା ଜରିମାନା ଦେବାକୁ ନୋଟିସ ମିଳିଛି। ଏହାକୁ ନେଇ ସମ୍ପୃକ୍ତ ଅଟୋ ଚାଳକ ବିଭିନ୍ନ ସରକାରୀ କାର୍ଯ୍ୟାଳୟ ଦୌଡ଼ି ଦୌଡ଼ି ନୟାନ୍ତ ହୋଇଥିବା ଜଣାପଡ଼ିଛି।
ସୂଚନା ଅନୁସାରେ, ଗଞ୍ଜାମ ସହରର ପ୍ରଫୁଲ୍ଲ କୁମାର ପଣ୍ଡା (କେଞ୍ଚୁ ଅଟୋ) ଗତ ସୋମବାର ନିଜ ଅଟୋ ନେଇ ଭଡ଼ାରେ ବ୍ରହ୍ମପୁର ଯାଇଥିଲେ। ଘରକୁ ଫେରିବା ପରେ ତାଙ୍କ ମୋବାଇଲକୁ ହେଲମେଟ ପିନ୍ଧି ନ ଥିବା ନେଇ ଏକ ଇ-ଚାଲାଣ ମେସେଜ ଆସିଥିଲା। ଏଥିରେ ହେଲମେଟ ବ୍ୟବହାର ନ କରିବା ଅଭିଯୋଗରେ ୧ ହଜାର ଟଙ୍କା ଜରିମାନା ଦେବାକୁ ଉଲ୍ଲେଖ ରହିଥିଲା। ଏହି ମେସେଜ ପାଇବା ପରେ ପ୍ରଫୁଲ୍ଲ ଅଗସ୍ତି ନୂଆଗାଁସ୍ଥିତ ଜିଲ୍ଲା ପରିବହନ କାର୍ଯ୍ୟାଳୟକୁ ଯାଇ ଆରଟିଓ କର୍ମଚାରୀଙ୍କୁ ଚାଲାଣ ନୋଟିସ ଦେଖାଇଥିଲେ। ତେବେ ଆରଟିଓ କାର୍ଯ୍ୟାଳୟ ପକ୍ଷରୁ ଏହି ଚାଲାଣ ସେମାନଙ୍କ କାର୍ଯ୍ୟାଳୟରୁ କଟାଯାଇ ନ ଥିବା କୁହାଯାଇଥିଲା। ଏହାପରେ ସେ ଜାତୀୟ ରାଜପଥ ସୁରକ୍ଷା ଅଧିକାରୀଙ୍କ ମଧ୍ୟ ଦୃଷ୍ଟି ଆକର୍ଷଣ କରିଥିଲେ। ସେଠାରୁ ମଧ୍ୟ କୌଣସି ସମାଧାନ ନ ମିଳିବାରୁ ଶେଷରେ ଗଣମାଧ୍ୟମର ସହଯୋଗ ଲୋଡ଼ିବାକୁ ବାଧ୍ୟ ହୋଇଥିବା ପ୍ରଫୁଲ୍ଲ କହିଛନ୍ତି।
ଉଲ୍ଲେଖଯୋଗ୍ୟ ଯେ, କେବଳ ପ୍ରଫୁଲ୍ଲ ନୁହନ୍ତି, ଅନ୍ୟ କେତେକ ଲୋକଙ୍କ ମୋବାଇଲକୁ ମଧ୍ୟ ଏଭଳି ଚାଲାଣ ମେସେଜ ଆସୁଥିବା ଅଭିଯୋଗ ହୋଇଛି। ଏହି ଘଟଣାକୁ ନେଇ ଗଞ୍ଜାମ ଅଟୋ ଚାଳକ ସଂଘ ଅସନ୍ତୋଷ ପ୍ରକାଶ କରିବା ସହ ଜିଲାର ଉଚ୍ଚ ପ୍ରଶାସନ ତୁରନ୍ତ ହସ୍ତକ୍ଷେପ କରି ଘଟଣାର ତଦନ୍ତ ଓ ସମାଧାନ କରିବାକୁ ଦାବି କରିଛି।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।