ଦାଦନ ଦୁଃଖ: ଗାଁରେ ପହଞ୍ଚିଲା ଶ୍ରମିକଙ୍କ ମୃତଦେହ
ନୂଆପଡ଼ା,୩୦ା୧୦(ମକାରୁ ବେମାଲ): ନୂଆପଡ଼ା ଜିଲାରେ ପୁଣି ଏକ ଦାଦନ ଦୁଃଖର ଚିତ୍ର ସାମ୍ନାକୁ ଆସିଛି। କାମ ଅନ୍ବଷଣରେ ବାହାର ରାଜ୍ୟକୁ ଯାଇଥିବା ଜଣେ ଶ୍ରମିକଙ୍କ ମୃତଦେହ ଶୁକ୍ରବାର ଗାଁରେ ପହଞ୍ଚିବା ପରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।
ଏପରି ଘଟଣା ବୋଡେନ ବ୍ଲକ ରୋକାଲ ପଞ୍ଚାୟତ ଜୟବାହାଲ ଗଁାରେ ଦେଖିବାକୁ ମିଳିଛି। ମୃତକ ହେଲେ ଶନି ସାଗର(୪୯)। ସୂଚନା ଅନୁଯାୟୀ, ଶନି ବୋଡେନ ଅଞ୍ଚଳର କେତେଜଣଙ୍କ ସହ ମିଶି ନୂଆଁଖାଇ ପରେ ତାମିଲନାଡୁର ତ୍ରିପୁରାକୁ ଦାଦନ ଖଟିବାକୁ ଯାଇଥିଲେ। ସେଠାରେ ସେ ଏକ ଘରୋଇ କମ୍ପାନୀରେ ଇଟା ଯୋଡେଇ କାମ କରୁଥିଲେ।
ଗତ ୨୬ ତାରିଖରେ ସେ ପରିବାର ଲୋକଙ୍କ ସହ କଥାହୋଇ ଘରକୁ ଗଲେ ଧାନ କଟା ଆରମ୍ଭ କରିବୁ ବୋଲି କହି ଅପରାହ୍ନ ୨ଟାରେ ଟ୍ରେନ ଚଢି ଗଁା ଅଭିମୁଖେ ବାହାରିଥିଲେ। ହେଲେ ୨୮ ତାରିଖ ସୁଦ୍ଧା ଗାଁରେ ପହଞ୍ଚି ନ ଥିଲେ। ପରିବାର ଲୋକେ ଯୋଗାଯୋଗ କରିବାରୁ ଗ୍ୟାଙ୍ଗ କୁଲିମାନେ ଫୋନ୍ ରିସିଭ କରିଥିଲେ। ସେମାନେ କହିଥିଲେ, ଶନି ଆନ୍ଧ୍ରପ୍ରଦେଶର ତିରୁପତି ଇଲୁର ରେଳ ଷ୍ଟେଶନ ସମ୍ମୁଖରେ ରେଳଧାରଣାରେ ମୁମୂର୍ଷୁ ଅବସ୍ଥାରେ ପଡିଥିଲେ। ତାଙ୍କୁ ଉଦ୍ଧାର କରି ହସ୍ପିଟାଲକୁ ନେଇଥିଲୁ। ହେଲେ ସେଠାରେ ମୃତ ଘୋଷଣା କରିଛନ୍ତି ବୋଲି ଜଣାଇଥିଲେ। ଏହା ପରେ ପରିବାର ଲୋକେ ଆନ୍ଧ୍ରପ୍ରଦେଶ ଯାଇ ମୃତଦେହ ଶୁକ୍ରବାର ଗଁାକୁ ଆଣିଛନ୍ତି। ଶନି ପରିବାରର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି ଥିଲେ। ବର୍ତ୍ତମାନ ସ୍ତ୍ରୀ, ୨ ଝିଅ ଓ ପୁଅ ଦୁଃଖରେ ଭାଙ୍ଗିପଡିଛନ୍ତି। ଏହି ଖବର ପାଇ ଜିଲା ଶ୍ରମ ଅଧିକାରୀ ଦିବ୍ୟଶଙ୍କର ଧରୁଆ ତାଙ୍କ ଘରେ ପହଞ୍ଚି ସମବେଦନା ଜଣାଇବା ସହ ଗାଡି ଖର୍ଚ୍ଚ ଓ ଅନ୍ତିମ ସତ୍କାର କରିବା ପାଇଁ ପରିବାର ଲୋକଙ୍କୁ ୩୦ ହଜାର ଟଙ୍କା ପ୍ରଦାନ କରିଥିଲେ।
ଗଁା ମଶାଣିରେ ଶିନଙ୍କ ଅନ୍ତିମ ସଂସ୍କାର କରାଯାଇଛି। ପୁଅ ଓମ୍ ସାଗର ମୁଖାଗ୍ନୀ ଦେଇଥିଲେ। ଏହି ସମୟରେ ଜିଲା ଶ୍ରମ ଅଧିକାରୀ ଧରୁଆଙ୍କ ସମେତ ବୋଡେନ ବିଡିଓ ଚିନ୍ମୟ ସାଗର, ରୋକାଲ ସରପଞ୍ଚ ଠାକୁର ବାଗ, ୱାର୍ଡମେମ୍ବର, ଗ୍ରାମବାସୀ, ବନ୍ଧୁବାନ୍ଧବ ଉପସ୍ଥିତ ଥିଲେ। ଏହି ପରିବାରକୁ ସରକାରୀ ସହାୟତା ଯୋଗାଇଦେବା ପାଇଁ ଶ୍ରମିକ ନେତା ଭକ୍ତବନ୍ଧୁ ଧରୁଆ ଦାବି କରିଛନ୍ତି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।