ଦଳେଇଗୁଡ଼ା ସ୍କୁଲକୁ ଆକସ୍ମିକ ଗସ୍ତ କଲେ ଅତିରିକ୍ତ ଜିଲ୍ଲାପାଳ, ଯାଞ୍ଚ କଲେ ଖାଦ୍ୟର ଗୁଣବତ୍ତା
ନବରଙ୍ଗପୁର,୨୪।୯(ସଦାଶିବ ପ୍ରହରାଜ ): ନବରଙ୍ଗପୁର ଜିଲା ପ୍ରଶାସନ ପକ୍ଷରୁ ବିଦ୍ୟାଳୟଗୁଡ଼ିକରେ ଛାତ୍ରୀଛାତ୍ରଙ୍କ ପାଇଁ ଉପଲବ୍ଧ ବ୍ୟବସ୍ଥା, ଖାଦ୍ୟର ଗୁଣବତ୍ତା ଏବଂ ସରକାରୀ ନିର୍ଦ୍ଧାରିତ ମାନଦଣ୍ଡର ଅନୁପାଳନ ସମ୍ପର୍କରେ ନିୟମିତ ତଦାରଖ କରାଯାଉଛି । ଏହି ପରିପ୍ରେକ୍ଷୀରେ ଆଜି ପାପଡ଼ାହାଣ୍ଡି ବ୍ଲକ୍ ଅନ୍ତର୍ଗତ ଦଳେଇଗୁଡ଼ା ଏସ୍ଏସ୍ଡି ଉଚ୍ଚ ବିଦ୍ୟାଳୟକୁ ଅତିରିକ୍ତ ଜିଲାପାଳ (ରାଜସ୍ୱ) ବିଶ୍ୱଜିତ ବର୍ମାନ ଆକସ୍ମିକ ପରିଦର୍ଶନ କରିଥିଲେ। ତାଙ୍କ ସହ ଗୋଷ୍ଠୀ ଉନ୍ନୟନ ଅଧିକାରୀ କପିଳଦେବ ସାହୁ, ଜିଲା ପ୍ରକଳ୍ପ ଅଧିକାରୀ (ଡି.ପି.ଓ) ହିମାଂଶୁ ଶେଖର ପଟନାୟକ ଉପସ୍ଥିତ ଥିଲେ।
ପରିଦର୍ଶନ ସମୟରେ ଅଧିକାରୀମାନେ ବିଦ୍ୟାଳୟରେ ଛାତ୍ରୀଛାତ୍ରଙ୍କୁ ପରିବେଷଣ କରାଯାଉଥିବା ଖାଦ୍ୟର ଗୁଣବତ୍ତା, ପରିମାଣ ଓ ପରିଚ୍ଛନ୍ନତା ଯାଞ୍ଚ କରିଥିଲେ। ଖାଦ୍ୟ ପ୍ରସ୍ତୁତି ଓ ପରିବେଷଣ ସମୟରେ ଆବଶ୍ୟକ ସ୍ୱଚ୍ଛତା ଏବଂ ସ୍ୱାସ୍ଥ୍ୟକର ପରିବେଶ ବଜାୟ ରହୁଛି କି ନାହିଁ, ତାହା ମଧ୍ୟ ଅନୁଧ୍ୟାନ କରାଯାଇଥିଲା। ଏଥିସହ ବିଦ୍ୟାଳୟରେ ଉପଲବ୍ଧ ଚାଉଳ, ପନିପରିବା ଓ ଅନ୍ୟାନ୍ୟ ଖାଦ୍ୟ ସାମଗ୍ରୀର ଷ୍ଟକ୍ ସ୍ଥିତି ଯାଞ୍ଚ କରାଯାଇଥିଲା। ମହଜୁଦ ଖାଦ୍ୟ ସାମଗ୍ରୀର ପରିମାଣ, ସଂରକ୍ଷଣ ପ୍ରଣାଳୀ ଓ ରେକର୍ଡ ସମ୍ପର୍କରେ ଅଧିକାରୀମାନେ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କଠାରୁ ତଥ୍ୟ ନେଇଥିଲେ।
ପରିଦର୍ଶନ ଅବସରରେ ବିଦ୍ୟାଳୟରେ ଛାତ୍ରୀଛାତ୍ରଙ୍କୁ ନିର୍ଦ୍ଧାରିତ ମାନଦଣ୍ଡ ଅନୁଯାୟୀ ଗୁଣାତ୍ମକ, ପୁଷ୍ଟିକର ଓ ସୁରକ୍ଷିତ ଖାଦ୍ୟ ଯୋଗାଣ ସୁନିଶ୍ଚିତ କରିବା ସହ ଖାଦ୍ୟ ସାମଗ୍ରୀର ଯଥାଯଥ ସଂରକ୍ଷଣ ଓ ଷ୍ଟକ୍ ରେକର୍ଡ ନିୟମିତ ଭାବେ ଅଦ୍ୟତନ ରଖିବା ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ଜିଲା ପ୍ରଶାସନ ପକ୍ଷରୁ ଶିକ୍ଷାନୁଷ୍ଠାନଗୁଡ଼ିକରେ ଛାତ୍ରୀଛାତ୍ରଙ୍କ କଲ୍ୟାଣ, ଉତ୍ତମ ଶିକ୍ଷା ପରିବେଶ, ପୁଷ୍ଟିକର ଖାଦ୍ୟ ଓ ଆବଶ୍ୟକ ସୁବିଧା ସୁନିଶ୍ଚିତ କରିବା ନିମନ୍ତେ କ୍ଷେତ୍ରସ୍ତରୀୟ ତଦାରଖ ଓ ଅନୁଧ୍ୟାନ ଜାରି ରହିବ ବୋଲି ଜଣାପଡ଼ିଛି ।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।