ଦିଗପହଣ୍ଡିରେ ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ସହ ଅନେକ ଦାବି ନେଇ ବନ୍ଦ ପାଳନ
ଦିଗପହଣ୍ଡି,୮ା୧୦(ଅଶେଷ ନାଥ ମିଶ୍ର): ରାଜ୍ୟ ପ୍ରଦେଶ କଂଗ୍ରେସ କମିଟି, ସିପିଆଇ,ସିପିଆଇ(ଏମ) ଏବଂ ଇଣ୍ଡି ମେଣ୍ଟର ଅନ୍ୟାନ୍ୟ ସମସ୍ତ ଦଳ ପକ୍ଷରୁ ଗୁରୁବାର ବନ୍ଦ ଡାକରା ଦିଆଯାଇଥିବା ଓଡ଼ିଶା ବନ୍ଦ ଦିଗପହଣ୍ଡିରେ ଶାନ୍ତିପୂର୍ଣ୍ଣ ଭାବେ ପାଳନ କରାଯାଇଛି। ରାଜ୍ୟବାସୀଙ୍କ ଗଣତାନ୍ତ୍ରିକ ଅଧିକାର, ସାମ୍ବିଧାନିକ ମୂଲ୍ୟବୋଧର ସୁରକ୍ଷା,ଏମ୍ଏମ୍ଡିଆର୍ ସଂଶୋଧନ ଆଇନକୁ ସମ୍ପୂର୍ଣ୍ଣ ରଦ୍ଦ କରାଯିବା, ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ତୁରନ୍ତ ବରଖାସ୍ତ କରାଯିବା, ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ମନ୍ତ୍ରୀ ମଣ୍ଡଳରୁ ଇସ୍ତଫା, ଶ୍ରମିକ ସ୍ବାର୍ଥ ବିରୋଧୀ ୪ଟି ଶ୍ରମ କୋଡ୍ ରଦ୍ଦ କରାଯିବା ସହ ଦେଶର ଶ୍ରମିକ କୃଷକ, ଯୁବକ,ମହିଳା,ଆଦିବାସୀ,ସଂଖ୍ୟାଲଘୁ,ଦଳିତ ଓ ବୁଦ୍ଧିଜୀବୀଙ୍କ ଉପରେ ଚରମ ଆକ୍ରମଣ ବନ୍ଦ କରାଯିବା ପ୍ରମୁଖ ଜନ ଦାବି ପୂରଣ ପାଇଁ ଏହି ବନ୍ଦ ପାଳନ କରାଯାଇଛି। ସ୍ଥାନୀୟ କଂଗ୍ରେସ, ସିପିଆଇ,ସିପିଆଇ(ଏମ)ର ବହୁସଂଖ୍ୟକ ଦଳୀୟ ନେତୃବୃନ୍ଦ ଓ କର୍ମୀ ଦିଗପହଣ୍ଡି ପୁରୁଣା ବସଷ୍ଟାଣ୍ଡରେ ବ୍ରହ୍ମପୁର ଭାୟା ଦିଗପହଣ୍ଡି ୧୭ ନଂ ରାଜ୍ୟ ରାଜପଥକୁ ଅବରୋଧ କରିଥିଲେ। ଫଳରେ ଗଜପତି, କନ୍ଧମାଳ, ରାୟଗଡ଼ା, କୋରାପୁଟ, ମାଲକାନାଗିରି ପ୍ରଭୃତି ଅଞ୍ଚଳକୁ ଯାତ୍ରୀବାହୀ ବସ, ମାଲବାହୀ ଟ୍ରକ୍ ଚଳାଚଳ ବନ୍ଦ ରହିଥିଲା। ସେଠାରେ ଆୟୋଜିତ ପଥପ୍ରାନ୍ତ ସଭାରେ ପ୍ରଦେଶ କଂଗ୍ରେସ କମିଟି ସମ୍ପାଦକ ତଥା ଦିଗପହଣ୍ଡି ଏନଏସି ଅଧ୍ୟକ୍ଷ ପ୍ରଫୁଲ୍ଲ ପଣ୍ଡା, ବାମପନ୍ଥୀ ନେତା ବିଘ୍ନେଶ୍ୱର ସାହୁ, ବୃନ୍ଦାବନ ପଣ୍ଡା, ସିପିଆଇ(ଏମ)ର ପୂର୍ବତନ ଜିଲା ସମ୍ପାଦକ କୈଳାସ ଷଡ଼ଙ୍ଗୀ ପ୍ରମୁଖ ଉଦବୋଧନ ଦେଇଥିଲେ। ପରେ ଦଳୀୟ କର୍ମୀ ବୃନ୍ଦ ବାଇକ୍ ଶୋଭାଯାତ୍ରାରେ ସହର ପରିକ୍ରମା କରି ଦୋକାନ ବଜାର,ସ୍କୁଲ କଲେଜ, ଅଫିସ ଦପ୍ତର ବନ୍ଦ କରିଥିଲେ। ଏନ୍ଏସି କାଉନସିଲର ଦୀପକ ମିଶ୍ର, ସୁନୀଲ ପଣ୍ଡା, ପୂର୍ବତନ ସରପଞ୍ଚ ପୀତାମ୍ବର ଗୌଡ଼, ଅଭିମନ୍ୟୁ ଜାନି, ଗୋବିନ୍ଦ ପାଣିଗ୍ରାହୀ, ସିପିଆଇ ଜିଲା କମିଟି ସଦସ୍ୟ ଅଳକ ନାଥ ମିଶ୍ର, ଶାଖା ସମ୍ପାଦକ ତପନ କୁମାର ମିଶ୍ର, ପ୍ରକାଶ ସେଠୀ, ହରପ୍ରସାଦ ରଥ, ସିପିଆଇ ବଡ଼ ଖେମୁଣ୍ଡି ଜୋନାଲ ସମ୍ପାଦକ କିଶୋର ଶତପଥୀ, ଦୈତାରୀ ରେଡ୍ଡୀ, ସିପିଆଇ(ଏମ୍) କାର୍ଯ୍ୟକର୍ତ୍ତା ସୁଶାନ୍ତ ଷଡ଼ଙ୍ଗୀ, ଭି.ସୁଦର୍ଶନ ରାଜୁ, ଶଶୀ ଭୂଷଣ ରଥ, ପି.ଶିବଶଙ୍କର, ସମ୍ଭବ କୁମାର ତ୍ରିପାଠୀ, ରସାନନ୍ଦ ରାଉତ, ଶଙ୍କର ରାଓ, ମୂଷା ବେହେରା,ଏମ. ବାଇନାଥ, ମଣ୍ଟୁ ପାତ୍ର, ବାଲ୍ମିକୀ ବେହେରା, ଗୌରଚନ୍ଦ୍ର ପୂଜାରୀଙ୍କ ସମେତ ବିଭିନ୍ନ ରାଜନୈତିକ ଦଳର ବହୁ ସଂଖ୍ୟକ ଦଳୀୟ କର୍ମୀ ବନ୍ଦ ପାଳନରେ ସାମିଲ ଥିଲେ।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।