ପଛରେ ପଡ଼ିଗଲେ କୋହଲି: ଗିଲ୍ ଦେଉଛନ୍ତି ଜୋରଦାର ଚ୍ୟାଲେଞ୍ଜ
ନୂଆଦିଲ୍ଲୀ,୩୦।୯: ଆଇସିସିର ସଦ୍ୟତମ ଦିନିକିଆ ବ୍ୟାଟିଂ ରାଙ୍କିଙ୍ଗରେ ଭାରତୀୟ ଦଳର ଦୁଇ ଷ୍ଟାର୍ ବ୍ୟାଟରଙ୍କ ମଧ୍ୟରେ ଜୋରଦାର ଲଢ଼େଇ ଦେଖିବାକୁ ମିଳିଛି। ଶୁବମନ ଗିଲ ନମ୍ବର-୧ ସ୍ଥାନ ବଜାୟ ରଖିଥିବା ବେଳେ ବିରାଟ କୋହଲି ନ୍ୟୁଜିଲାଣ୍ଡର ଡ୍ୟାରିଲ ମିଚେଲଙ୍କୁ ପଛରେ ପକାଇ ଦ୍ୱିତୀୟ ସ୍ଥାନକୁ ଉଠିଛନ୍ତି।
ଗିଲ ଏବଂ ବିରାଟଙ୍କ ମଧ୍ୟରେ ଏବେ ମାତ୍ର ୨୦ ରେଟିଂ ପଏଣ୍ଟର ତଫାତ ରହିଛି। ଗିଲଙ୍କ ଖାତାରେ ୮୧୬ ପଏଣ୍ଟ ଥିବା ବେଳେ ବିରାଟ କୋହଲି ୭୯୬ ପଏଣ୍ଟ ସହ ଦ୍ୱିତୀୟ ସ୍ଥାନରେ ଅଛନ୍ତି। ୱେଷ୍ଟଇଣ୍ଡିଜ ବିପକ୍ଷ ଦିନିକିଆ ସିରିଜର ଆଉ ଦୁଇଟି ମ୍ୟାଚ ବାକି ରହିଛି। ଏହି ମ୍ୟାଚ୍ଗୁଡ଼ିକରେ ବିରାଟଙ୍କ ବ୍ୟାଟ୍ରୁ ବଡ଼ ସ୍କୋର ଆସିବା ସହ ଗିଲଙ୍କ ପ୍ରଦର୍ଶନ ଆଶାନୁରୂପ ନ ହେଲେ ରାଙ୍କିଙ୍ଗରେ ପରିବର୍ତ୍ତନର ସମ୍ଭାବନା ରହିବ। ପ୍ରଥମ ଦିନିକିଆରେ ଗିଲ ୧୧୦ ରନ୍ର ଶତକୀୟ ପାଳି ଖେଳିଥିଲେ। ଅନ୍ୟପଟେ ବିରାଟ କୋହଲି ମାତ୍ର ୮୮ ବଲ୍ରେ ଅପରାଜିତ ୧୩୯ ରନ୍ର ଧୂଆଁଧାର ପାଳି ଖେଳି ଭାରତକୁ ବଡ଼ ବିଜୟ ଦେଇଥିଲେ।
୨୦୨୬ରେ ଉଭୟ ଭାରତୀୟ ବ୍ୟାଟର ଦିନିକିଆରେ ଚମତ୍କାର ଫର୍ମରେ ରହିଛନ୍ତି। ଶୁବମନ ଗିଲ ୯ଟି ଦିନିକିଆ ଇନିଂସରୁ ୬୭୧ ରନ ସଂଗ୍ରହ କରିଛନ୍ତି। ସେହିପରି ବିରାଟ କୋହଲି ୭ଟି ଇନିଂସରେ ୫୨୩ ରନ କରିଛନ୍ତି।
ଆଇସିସି ରାଙ୍କିଙ୍ଗରେ ଶୀର୍ଷ ସ୍ଥାନରେ ଗିଲ ରହିଥିବାବେଳେ ତାଙ୍କଠାରୁ ମାତ୍ର ୨୦ ପଏଣ୍ଟ ପଛରେ ବିରାଟ। ତେଣୁ ୱେଷ୍ଟଇଣ୍ଡିଜ ବିପକ୍ଷ ବାକି ମ୍ୟାଚଗୁଡିକରେ ଉଭୟଙ୍କ ପ୍ରଦର୍ଶନ ଉପରେ କ୍ରିକେଟ ପ୍ରଶଂସକଙ୍କ ନଜର ରହିବ।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।