ଦେଶର ସବୁଠୁ ବଡ଼ ଆଇପିଓ ଜାରି ପାଇଁ କମ୍ପାନୀର ପ୍ରସ୍ତୁତି, ୩ ଗ୍ରୋଥ୍‌ ଇଞ୍ଜିନକୁ ଜିଓ’ର ଗୁରୁତ୍ୱ

Oct 16, 2026 - 12:08
ଦେଶର ସବୁଠୁ ବଡ଼ ଆଇପିଓ ଜାରି ପାଇଁ କମ୍ପାନୀର ପ୍ରସ୍ତୁତି, ୩ ଗ୍ରୋଥ୍‌ ଇଞ୍ଜିନକୁ ଜିଓ’ର ଗୁରୁତ୍ୱ

ମୁମ୍ବାଇ,୧୬ା୧୦: ଖୁବ୍‌ଶୀଘ୍ର ଦେଶର ସବୁଠାରୁ ବଡ଼ ଆଇପିଓ ଜାରି କରିବାକୁ ଜିଓ ପ୍ଲାଟ୍‌ଫର୍ମସ ପ୍ରସ୍ତୁତି ନେଇଛି। ଏହାପୂର୍ବରୁ ପରବର୍ତ୍ତୀ ପର୍ଯ୍ୟାୟ ଅଭିବୃଦ୍ଧି ପାଇଁ ରୋଡ୍‌ମ୍ୟାପ୍‌ ସାମ୍ନାକୁ ଆଣିଛି। ଏ ସମ୍ପର୍କରେ ସାମ୍ବାଦିକମାନଙ୍କୁ ସୂଚନା ଦେବା ଅବସରରେ ଜିଓ ପ୍ଲାଟ୍‌ଫର୍ମସ୍‌ର ପରିଚାଳନା ନିର୍ଦ୍ଦେଶକ ଆକାଶ ଅମ୍ବାନୀ ମୋବିଲିଟି, ହୋମ୍‌ ବ୍ରଡ୍‌ବ୍ୟାଣ୍ଡ୍‌ ଏବଂ ଏଣ୍ଟରପ୍ରାଇଜ-ଇଣ୍ଟରନ୍ୟାଶନାଲକୁ କମ୍ପାନୀର ୩ଟି ପ୍ରମୁଖ ଅଭିବୃଦ୍ଧି ଇଞ୍ଜିନ ଭାବେ ଉଲ୍ଲେଖ କରିଛନ୍ତି। ଟେକ୍ନୋଲୋଜି, ଡିଜିଟାଲ ଗେଟ୍‌ୱେ ଏବଂ ଦୃଢ଼ ଭିତ୍ତିଭୂମି ଆଧାରରେ କମ୍ପାନୀ ୨୦୩୧ ଆର୍ଥିକ ବର୍ଷ ସୁଦ୍ଧା ଭାରତର ପ୍ରାୟ ୧.୪ ଟ୍ରିଲିୟନ ଡଲାରର ଡିଜିଟାଲ ଅର୍ଥନୀତିରେ ଏକ ବଡ଼ ଭୂମିକା ନିର୍ବାହ କରିପାରିବ ବୋଲି ସେ କହିଛନ୍ତି । ଏହି କ୍ରମରେ ପ୍ରତ୍ୟେକ ଭାରତୀୟ, ପ୍ରତ୍ୟେକ ଗୃହ ଏବଂ ପ୍ରତ୍ୟେକ ଉଦ୍ୟୋଗକୁ ଉନ୍ନତ ଓ ସୁଲଭ ଡିଜିଟାଲ ସେବା ଯୋଗାଇବା ଉପରେ ଜିଓର ଫୋକସ୍‌ ରହିବ। ବର୍ତ୍ତମାନ ଜିଓର ପ୍ରାୟ ୫୩.୩ କୋଟି କନେକ୍ଟିଭିଟି ଗ୍ରାହକ ଅଛନ୍ତି ଏବଂ ଦେଶର ମୋଟ ଡାଟା ଟ୍ରାଫିକର ୬୦ ପ୍ରତିଶତରୁ ଅଧିକ ଜିଓ ପରିଚାଳନା କରୁଛି।
ମୋବିଲିଟି କ୍ଷେତ୍ରରେ ଆଗାମୀ ପାଞ୍ଚ ବର୍ଷ ମଧ୍ୟରେ ପ୍ରାୟ ୩୪ କୋଟି ନୂଆ ୪ଜି ଏବଂ ୫ଜି ଗ୍ରାହକଙ୍କ ବଜାର ସୁଯୋଗ ରହିଛି ବୋଲି କମ୍ପାନୀ ଆକଳନ କରିଛି। ୨୦୨୬ ଆର୍ଥିକ ବର୍ଷରେ ଜିଓର ନେଟ୍‌ ଆକ୍ଟିଭ ମୋବାଇଲ ଗ୍ରାହକଙ୍କ ସଂଖ୍ୟାରେ ବୃଦ୍ଧି ଦ୍ୱିତୀୟ ସ୍ଥାନରେ ରହିଥିବା ଅପରେଟରଙ୍କ ତୁଳନାରେ ପ୍ରାୟ ୩ ଗୁଣ ଅଧିକ ରହିଥିବା ସେ ପ୍ରକାଶ କରିଛନ୍ତି।
ହୋମ୍‌ ବ୍ରଡ୍‌ବ୍ୟାଣ୍ଡକୁ କମ୍ପାନୀ ଆଗାମୀ ବର୍ଷଗୁଡ଼ିକର ଏକ ପ୍ରମୁଖ ଅଭିବୃଦ୍ଧି ଇଞ୍ଜିନ ଭାବେ ଦେଖୁଛି। ବର୍ତ୍ତମାନ ଜିଓର ପ୍ରାୟ ୨ କୋଟି ୮୬ ଲକ୍ଷ ଫିକ୍ସଡ ବ୍ରଡ୍‌ବ୍ୟାଣ୍ଡ ଗ୍ରାହକ ଅଛନ୍ତି। ଏହି ଗ୍ରାହକ ଆଧାରକୁ ଭବିଷ୍ୟତରେ ୧୦ କୋଟି ଘର ପର୍ଯ୍ୟନ୍ତ ପହଞ୍ଚାଇବାକୁ କମ୍ପାନୀ ଲକ୍ଷ୍ୟ ରଖିଛି। ତୃତୀୟ ଅଭିବୃଦ୍ଧି ଇଞ୍ଜିନ ହେଉଛି ଏଣ୍ଟରପ୍ରାଇଜ ଏବଂ ଅନ୍ତର୍ଜାତୀୟ ବ୍ୟବସାୟ। ଭାରତରେ ପ୍ରାୟ ୫.୧ ଲକ୍ଷ କୋଟି ଟଙ୍କା ବା ୫୬.୮ ବିଲିୟନ ଡଲାରର ଏଣ୍ଟରପ୍ରାଇଜ ଡିଜିଟାଲ ସେବା ବଜାରକୁ ଜିଓ ଏକ ବଡ଼ ସୁଯୋଗ ଭାବେ ଦେଖୁଛି ବୋଲି ଆକାଶ ପ୍ରକାଶ କରିଛନ୍ତି।

 

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।