୫୩ ବର୍ଷରେ କର୍ଲାମୁଣ୍ଡା ଦୁର୍ଗାପୂଜା: ନୂଆ କମିଟିରେ ଦେବେନ୍ଦ୍ର ସଭାପତି, ଚନ୍ଦ୍ରଭାନୁ ସମ୍ପାଦକ
କର୍ଲାମୁଣ୍ଡା, ୩୦।୯(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ସଦର ଦୁର୍ଗାମଣ୍ଡପରେ ଚଳିତ ବର୍ଷ ୫୩ତମ ବର୍ଷରେ ପଦାର୍ପଣ କରିଛି ଡୁକେରମାଲ ଦୁର୍ଗାପୂଜା। ଆଗାମୀ ଦୁର୍ଗାପୂଜାକୁ ନେଇ ପୂଜା କମିଟି ପକ୍ଷରୁ ପ୍ରସ୍ତୁତି ଜୋରସୋରରେ ଆରମ୍ଭ ହୋଇଛି। ପୂଜା କମିଟି ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଆସନ୍ତା ଅକ୍ଟୋବର ୧୧ ତାରିଖରୁ ସାର୍ବଜନୀନ ଦୁର୍ଗାପୂଜାର ନବରାତ୍ର ଆରମ୍ଭ ହେବ। ମା’ଙ୍କ ପୂଜା ଅକ୍ଟୋବର ୧୨ ତାରିଖରୁ ଆରମ୍ଭ ହୋଇ ୨୨ ତାରିଖରେ ଭସାଣି ଯାତ୍ରା ଅନୁଷ୍ଠିତ ହେବ।
ଏହି ଅବସରରେ ଅକ୍ଟୋବର ୧୯ ତାରିଖରୁ ୨୪ ପ୍ରହର ନାମଯଜ୍ଞ ଆରମ୍ଭ ହୋଇ ୨୨ ତାରିଖରେ ପୂର୍ଣ୍ଣାହୁତି ହେବ। ନାମଯଜ୍ଞରେ ପଣ୍ଡିତ ନୃସିଂହ ଚରଣ ଦାଶ ମୁଖ୍ୟ ପୂଜକ ଭାବେ ଦାୟିତ୍ୱ ତୁଲାଇବେ। ଯଜ୍ଞ କର୍ତ୍ତା ଭାବେ ସତ୍ୟନାରାୟଣ ସାହୁ ଓ ତାଙ୍କ ପତ୍ନୀ ସୈରେନ୍ଦ୍ରୀ ସାହୁ ରହିଥିବା ବେଳେ ନାମଯଜ୍ଞ କର୍ତ୍ତା ଭାବେ ଲକ୍ଷ୍ମୀ ସାହୁ ଓ ହରିଶଙ୍କର ସାହୁ ରହିଛନ୍ତି। ପୂଜାର ସୁପରିଚାଳନା ପାଇଁ ନୂତନ କମିଟି ଗଠନ କରାଯାଇଛି। ଦେବେନ୍ଦ୍ର ସାହୁଙ୍କୁ ସଭାପତି, ଚନ୍ଦ୍ରଭାନୁ ସାହୁଙ୍କୁ ସମ୍ପାଦକ, ହେମସାଗର ସାହୁଙ୍କୁ କୋଷାଧ୍ୟକ୍ଷ ଏବଂ ଡୋଳାମଣି ଭୋଇଙ୍କୁ ଉପସଭାପତି ଦାୟିତ୍ୱ ଦିଆଯାଇଛି। ଏଥିସହ ବିଭିନ୍ନ କମିଟିରେ ଗ୍ରାମବାସୀଙ୍କୁ ସାମିଲ କରାଯାଇଛି। ଦୁର୍ଗାପୂଜାକୁ ଶୃଙ୍ଖଳିତ ଓ ସଫଳ ଭାବେ ଆୟୋଜନ କରିବା ପାଇଁ କମିଟି ପକ୍ଷରୁ ପ୍ରସ୍ତୁତି ଜାରି ରହିଛି ବୋଲି ସମ୍ପାଦକ ଚନ୍ଦ୍ରଭାନୁ ସାହୁ ସୂଚନା ଦେଇଛନ୍ତି।
କର୍ଲାମୁଣ୍ଡା ବ୍ଲକ ସଦରରେ ଦୁଇଟି ସ୍ଥାନରେ ଦୁର୍ଗାପୂଜା ଆୟୋଜିତ ହେଉଥିବାରୁ ଭିଡ଼ ନିୟନ୍ତ୍ରଣ ଓ ଶାନ୍ତିଶୃଙ୍ଖଳା ରକ୍ଷା ପୋଲିସ ପାଇଁ ଏକ ଚ୍ୟାଲେଞ୍ଜ ହୋଇପାରେ ବୋଲି ସ୍ଥାନୀୟ ମହଲରେ ଚର୍ଚ୍ଚା ହେଉଛି। ପୂଜା ସମୟରେ ଶାନ୍ତିଶୃଙ୍ଖଳା ବଜାୟ ରଖିବା ନେଇ ପୋଲିସ ପକ୍ଷରୁ ଆବଶ୍ୟକ ପଦକ୍ଷେପ ନିଆଯିବା ଆଶା କରାଯାଉଛି।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।