ମୋ ମାଧବ…ହାତରେ ବଂଶୀ ଧରି କୃଷ୍ଣ ସାଜିଲେ ଅଖିଳେଶ, ଜାଣନ୍ତୁ କିଏ ହେଲେ ସୁଦାମା
ଲକ୍ଷ୍ନୌ,୨୪।୯: ସମାଜବାଦୀ ପାର୍ଟି ମୁଖ୍ୟ ତଥା ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ଗୁରୁବାର ‘PDA ରଥ’ରେ ରାୟବରେଲୀ ପହଞ୍ଚିଛନ୍ତି । ତାଙ୍କ ଆଗମନ ପୂର୍ବରୁ ସହରର ଏକ ପ୍ରମୁଖ ରାସ୍ତାରେ ଲାଗିଥିବା ଏକ ବଡ଼ ପୋଷ୍ଟର ଚର୍ଚ୍ଚାରେ ରହିଛି । ପୋଷ୍ଟରରେ ଅଖିଳେଶ ଯାଦବଙ୍କୁ ଭଗବାନ ଶ୍ରୀକୃଷ୍ଣଙ୍କ ରୂପରେ ଦର୍ଶାଯାଇଛି।
ପୋଷ୍ଟରଟି SP ଯୁବଜନ ସଭାର ରାଜ୍ୟ ସଚିବ ଆଡଭୋକେଟ୍ ବିଶ୍ୱାସ ଦୁବେଙ୍କ ପକ୍ଷରୁ ଲଗାଯାଇଥିବା ଜଣାପଡ଼ିଛି । ଏଥିରେ ଅଖିଳେଶଙ୍କ ମୁଣ୍ଡରେ ମୟୂରପୁଚ୍ଛ ମୁକୁଟ, ହଳଦିଆ ପୋଷାକ ଏବଂ ହାତରେ ବଂଶୀ ଦେଖାଯାଇଛି। ସେହିପରି ବିଶ୍ୱାସ ଦୁବେଙ୍କୁ ସୁଦାମା ରୂପରେ ଦର୍ଶାଯାଇଛି । ପୋଷ୍ଟରରେ ଅଖିଳେଶଙ୍କୁ ‘PDA ମହାନାୟକ’ ବୋଲି ଉଲ୍ଲେଖ କରାଯାଇଛି। ପୋଷ୍ଟରରେ ଲେଖାଯାଇଛି—‘ମୋ ମାଧବ, ଆପଣଙ୍କ ସୁଦାମାଙ୍କ ମାଟି ରାୟବରେଲୀରେ ସ୍ୱାଗତ।’ ଏହି ପୋଷ୍ଟରକୁ ନେଇ ହରଚନ୍ଦପୁରର SP ବିଧାୟକ ରାହୁଲ ଲୋଧି ପ୍ରତିକ୍ରିୟା ଦେଇ ଏହାକୁ ସମର୍ଥନ କରିଛନ୍ତି । ଦ୍ୱାପର ଯୁଗରେ ସୁଦାମା ଭଗବାନ ଶ୍ରୀକୃଷ୍ଣଙ୍କ ସାଥୀ ଥିଲେ ବୋଲି ସେ କହିଛନ୍ତି।
ରାୟବରେଲୀ ଗସ୍ତ ସମୟରେ ଅଖିଳେଶ ଯାଦବ ହରଚନ୍ଦପୁର ବିଧାୟକ ରାହୁଲ ଲୋଧିଙ୍କ ଘରକୁ ଯାଇ ଚା’ ପିଇବା ସହ ଦଳୀୟ କର୍ମୀଙ୍କୁ ଭେଟିବା କାର୍ଯ୍ୟକ୍ରମ ରହିଥିଲା। ଏହାପରେ ‘PDA ରଥ’ ବଛରାୱାଁରୁ ରାୟବରେଲୀ ସହର ଅଭିମୁଖେ ଯାଇଥିବା ବେଳେ ଜିଆଇସି ମଇଦାନରେ ସଭା କାର୍ଯ୍ୟକ୍ରମ ରହିଛି। କିଛି ଦିନ ପୂର୍ବରୁ ରାୟବରେଲୀର ଫିରୋଜ ଗାନ୍ଧୀ ଡିଗ୍ରୀ କଲେଜରେ ସମାଜବାଦୀ ଛାତ୍ର ସଭା ଓ ABVP କର୍ମୀଙ୍କ ମଧ୍ୟରେ ମତାନ୍ତର ହୋଇଥିଲା। ଏହି ଘଟଣା ପରେ SP ବିଧାୟକ ରାହୁଲ ଲୋଧି ସ୍ଥାନୀୟ ପୋଲିସ ଉପରେ ମାଡ଼ ମାରିବା ଅଭିଯୋଗ ଆଣିଥିଲେ। ତେବେ ଜିଲା ପୋଲିସ ପ୍ରଶାସନ ଏହି ଅଭିଯୋଗକୁ ଖଣ୍ଡନ କରିଥିବା ରିପୋର୍ଟରେ କୁହାଯାଇଛି।
୨୦୨୭ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ SPର ‘PDA ରଥ’ ଯାତ୍ରାକୁ ଦଳର ଜନସମ୍ପର୍କ ଅଭିଯାନର ଅଂଶ ଭାବେ ଦେଖାଯାଉଛି। PDAର ଅର୍ଥ ‘ପଛୁଆ, ଦଳିତ ଓ ଅଳ୍ପସଂଖ୍ୟକ’। ଦଳ ପକ୍ଷରୁ ପ୍ରସ୍ତୁତ ରଥରେ ଡ. ବି.ଆର. ଆମ୍ବେଦକର, ରାମ ମନୋହର ଲୋହିଆ, ଜନେଶ୍ୱର ମିଶ୍ର, ମୁଲାୟମ ସିଂହ ଯାଦବ ଓ ବେନୀ ପ୍ରସାଦ ବର୍ମାଙ୍କ ଛବି ସହ ସାମାଜିକ ନ୍ୟାୟ ସମ୍ପର୍କିତ ବାର୍ତ୍ତା ରହିଛି ।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।