ଦିଲ୍ଲୀରେ ମଣିପୁରୀ ମ୍ୟୁଜିକ୍ ଶିକ୍ଷକଙ୍କୁ ହତ୍ୟା, ନ୍ୟାୟ ଦାବିରେ ରାସ୍ତାକୁ ଓହ୍ଲାଇଲେ ଲୋକେ
ନୂଆଦିଲ୍ଲୀ,୮।୯: ଦିଲ୍ଲୀର କିଲୋକରୀ ଗାଁରେ ମଣିପୁରର ଅବସରପ୍ରାପ୍ତ ମ୍ୟୁଜିକ୍ ଶିକ୍ଷକ ତଥା ସଙ୍ଗୀତଜ୍ଞ ଚୋଙ୍ଗଥମ ବିକ୍ରମ ସିଂଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା ବଢ଼ିବାରେ ଲାଗିଛି । ତାଙ୍କ ମୃତ୍ୟୁ ପରେ ମଣିପୁରୀ ସମୁଦାୟର ଲୋକେ ଦିଲ୍ଲୀରେ କ୍ୟାଣ୍ଡେଲ୍ ମାର୍ଚ୍ଚ କରି ନ୍ୟାୟ ଦାବି କରିଛନ୍ତି।
୫୪ ବର୍ଷୀୟ ବିକ୍ରମ ସିଂ କିଲୋକରୀ ଗାଁରେ ରହୁଥିଲେ । ସେ ଅବସରପ୍ରାପ୍ତ ମ୍ୟୁଜିକ୍ ଶିକ୍ଷକ ଓ ମ୍ୟୁଜିସିଆନ୍ ଥିଲେ । ପୋଲିସର ପ୍ରାଥମିକ ତଦନ୍ତ ଅନୁସାରେ, ତାଙ୍କ ଘର ସାମ୍ନାରେ କିଛି ଡେଲିଭରି ବୟ ଓ ଢାବା କର୍ମଚାରୀଙ୍କ ଶବ୍ଦକୁ ନେଇ ସେ ଆପତ୍ତି ଉଠାଇଥିଲେ।ଏହାକୁ ନେଇ ବିବାଦ ହେବା ପରେ ତାଙ୍କ ସହ ମାରପିଟ ହୋଇଥିବା ଅଭିଯୋଗ ହୋଇଛି। ଆକ୍ରମଣରେ ସେ ଗୁରୁତର ଆହତ ହୋଇଥିଲେ। ପରେ ପୁଅ ୟାଇଫାବା ତାଙ୍କୁ ହୋଲି ଫ୍ୟାମିଲି ହସ୍ପିଟାଲକୁ ନେଇଥିଲେ। ଚିକିତ୍ସାଧୀନ ଅବସ୍ଥାରେ ବିକ୍ରମ ସିଂଙ୍କ ମୃତ୍ୟୁ ହୋଇଥିଲା।
ବିକ୍ରମ ସିଂଙ୍କ ମୃତ୍ୟୁ ପରେ ଦିଲ୍ଲୀରେ ମଣିପୁରର ଲୋକମାନେ କ୍ୟାଣ୍ଡେଲ୍ ମାର୍ଚ୍ଚ କରି ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ । ଆନ୍ଦୋଳନକାରୀମାନେ ଘଟଣାର ନିରପେକ୍ଷ ତଦନ୍ତ ସହ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।ପ୍ରଦର୍ଶନକାରୀମାନେ କହିଛନ୍ତି ଯେ ଉତ୍ତର-ପୂର୍ବ ଭାରତର ଲୋକଙ୍କ ବିରୋଧରେ ହିଂସା କିମ୍ବା ଭେଦଭାବକୁ ଅଣଦେଖା କରାଯିବା ଉଚିତ ନୁହେଁ । ବିକ୍ରମ ସିଂଙ୍କ ପରିବାରକୁ ନ୍ୟାୟ ମିଳିବା ଦରକାର ବୋଲି ସେମାନେ ଦାବି କରିଛନ୍ତି।
ଘଟଣାରେ ଦିଲ୍ଲୀ ପୋଲିସ ହତ୍ୟା ମାମଲା ରୁଜୁ କରି ୭ ଜଣଙ୍କୁ ଗିରଫ କରିଛି । ଏହାସହ ୧୫ ବର୍ଷୀୟ ଜଣେ ନାବାଳକଙ୍କୁ ମଧ୍ୟ ହେପାଜତରେ ନିଆଯାଇଛି । ଗିରଫ ଅଭିଯୁକ୍ତଙ୍କ ବୟସ ୧୯ରୁ ୩୬ ବର୍ଷ ମଧ୍ୟରେ ବୋଲି ପୋଲିସ କହିଛି। ବିବାଦ କିପରି ଆରମ୍ଭ ହେଲା ଏବଂ ଆକ୍ରମଣରେ କାହାର କେତେ ଭୂମିକା ଥିଲା, ସେନେଇ ତଦନ୍ତ ଜାରି ରହିଛି ପୋଲିସ।
ମଣିପୁରର ପୂର୍ବତନ ମୁଖ୍ୟମନ୍ତ୍ରୀ ଏନ୍. ବୀରେନ ସିଂ ମଧ୍ୟ ବିକ୍ରମ ସିଂଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରି ଦିଲ୍ଲୀ ପୋଲିସକୁ ତ୍ୱରିତ ଓ ଗଭୀର ତଦନ୍ତ କରି ନ୍ୟାୟ ସୁନିଶ୍ଚିତ କରିବାକୁ ଅନୁରୋଧ କରିଛନ୍ତି। ସେ ବିକ୍ରମ ସିଂଙ୍କୁ ମଣିପୁରର ଜଣେ ପରିଚିତ ଗିଟାରିଷ୍ଟ ଓ ୱେଷ୍ଟର୍ଣ୍ଣ ମ୍ୟୁଜିକ୍ର ଅଗ୍ରଣୀ କଳାକାର ଭାବେ ସ୍ମରଣ କରିଛନ୍ତି।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।