ଦଶହରାରେ ଅବପାତ ! ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ ସ୍ଥିତି
ଭୁବନେଶ୍ୱର : ଅକ୍ଟାବରରେ ପୁଣି ଏକ ଅବପାତ । ବର୍ତ୍ତମାନ ୩୬ଡିଗ୍ରୀ ଡହଡହ ଖରାରେ ମୁଣ୍ଡ କାନ ଝାଇଁ ମାରୁଥିବାବେଳେ, ଦଶହରା ବେଳକୁ ଆସୁଛି ପୁଣି ଏକ ଅବପାତ ! ଏଥର ପୁଣି ବର୍ଷାରେ ଧୋଇ ଯାଇପାରେ ଦଶହରା । ୧୨ତାରିଖ ବେଳକୁ ଉତ୍ତର ଆଣ୍ଡାମାନ ସାଗର ଉପରେ ଘୂର୍ଣ୍ଣିବଳୟ ସୃଷ୍ଟି ସମ୍ଭାବନା । ୧୩ତାରିଖ ବେଳକୁ ଏହା ଲଘୁଚାପରେ ପରିଣତ ହୋଇପାରେ ଏବଂ ୧୫ ତାରିଖ ବେଳକୁ ଦକ୍ଷିଣ ବଙ୍ଗୋପସାଗର ରେ ଅବପାତ ରୂପ ନେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ଅନୁମାନ କରିଛି । ତେବେ ବର୍ତ୍ତମାନ ସୁଦ୍ଧା ଏହାର ସ୍ଥିତି ସ୍ପଷ୍ଟ ହୋଇ ନାହିଁ ।
ପାଣିପାଗ ବିଭାଗ ରିପୋର୍ଟ ଅନୁସାରେ, ସମ୍ଭାବ୍ୟ ଅବପାତ ପ୍ରଭାବ ଓଡ଼ିଶା ଉପରେ କେତେ ଦୂର ରହିବ, ଗତିପଥ କ’ଣ ରହିବ, ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ରର ପୂର୍ବାନୁମାନ ଅନୁଯାୟୀ, ଆସନ୍ତା ୨୪ ଘଣ୍ଟା ମଧ୍ୟରେ ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, କେନ୍ଦୁଝର, ମୟୂରଭଞ୍ଜ, ଗଜପତି, ଗଞ୍ଜାମ, ପୁରୀ, ଖୋରଧା ଏବଂ ନୟାଗଡ଼ ଜିଲାର କିଛି ଅଞ୍ଚଳରେ ବିଜୁଳି ଘଡ଼ଘଡ଼ି ସହିତ ବର୍ଷା ହୋଇପାରେ । ଏଥିପାଇଁ ଉପରୋକ୍ତ ଜିଲାଗୁଡ଼ିକୁ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।